ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ

ସମ୍ବଲପୁର, ୦୮/୦୩ : ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ। କେବଳ ସେତିକି ନୁହେଁ ନିଆଁ ଲଗାଉଥିବା ଲୋକ ବାବଦରେ ସୂଚନା ଦେଲେ ମିଳିବ ୫ ହଜାର ଟଙ୍କାର ପୁରସ୍କାର ରାଶି। ରାଜ୍ୟ ସାରା ଏବେ ହୁତୁହୁତୁ ହୋଇ ଜଙ୍ଗଲ ଜଳୁଥିବା ବେଳେ ସମ୍ବଲପୁର ଡିଏଫଓ ସଞ୍ଜିତ କୁମାର ଏଭଳି କଡା ପଦକ୍ଷେପ ନେଇଛନ୍ତି।
ଅପର ପକ୍ଷରେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାକୁ ୭୫ ଜଣ ସ୍ଵତନ୍ତ୍ର ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏତଦ୍ ବ୍ୟତୀତ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଗାଁ ଗାଁରେ ପ୍ରଚାର ଗାଡି ବୁଲୁଛି।
ଏନେଇ ସମ୍ବଲପୁର ଡିଏଫଓ ସଞ୍ଜିତ କୁମାର କହିଛନ୍ତି ଯେ, ଜଙ୍ଗଲରେ ନିଆଁ ରୋକିବା ପାଇଁ ବନ ବିଭାଗ ସଜାଗ ଅଛି। ଲୋକମାନଙ୍କୁ ସଚେତନ କରିବା ଓ ସହଯୋଗ କରିବା ପାଇଁ ଅପିଲ କରାଯାଇଛି। ପ୍ରତି ରେଞ୍ଜରେ ୧୫ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।