ଏଏସ୍‌ଓ ଚାକିରି ନାଁରେ ବଡ ଧରଣର ଘୋଟାଲା: ଗୋଟିଏ ସିଟ୍କୁ ୧୦ ଲକ୍ଷରେ ଡିଲ୍‌

ଭୁବନେଶ୍ୱର୨୧/୮: ସଚିବାଳୟରେ ଆସିଷ୍ଟାଣ୍ଡ ସେକ୍ସନ ଅଫିସର (ଏଏସ୍‌ଓ) । ଏ ଚାକିରି ଥରେ ତୁମ ପିଲାଙ୍କୁ ମିଳିଗଲେ, କ୍ୟାରିଅର ବନିଯିବ । ମାସକୁ ୪୦-୫୦ ହଜାର ଟଙ୍କାର ଦରମା ପାଇବେ । ଥରଟେ ଇନ୍‌ଭେଷ୍ଟ କରି ପୂରା ଜୀବନ ଏଞ୍ଜୟ କର ।

ଏମିତି କିଛି ଲୋଭ ଦେଖାଇ ବହୁ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଗିଳି ଦେଇଛନ୍ତି କିଛି ଦଲାଲ୍‌ । ଚାକିରି ତ ମିଳିଲାନି ଏବେ ଟଙ୍କା ଫେରାଇବାକୁ ବି ନାଁ ଗନ୍ଧ ଧରୁନାହାନ୍ତି । ଓଲଟି ଧମକ ଦେଉଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ଠକାମିର ଶିକାର ହୋଇଥିବା କିଛି ବ୍ୟକ୍ତି ।

ଅଭିଯୋଗ ମୁତାବକ, ନୟାଗଡ଼ ଓ କେନ୍ଦ୍ରାପଡା ଅଞ୍ଚଳର ୨ ଦଲାଲ୍‌ ଏମିତି ଢଙ୍ଗରେ ୧୦ରୁ ଅଧିକ ଲୋକଙ୍କୁ ଚୁନ ଲଗାଇଛନ୍ତି । ଉଭୟେ ରସୁଲଗଡ଼ରେ ଭଡ଼ା ଘରେ ରହୁଥିଲେ । ୨୦୧୮ ଅକ୍ଟୋବର ମାସରେ ୨ ଦଲାଲଙ୍କ ସହ ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳରେ ରହୁଥିବା ରବି ମହାନ୍ତିଙ୍କ ଯୋଗାଯୋଗ ହୋଇଥିଲା । ତାଙ୍କ ପୁଅ ସବ୍ୟସାଚୀଙ୍କୁ ଏଏସ୍‌ଓ ଚାକିରି ଦେବା ନାଁରେ ଠକିବାକୁ ଯୋଜନା କରିଥିଲେ । ବଡ଼ ଅଫିସର, ମନ୍ତ୍ରୀ ଚିହ୍ନା ଅଛନ୍ତି କହି ଚାକିରି କରାଇଦେବୁ ବୋଲି ପ୍ରଲୋଭନ ଦେଖାଇଥିଲେ । ଏବାବଦରେ ୧୦ ଲକ୍ଷ ଟଙ୍କା ମାଗିଥିଲେ ।

ବେକାର ପୁଅ ପାଇଁ ସରକାରୀ ଚାକିରି ମିଳିଯିବ ଆଶାରେ ରବି ସେମାନଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ । ବହୁ କଷ୍ଟରେ ଟଙ୍କା ଯୋଗାଡ କରି ୩ଟି କିସ୍ତିରେ ୪ ଲକ୍ଷ ୭୦ ହଜାର ଟଙ୍କା ଦଲାଲଙ୍କୁ ଦେଇଥିଲେ । ଏସବୁ ଡିଲ୍‌ ମାଷ୍ଟରକ୍ୟାଣ୍ଟିନର ଏକ ହୋଟେଲରେ ହୋଇଥିଲା । ତେବେ ଟଙ୍କା ଦେବା ପରେ ପୁଅକୁ ଚାକିରି ନ ମିଳିବାରୁ ଦଲାଲ୍‌ଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ ରବି । ହେଲେ ଦଲାଲ୍‌ ଟଙ୍କା ଦେବାର ନାଁ ଗନ୍ଧ ଧରିନଥିଲେ । ଠକାମିର ଶିକାର ରବି ପୁଅର କ୍ୟାରିଅର ଚିନ୍ତା କରି ହୃଦ୍‌ଘାତରେ ପଡ଼ି ପରଲୋକ ହୋଇଥିଲା ।

ଏବେ ରବିଙ୍କ ପୁଅ ସବ୍ୟସାଚ୍ଚୀ ଓ ତାଙ୍କ ସମ୍ପର୍କୀୟ ଭାଇ ସାଗର ଟଙ୍କା ଫେରସ୍ତ ମାଗିବାରୁ ଦଲାଲମାନେ ସେମାନଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ତେବେ ଦଲାଲଙ୍କୁ ଟଙ୍କା ଦେବାର ଭିଡିଓ ରେକର୍ଡିଂ ଓ ଧମକାଉଥିବା ବେଳର ଅଡିଓ ରେକର୍ଡିଂ ଏମାନଙ୍କ ପାଖରେ ରହିଛି ।

ଏହି ଦଲାଲମାନଙ୍କ ନାଁରେ କମିଶନରେଟ୍‌ ପୁଲିସର କୌଣସି ଥାନାରେ ଅଭିଯୋଗ ହୋଇନଥିଲେ ବି ଅନୁଗୁଳ ସଦର ଥାନାରେ ଜୁଲାଇ ୨୭ ତାରିଖରେ ଏକ ଅଭିଯୋଗ ହୋଇଛି । ସମାନ ଢ଼ଙ୍ଗରେ ସଚିବାଳୟରେ କିରାଣି ଚାକିରି ଦେବା ନାଁରେ ୫-୬ ଜଣଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ଏନେଇ ଅନୁଗୁଳ ପୁଲିସ ସେମାନଙ୍କୁ ଖୋଜୁଛି ।

   ସମ୍ବନ୍ଧିତ ଖବର


ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି

ଅଧିବେଶନ ପୂର୍ବରୁ ପରୀକ୍ଷା : ଆଉ ୬ ବିଧାୟକଙ୍କୁ କରୋନା

ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଅକ୍ଟୋବର ୪ ତାରିଖରେ ଖୋଲିବ ନନ୍ଦନକାନନ

ବିଧାନସଭାର ୧୪ ସଦସ୍ୟଙ୍କୁ କରୋନା

ବିଜେଡ଼ିରୁ ବିଦା ହେଲେ କଳ୍ପତରୁ ଓଝା: ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ