ଅନ୍ନର ପ୍ରଭାବ-ଅନ୍ନ ଆମ ମନ ଉପରେ ପ୍ରଭାବ ପକାଇଥାଏ

ମହାଭାରତରେ ପାଣ୍ଡବଙ୍କର ୧୨ ବର୍ଷ ବନବାସ ଓ ୧ ବର୍ଷ ଅଜ୍ଞାତବାସ ପୂରଣ ହୋଇସାରିଥିଲା । ଏହା ପରେ ଶ୍ରୀକୃଷ୍ଣ ପାଣ୍ଡବଙ୍କ ଦୂତ ହୋଇ ହସ୍ତିନାପୁରରେ ପହଞ୍ଚିଲେ ଏବଂ ଦୁର୍ଯ୍ୟୋଧନଙ୍କୁ କହିଲେ, ଏବେ ପାଣ୍ଡବଙ୍କୁ ସେମାନଙ୍କ ରାଜ୍ୟ ସେ ଫେରାଇ ଦିଅନ୍ତୁ । କିନ୍ତୁ ଦୁର୍ଯ୍ୟୋଧନ କୃଷ୍ଣଙ୍କ କଥା ଶୁଣିଲେ ନାହିଁ ।

ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନଙ୍କୁ ଅନେକ ପ୍ରକାର ବୁଝାଇବାକୁ ଚେଷ୍ଟା କଲେ । କିନ୍ତୁ ଦୁର୍ଯ୍ୟୋଧନ ପାଣ୍ଡବଙ୍କୁ ଗୋଟିଏ ଗ୍ରାମ ବି ଦେବାକୁ ପ୍ରସ୍ତୁତ ନ ଥିଲେ । ଶ୍ରୀକୃଷ୍ଣ ଦରବାରରୁ ବିଦାୟ ନେବାବେଳେ ଦୁର୍ଯ୍ୟୋଧନ ତାଙ୍କୁ କହିଲେ ‘ଆପଣ ଆମ ଦରବାରକୁ ଆସିଛନ୍ତି ଯେତେବେଳେ ଭୋଜନ ବିନା କିପରି ଯିବେ । ମୁଁ ଆପଣଙ୍କୁ ଭୋଜନ ନିମନ୍ତେ ନିମନ୍ତ୍ରଣ କରୁଛି ।’ କୃଷ୍ଣ କହିଲେ ‘ମୋର ଏକ ନିୟମ ଅଛି । କାହା ଘରେ ଓ କାହା ସହିତ ଭୋଜନ ସମୟରେ ମୁଁ ଦୁଇଟି କଥା ସର୍ବଦା ଧ୍ୟାନ ରଖେ । ପ୍ରଥମ, ମୋତେ ବହୁତ ଜୋର୍‌ରେ ଭୋକ ଲାଗିଥିବ । ଦ୍ୱିତୀୟରେ, ସାମ୍ନା ବ୍ୟକ୍ତି ମୋତେ ଖୁବ୍‌ ସ୍ନେହର ସହ ଖୁଆଉଥିବ । ବର୍ତ୍ତମାନ ତୁମ ସହ ଏ ଦୁଇଟିଯାକ କଥା ହୋଇପାରିବ ନାହିଁ ।

ପ୍ରଥମ କଥା ହେଉଛି ମୋତେ ଏବେ ଭୋକ ହେଉନାହିଁ । ଦ୍ୱିତୀୟରେ, ତୁମେ ମୋର ଠିକ୍‌ କଥା ମାନୁନାହଁ । ତୁମେ ମୋତେ ଖାଦ୍ୟ ଖୁଆଇବାକୁ ଚାହୁଁଛ, କିନ୍ତୁ ଏଥିରେ ପ୍ରେମ ଦେଖାଯାଉ ନାହିଁ । ତୁମ ସ୍ୱଭାବ ଯେମିତି, ଏଥିରେ ବି କୌଣସି ଷଡ୍‌ଯନ୍ତ୍ର ହୋଇପାରେ ।’ ଏହା ପରେ କୃଷ୍ଣ ବିଦୁରଙ୍କ ଘରକୁ ଭୋଜନ କରିବାକୁ ଚାଲିଗଲେ । ଏହି ଘଟଣାରେ ଶ୍ରୀକୃଷ୍ଣ ଶିକ୍ଷା ଦେଇଛନ୍ତି ଯେ ଆମେ ଯେତେବେଳେ କାହା ଘରକୁ ଭୋଜନ କରିବାକୁ ଯିବା, ଏ କଥା ନିଶ୍ଚୟ ମନେରଖିବା ଉଚିତ ଯେ ଖାଦ୍ୟ ଖୁଆଉଥିବା ବ୍ୟକ୍ତିର ମନୋଭାବ କେମିତି । ତା’ର ସ୍ୱଭାବ କେମିତି । କାରଣ ଅନ୍ନ ଆମ ମନ ଉପରେ ପ୍ରଭାବ ପକାଇଥାଏ । ଯଦି ଆମେ ଖରାପ ସ୍ୱଭାବର ବ୍ୟକ୍ତିର ହାତ ତିଆରି ଖାଦ୍ୟ ଖାଇବା, ତେବେ ନକାରାତ୍ମକ ଭାବନା ଆମ ଭିତରେ ପ୍ରବେଶ କରିବ । କୌଣସି ବ୍ୟକ୍ତି ଯଦି ଖରାପ ଉଦ୍ଦେଶ୍ୟରେ ଖାଦ୍ୟ ଖୁଆଉଥାଏ, ତେବେ ସେଠାରେ ଖାଇବା ଉଚିତ ନୁହେଁ ।