କଣ୍ଟ୍ରାକ୍ଟର ଲାଇସେନ୍ସ ପାଇଁ ୮ ହଜାର ଲାଞ୍ଚ, ଏଏସ୍ଓଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର,୧୦ ।୪(ବ୍ୟୁରୋ): କଣ୍ଟ୍ରାକ୍ଟର ଲାଇସେନ୍ସ ଆବେଦନ କରିଥିବା ଜଣେ ଯୁବକଙ୍କ ଠାରୁ ୮ହଜାର ଟଙ୍କା ଲାଞ୍ଚ ନେଲାବେଳେ ଇଏସ୍ଆଇ ବିଭାଗର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର(ସିଭିଲ୍) ଦିଲ୍ଲୀପ କୁମାର ବିଶୋଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଦିଲ୍ଲୀପଙ୍କ ଠାରୁ ଭିଜିଲାନ୍ସ ଅଧିକାରୀମାନେ ୮ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି । ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଭିଜିଲାନ୍ସ ଟିମ୍ ତାଙ୍କ ଭୁବନେଶ୍ୱର ବାସଭବନ ଓ ଦିଗପହଣ୍ଡି ଘରେ ମଧ୍ୟ ଚଢ଼ଉ କରିଛନ୍ତି ।
ଭିଜିଲାନ୍ସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, କେନ୍ଦୁଝର ଜିଲ୍ଳା କରଞ୍ଜିଆପଡ଼ାର ଜ୍ୟୋତିରଞ୍ଜନ ଗଣପତି ଦେହୁରୀ ଏ- କ୍ଲାସ୍ କଣ୍ଟ୍ରାକ୍ଟର ଲାଇସେନ୍ସ ପାଇଁ ଆବେଦନ କରିଥିଲେ । ଦିଲ୍ଲୀପ୍ ତାଙ୍କୁ କହିଥିଲେ ୧୫ ହଜାର ଟଙ୍କା ଦେଲେ ଲାଇସେନ୍ସ ମିଳିବ । ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି ଜ୍ୟୋତିରଞ୍ଜନ କହିଥିଲେ । ତେବେ କଥା ୮ ହଜାର ଟଙ୍କାରେ ଛିଡ଼ିଥିଲା । ବୁଧବାର ଦିନ ନିର୍ମାଣସୌଧ କାର୍ଯ୍ୟାଳୟକୁ ଟଙ୍କା ନେଇ ଆସିବାକୁ ଦିଲ୍ଲୀପ ଜ୍ୟୋତିରଞ୍ଜନଙ୍କୁ କହିଥିଲେ ।
ଜ୍ୟୋତିରଞ୍ଜନ ଟଙ୍କା ଦେବା ପୂର୍ବରୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଯାଇ ଏସ୍ପିଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଭିଜିଲାନ୍ସ ଏସ୍ପି ଏହାର ଦାୟିତ୍ୱ ଡିଏସ୍ପି ଅକ୍ଷୟ ମିଶ୍ରଙ୍କୁ ଦେଇଥିଲେ । ଶ୍ରୀ ମିଶ୍ର ତାଙ୍କ ଟିମ୍ ନେଇ ନିର୍ମାଣସୌଧ କାର୍ଯ୍ୟାଳୟରେ ଛକି ରହିଥିଲେ । ଦିଲ୍ଳୀପ ଜ୍ୟୋତିରଞ୍ଜନଙ୍କ ଠାରୁ ଟଙ୍କା ନେଉଥିବା ସମୟରେ ତାଙ୍କୁ ଧରିଥିଲେ । ଏହାପରେ ଦିଲ୍ଳୀପ୍ଙ୍କ ରେଣ୍ଟାଲ୍ କଲୋନୀ କ୍ୱାର୍ଟର୍ସ ଇ/୪୯/୬ରେ ଚଢ଼ଉ କରା ଯାଇଥିଲା ।