ଯାତ୍ରା ବନ୍ଦ, ‘ଏବେ ଚଳିବୁ କେମିତି ବଞ୍ଚିବୁ କିପରି’ : ମୁଖ୍ୟମନ୍ତ୍ରୀଙ୍କୁ ଯାତ୍ରା କଳାକାରଙ୍କ ଗୁହାରୀ

ଭୁବନେଶ୍ୱର,୨୬/୫: ଲକ୍‌ଡାଉନ୍‌ ଯାତ୍ରାରେ ତାଲା ପକାଇ ଦେଇଛି । ଘରେ ବସି ନାହିଁ ନଥିବା ହିନସ୍ଥା ହେଉଛନ୍ତି ଯାତ୍ରା କଳାକାର । ସରକାର ସମସ୍ତଙ୍କ ପାଇଁ ସବୁକିଛି କରୁଥିଲାବେଳେ ଯାତ୍ରାକୁ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବାକୁ ନବୀନ ନିବାସ ଯାଇଥିଲେ ଯାତ୍ରା କଳାକାର । ଏହି ଅବସରରେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଊଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯାତ୍ରା କଥା ବିଚାର କରି ସହାୟତା ପ୍ରଦାନ କରିବାକୁ କଳାକାରମାନେ ନିବେଦନ କରିଛନ୍ତି । ପରେ କଳାକାରମାନେ ମନ୍ତ୍ରୀ ପ୍ରତାପ ଜେନା ଓ ବିଧାୟକ ବିଷ୍ଣୁ ଦାସଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ମଙ୍ଗଳବାର ଦିନ ଏହି ବିଷୟରେ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ସାଂସଦ ସୁଜିତ କୁମାରଙ୍କ ସହିତ ଆଲୋଚନା ହେବ ବୋଲି ସଂଘର ସମ୍ପାଦକ ରମେଶ ଚନ୍ଦ୍ର ନାୟକ ଏକ ପ୍ରେସ୍‌ ବିବୃତ୍ତିରେ ସୂଚନା ଦେଇଛନ୍ତି ।

ସମ୍ପାଦକ ଶ୍ରୀ ନାୟକ କହିଛନ୍ତି, ବର୍ଷ ସାରା ରାଜ୍ୟର କୋଣ ଅନୁକୋଣରେ ଯାତ୍ରା ପରିବେଷଣ କରି ଲୋକମାନଙ୍କୁ ମନୋରଞ୍ଜନ କରି ଆସିଛୁ । ବର୍ତ୍ତମାନ କରୋନା କଟକଣା ଯୋଗୁ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଯାତ୍ରା ବନ୍ଦ କଲେ । ଫଳରେ ପ୍ରଯୋଜକ ଓ ପରିଚାଳକମାନେ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଯେଉଁଥିପାଇଁ ସେମାନେ କଳାକାରଙ୍କୁ ବେତନ ଦେବାକୁ ସକ୍ଷମ ନାହାନ୍ତି । ଏଣୁ ୬୫ଟି ଯାତ୍ରା ପାର୍ଟିର ସମସ୍ତ କଳାକାର ଓ କର୍ମଚାରୀ ଓ ପାଖାପାଖି ୧୦ହଜାର ପରିବାରର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡ଼ିଛି । ଫଳରେ ସମସ୍ତେ ଭୋକ ଓପାସରେ କାଳ କାଟୁଛନ୍ତି । କଳାକାର, ଟେକ୍ନିସିଆନମାନେ ନିର୍ମାଣ ଶ୍ରମିକ ଭାବେ ପଞ୍ଜିକୃତ ହୋଇନଥିବାରୁ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ବର୍ତ୍ତମାନ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଓଡ଼ିଶାରେ ୧୦ହଜାର କଳାକାର ଓ କର୍ମଚାରୀ ଅଛନ୍ତି । ସରକାର ସେମାନଙ୍କୁ ସହାୟତା ଦିଅନ୍ତୁ, ଯେବେଠାରୁ କ୍ରୀଡ଼ା, ସଭା ଓ ଅଧିକ ଲୋକ ଯୋଗ ଦେଉଥିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନିମନ୍ତେ ଅନୁମତି ଦିଆଯିବ ସେବେଠାରୁ ଯାତ୍ରା ପରିବେଷଣ ଲାଗି ଅନୁମତି ଦିଆଯାଉ । ଯାତ୍ରା ପ୍ରଯୋଜକମାନଙ୍କୁ ସବ୍‌ସିଡିରେ ଲୋନ୍‌ ପ୍ରଦାନ କରାଯାଉ । ଯାତ୍ରା କଳାକୁ ଲୋକକଳାର ମାନ୍ୟତା ଦିଆଯାଉ । ପୂର୍ବରୁ ସରକାରଙ୍କୁ ଦିଆଯାଇଥିବା ୧୨ଦଫା ଦାବି ମଧ୍ୟରୁ ୯ଟି ଦାବି ଉପରେ ସରକାର ଆଲୋଚନା କରିବା ନିମନ୍ତେ ପ୍ରସ୍ତୁତ ଥିଲେ । ସେଗୁଡ଼ିକର ଯଥାଶୀଘ୍ର ଆଲୋଚନା କରାଯାଇ ସମାଧାନ କରାଯାଉ ।

ଶ୍ରୀ ନାୟକ କହିଛନ୍ତି, ପୂର୍ବରୁ ଏନେଇ ମାର୍ଚ୍ଚ ୨୮ରେ ଏବଂ ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଆଶା ଏଥର ସରକାର ବିଚାର କରି ଯାତ୍ରା ଓ କଳାକାରଙ୍କ ପାଇଁ କିଛି କରିବେ । ଆଜି ନବୀନ ନିବାସକୁ ଯାଇଥିବା ସଂଘର ପ୍ରତିନିଧି ଦଳରେ ସମ୍ପାଦକ ଶ୍ରୀ ନାୟକଙ୍କ ସହିତ ସଭାପତି ଦୈତାରୀ ପଣ୍ଡା, ସହସମ୍ପାଦକ ଗୌର ଦାସ, ସୁବାସ ବେହେରା, କୋଷାଧ୍ୟକ୍ଷ ହୃଷିକେଶ ମିଶ୍ର, କାର୍ଯ୍ୟକାରିଣୀ ସଭ୍ୟ ଦୟାନିଧି ଉପାଧ୍ୟାୟ ଉପସ୍ଥିତ ଥିଲେ।

   ସମ୍ବନ୍ଧିତ ଖବର


ଅଭିନେତ୍ରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ, ଓକିଲଙ୍କ ନାଁରେ ଏତଲା

ରାଜ୍ୟର ଶିଳ୍ପାନୁଷ୍ଠାନ ସମ୍ପର୍କିତ ଡିରେକ୍ଟୋରୀ ‘ଆମ ସମୟର ଶିଳ୍ପ’ ଉନ୍ମୋଚିତ

ଲାଇନ୍‌ଚ୍ୟୁତ ହେଲା ରେଳ ଇଞ୍ଜିନ-୪୦ ମିଟର୍‌ ଘୁଷୁଡ଼ିଲା, ୪ ଘଣ୍ଟା ନୟାନ୍ତ ବର୍ତ୍ତିଗଲେ ୨ ଡ୍ରାଇଭର୍‌ ଓ ଜଣେ ଗାର୍ଡ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଫୁଙ୍ଗୁଳା – ମାଳ ମାଳ ପୁଲିସ ଦ୍ୱାର ମୁହଁରେ ଜଗି ବସିଛନ୍ତି, କିନ୍ତୁ ଉଲ୍ଲଙ୍ଘନକାରୀ ସରକାରୀ କଟକଣାକୁ ବେଖାତିର କରି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି

ପ୍ରେମ କରି ଫସିଗଲେ ବିବାହିତା ମହିଳା, ସୁନା ଟଙ୍କା ଲୁଟି ନେଲା ଲମ୍ପଟ ପ୍ରେମିକ, ଥାନାରେ ଏତଲା

ବେସାହାରା ତୁଳସୀକୁ ମିଳିଗଲେ ବାପା- ମା’, ଔପଚାରିକତା ପୂରଣ କରି ସିଡବ୍ଲ୍ୟସି ଠାରୁ ଶିଶୁକୁ କୋଳେଇ ନେଲେ ବେଙ୍ଗାଲୁରୁ ଦମ୍ପତି