ବାତ୍ୟା ଡ୍ୟୁଟି ବେଳେ ଏଏସ୍‌ଆଇଙ୍କ ମୁଣ୍ଡରେ ପଡ଼ିଲା ଗଛ, ଅଟକାଇ ପାରିଲାନି ଡାକ୍ତରଖାନା ଶଯ୍ୟା

ଭୁବନେଶ୍ୱର,୧୧ା୫(ବ୍ୟୁରୋ): ଫୋନି ବାତ୍ୟାରେ ଡ୍ୟୁଟି କରୁଥିଲେ । ମୁଣ୍ଡରେ ପଡ଼ିଲା ଗଛ । ଚେତା ହରାଇ ଡାକ୍ତରଖାନା ଆଇସିୟୁରେ ଚିକିତ୍ସିତ ହେଲେ । ଡାକ୍ତର ତାଙ୍କୁ ସପ୍ତାହେ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ । ମାତ୍ର ବିପର୍ଯ୍ୟୟ ସମୟରେ କର୍ତ୍ତବ୍ୟର ଆହ୍ୱାନରେ ଡାକ୍ତରଖାନା ଶଯ୍ୟାରୁ ସେ ଉଠି ପଡ଼ିଲେ । ମାତ୍ର ଦୁଇଦିନ ପରେ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲ୍‌ ଛାଡ଼ି ପୁଣି ଜନସେବାରେ ଯୋଗଦେଲେ । ଏଭଳି ଅନନ୍ୟ ସେବାର ଉଦାହରଣ ସାଜିଛନ୍ତି ଖଣ୍ଡଗିରି ଥାନାର ଏଏସ୍‌ଆଇ ଦୋଳଗୋବିନ୍ଦ ସ୍ୱାଇଁ । ତାଙ୍କର ଏଭଳି କାର୍ଯ୍ୟ ପାଇଁ ପୁଲିସ୍‌ କମିଶନର ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ପୂରା ଘଟଣା ଏମିତି…

ବାତ୍ୟା ଫୋନିର ପ୍ରଥମ ମାଡ଼ ପରେ ଦୋଳଗୋବିନ୍ଦ ଥାନାର ୪ଜଣ ଷ୍ଟାଫ୍‌ଙ୍କ ସହିତ ପଦାକୁ ବାହାରି ଥିଲେ । ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା । ଓୟୁଏଟି ଛକରେ ପହଞ୍ଚିଥିବା ବେଳେ ଆସିଥିଲା ଫୋନିର ଦ୍ୱିତୀୟ ଧକ୍କା । ଯାହା ଥିଲା ଅତି ଭୟଙ୍କର । ଏହି ସମୟରେ ଦୋଳଗୋବିନ୍ଦ ନ ଡରି ନିଜ କର୍ତ୍ତବ୍ୟ କରି ଚାଲିଥିଲେ । ହେଲେ ହଠାତ୍‌ ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା ଗଛର ଏକ ବଡ଼ ଡାଳ । ସେ ଘଟଣାସ୍ଥଳରେ ଚେତା ହରାଇଲେ । ଭିଏଚ୍‌ଏଫ୍‌ ମାଧ୍ୟମରେ ଅନ୍ୟ ଷ୍ଟାଫ୍‌ ଏକଥା ଥାନାକୁ ଜଣାଇଥିଲେ । ପବନ କମିବା ପରେ ଖଣ୍ଡଗିରି ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ଓ ଅନ୍ୟ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ । ଦୋଳଗୋବିନ୍ଦଙ୍କୁ ସଙ୍ଗେ ସଙ୍ଗେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ଚେତା ନଥିବାରୁ ତାଙ୍କୁ ଆଇସିୟୁରେ ରଖାଗଲା । ଏକଥା ଡିସିପି ଅନୁପ ସାହୁ ଜାଣିବା ପରେ ସଙ୍ଗେ ସଙ୍ଗେ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।

ଡାକ୍ତରମାନଙ୍କ ବହୁ ପ୍ରଚେଷ୍ଟା ପରେ ଦୋଳଗୋବିନ୍ଦଙ୍କ ଚେତା ଫେରିଥିଲା । ଡାକ୍ତର ତାଙ୍କୁ ୭ ଦିନ ବିଶ୍ରାମ ପାଇଁ ପରାମର୍ଶ ଦେଇଥିଲେ । ହେଲେ କର୍ତ୍ତବ୍ୟକୁ ଜୀବନ ଭାବୁଥିବା ଦୋଳଗୋବିନ୍ଦ ଡାକ୍ତରଙ୍କ କଥାକୁ ଖାତିର କରିନଥିଲେ । ଦୁଇ ଦିନ ହସ୍ପିଟାଲ୍‌ରେ ରହିବା ପରେ ପଳାଇ ଆସିଥିଲେ । ଗତ ୬ ତାରିଖ ତପୋବନ ହାଇସ୍କୁଲ୍‌ ପଡ଼ିଆ ସଫେଇ କାର୍ଯ୍ୟରେ ଲାଗି ପଡ଼ିଥିଲେ । କାରଣ ଉକ୍ତ ସ୍କୁଲ୍‌ ପଡ଼ିଆରେ ରିଲିଫ୍‌ କେନ୍ଦ୍ରର ବ୍ୟବସ୍ଥା ହେବାର ଥିଲା । ତେବେ ଏହି କଥା ଡିସିପି ଶ୍ରୀ ସାହୁ ଜାଣି ଆଇଆଇସିଙ୍କୁ କହିଥିଲେ ଦୋଳଗୋବିନ୍ଦଙ୍କୁ ବିଶ୍ରାମ ପାଇଁ ଛୁଟି ଦିଆଯାଉ । ହେଲେ ଦୋଳଗୋବିନ୍ଦ ଛୁଟି ନେବାକୁ ମନା କରିଥିଲେ । ତାଙ୍କର ଏଭଳି କାର୍ଯ୍ୟ ବିଷୟରେ ଡିସିପି ଶ୍ରୀ ସାହୁ ପୁଲିସ୍‌ କମିଶର ଡ. ସତ୍ୟଜିତ ମହାନ୍ତିଙ୍କୁ ଜଣାଇଥିଲେ । ଶ୍ରୀ ମହାନ୍ତି ଏହା ଶୁଣି ଦୋଳଗୋବିନ୍ଦଙ୍କ ସହିତ କଥା ହୋଇଥିଲେ । ଶନିବାର ଅପରାହ୍ଣରେ କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରେ କମିଶନର ଶ୍ରୀ ମହାନ୍ତି ସମ୍ବର୍ଦ୍ଧନା କରିଥିଲେ । ସମ୍ବର୍ଦ୍ଧିତ ସମୟରେ ଡିସିପି, ଜୋନ ଏସିପି ଓ ଆଇଆଇସି ଉପସ୍ଥିତ ଥିଲେ ।

ଫୋନି ମାଡ଼ରେ ଉଡ଼ି ଯାଇଛି ଘର, ପୁଅକୁ ଧରି ଡ୍ୟୁଟି କରୁଛନ୍ତି ମହିଳା କନ୍‌ଷ୍ଟେବଲ
ଫୋନିରେ ଘର ଛପର ଉଡ଼ି ଯାଇଛି । ସ୍ୱାମୀ ତାଙ୍କ ଡ୍ୟୁଟିରେ ବ୍ୟସ୍ତ । ଏପଟେ ଦୁଇ ବର୍ଷର କୁନି ପୁଅକୁ ଧରି ଥାନାରେ ଡ୍ୟୁଟି କରୁଛନ୍ତି ମହିଳା କନ୍‌ଷ୍ଟେବଲ । ଗୋଟିଏ ପଟେ ମା’ର କର୍ତ୍ତବ୍ୟ ଅନ୍ୟପଟେ ଚାକିରି । ଏକସଙ୍ଗେ ଦୁଇ ଦୁଇଟି କାର୍ଯ୍ୟ କରି ଚର୍ଚ୍ଚାରେ ପିପିଲି ଥାନା କନ୍‌ଷ୍ଟେବଲ ସଞ୍ଜୁକ୍ତା କୁଜୁର । ତାଙ୍କର ଏଭଳି କାର୍ଯ୍ୟକୁ ଆଇଆଇସିଙ୍କ ଠାରୁ ଡିଜିପି ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରିଛନ୍ତି ।

ସଞ୍ଜୁକ୍ତାଙ୍କ ସ୍ୱାମୀ ବ୍ରହ୍ମଣୀଗାଁ ଥାନାରେ ସିପାହୀ ଭାବେ କାର୍ଯ୍ୟରତ । ସଞ୍ଜୁକ୍ତା ପିପିଲି ଥାନାରେ ପଛରେ ଥିବା ଏକ ଆଜବେଷ୍ଟସ୍‌ ଘରେ ୨ ବର୍ଷର କୁନି ପୁଅକୁ ଧରି ରହୁଥିଲେ । ଗତ ୩ ତାରିଖ ଫୋନି ସମୟରେ ତାଙ୍କ ଘର ଛପର ଉପୁଡି ଗଲା । ପିପିଲି ଥାନା ଆଇଆଇସି ଶରତ ସାହୁ ତାଙ୍କୁ ଥାନା ପରିସରରେ ଥିବା ଏକ ଘରେ ଆଣି ଆଶ୍ରୟ ଦେଇଥିଲେ । ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଯାଇଥିଲା । ସଞ୍ଜୁକ୍ତା କ’ଣ କରିବେ କିଛି ଜାଣି ପାରି ନଥିଲେ । ପାଖରେ ଆଉ ନିଜ ଲୋକ କେହି ନଥିଲେ । ୪ ତାରିଖରେ ସଞ୍ଜୁକ୍ତାଙ୍କୁ ସେଣ୍ଟ୍ରି ଡ୍ୟୁଟି ପଡ଼ିଥିଲା । ସେ ତାଙ୍କ ୨ ବର୍ଷର ପୁଅକୁ ଧରି ଡ୍ୟୁଟି କରିଥିଲେ । ସେବେଠୁ ଆଜି ପର୍ଯ୍ୟନ୍ତ ସେ ସବୁବେଳେ ଡ୍ୟୁଟି ଆସିବା ସମୟରେ ପୁଅକୁ ଧରି ଆସୁଛନ୍ତି । ଦୁଃଖର କଥା ହେଲା ସଞ୍ଜୁକ୍ତା ଏ ପର୍ଯ୍ୟନ୍ତ ତାଙ୍କ ଘର ସଜାଡି ନାହାନ୍ତି । ଗତକାଲି କେନ୍ଦ୍ରାଞ୍ଚଳ ଆଇଜି ସଞ୍ଜୁକ୍ତାଙ୍କ ସହ ଏନେଇ ଆଲୋଚନା କରିଥିଲେ ।