ଅତନୁଙ୍କ ଋଣଭାର କମିଛି, ପାଠପଢ଼ାରେ ଆଗୁଅ

କେନ୍ଦ୍ରାପଡ଼ା,୧୪ା୪(ଆପ୍ର): ଏଥର ବି ଚର୍ଚ୍ଚାରେ ଅଛି ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ । ଏକାଧିକ ହେଭିୱେଟ୍‍ଙ୍କ ସହ ଅଛନ୍ତି ବହୁ ସ୍ୱାଧୀନ ପ୍ରାର୍ଥୀ । ମହାକାଳପଡ଼ାରେ ବିଜେଡ଼ି, ବିଜେପି, କଂଗ୍ରେସ ଦଳକୁ ଛାଡ଼ିଦେଲା ପରେ ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି, ଆମ୍ୱେଦକର ଜାତୀୟ କଂଗ୍ରେସ ସହ ସ୍ୱାଧୀନ ଭାବେ ଲଢ଼ୁଛନ୍ତି ୪ ଜଣ ପ୍ରାର୍ଥୀ । ତେବେ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନପତ୍ର ଦାଖଲ ବେଳେ ସେମାନଙ୍କର ଆୟବ୍ୟୟ, ଶିକ୍ଷା, ପେସା, ସମ୍ପତ୍ତି ବାବଦରେ ଯେଉଁ ତଥ୍ୟ ରଖିଛନ୍ତି, ତାହା ଜାଣିବାକୁ ଜମୁଛି କୌତୁହଳ ।

ମହାକାଳପଡ଼ାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ଶିକ୍ଷାରେ ଆଗରେ । ସେ କଳାରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ଆଇନ ବିଦ୍ୟାରେ ବି ପାରଙ୍ଗମ । ଆଇନରେ ସ୍ନାତକ ଡିଗ୍ରୀ କରିଛନ୍ତି । ସମ୍ପତ୍ତି କଥା କହିଲେ ୨୦୦୪ ମସିହାରୁ ଅଦ୍ୟାବଧି ତାଙ୍କର ସମ୍ପତ୍ତି ପରିମାଣ ବୃଦ୍ଧି ପାଇଆସୁଛି । ୨୦୦୪ରେ ସେ ଦାଖଲ କରିଥିବା ନାମାଙ୍କନପତ୍ରରେ ତାଙ୍କର ସମ୍ପତ୍ତି ୧୩ ଲକ୍ଷ ୫୦ ହଜାର ଟଙ୍କା ଦର୍ଶାଇଥିଲେ ଯାହା ୨୦୦୯ ରେ ବୃଦ୍ଧିପାଇ ପହଞ୍ଚିଥିଲା ୨୪ ଲକ୍ଷ ୭୦ ହଜାର ୪୫ ଟଙ୍କା, ଆଉ ୨୦୧୪ ମସିହାରେ ଛୁଇଁଥିଲା କୋଟିଏ ଅଙ୍କ । ମାନେ ୨୦୧୪ରେ ତାଙ୍କ ପାଖରେ ୧ କୋଟି ୧୫ ଲକ୍ଷ ୭୮ ହଜାର ୯୧୫ ଟଙ୍କା ଥିବା ହିସାବ ରଖିଥିଲେ । ଏଥର ତାଙ୍କର ସମ୍ପତ୍ତି ପହଞ୍ଚିଛି ୧ କୋଟି ୫୧ ଲକ୍ଷ ୭୭ ହଜାର ୨୩ ଟଙ୍କାରେ । ତାଙ୍କ ପାଖରେ ଅସ୍ଥାବର ସମ୍ପତ୍ତି ୪୯ ଲକ୍ଷ ୨୨ ହଜାର ୫୫୨ ଟଙ୍କା, ପତ୍ନୀଙ୍କର ୩୨ ଲକ୍ଷ ୨୧ ହଜାର ୪୭୧ ଟଙ୍କା, ସ୍ଥାବର ସମ୍ପତ୍ତି ନିଜ ପାଖରେ ୭୩ ଲକ୍ଷ ୧୫ ହଜାର ଟଙ୍କାର ଦର୍ଶାଯାଇଛି ଯାହା ପ୍ରାୟ ଉତ୍ତରାଧିକାରୀ ସୂତ୍ରରୁ ଆସିଛି । ତେବେ ୨୦୧୪ ମସିହାରେ ତାଙ୍କର ଋଣଭାର ୯ ଲକ୍ଷ ୭୭ ହଜାର ଟଙ୍କା ଥିବାବେଳେ ଏଥର ତାହା ୯ ଲକ୍ଷ ୨୧ ହଜାର ୩୯୨ ଟଙ୍କାକୁ ହ୍ରାସପାଇଛି । ସେହିପରି ସୁନା ଅଳଙ୍କାର କଥା କହିଲେ ପରିବାର ପାଖରେ ଅଛି ୨୧ ଲକ୍ଷ ୧୫ ହଜାର ଟଙ୍କା ।

ସେହିପରି ବିଜେପି ପ୍ରାର୍ଥୀ ବିଜୟ ପ୍ରଧାନ ପେସାରେ କୃଷିକାମ କରୁଥିବା ସତ୍ୟପାଠରେ ଦର୍ଶାଇଛନ୍ତି । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ । ତାଙ୍କ ପାଖରେ ୨୫ ହଜାର ୧୫୬ ଟଙ୍କା, ପତ୍ନୀଙ୍କ ପାଖରେ ୨ ଲକ୍ଷ ୧୧ ହଜାର ୩୦୫ ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି । ସେହିପରି ସ୍ଥାବର ସମ୍ପତ୍ତି ତାଙ୍କ ନାଁରେ ୮ ଲକ୍ଷ ୨୨ ହଜାର ଟଙ୍କା, ପତ୍ନୀଙ୍କ ନାଁରେ ୧ ଲକ୍ଷ ୪୫ ହଜାର ଟଙ୍କା ରହିଛି । ଆର୍ଥିକ ସଂସ୍ଥାରୁ ଋଣ କରିଛନ୍ତି ୧ ଲକ୍ଷ ୧୨ ହଜାର ୬୯୨ ଟଙ୍କା । ପତ୍ନୀଙ୍କ ନାଁରେ ଋଣ ଗଡୁଛି ୫୨ ହଜାର ଟଙ୍କା । ପତ୍ନୀଙ୍କ ପାଖରେ ୨ ଲକ୍ଷ ୧୦ ହଜାର ଟଙ୍କାର ସୁନା ଅଳଙ୍କାର ଥିବା ଜଣାଯାଏ । କଳାରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରୁ ।

କଂଗ୍ରେସ ପ୍ରାର୍ଥୀ ଯୁବନେତା ବିଭ୍ରାଂଶୁ ଶେଖର ଲେଙ୍କା ବି ବିଜେଡ଼ି ପ୍ରାର୍ଥୀ ଅତନୁଙ୍କ ପରି କୋଟିପତି ବୋଲି ସେ ଦର୍ଶାଇଥିବା ହିସାବ ପତ୍ରରୁ ସୂଚନା ମିଳୁଛି । ତାଙ୍କ ପାଖରେ ୭୬ ଲକ୍ଷ ୭ ହଜାର ୧୪୧ ଟଙ୍କା, ପତ୍ନୀଙ୍କ ପାଖରେ ୬୦ ଲକ୍ଷ ୫୩ ହଜାର ୮୮୧ ଟଙ୍କାର ଅସ୍ଥାବର ସମ୍ପତ୍ତି, ନିଜ ନାଁରେ ୭୨ ଲକ୍ଷ ୮୬ ୧୫୯ ଟଙ୍କାର ସ୍ଥାବର ସମ୍ପତ୍ତି ଥିବା ତାଙ୍କର ସମ୍ପତି ତାଲିକା ତଥ୍ୟ କହୁଛି । ସେହିପରି ୭୨ ଲକ୍ଷ ୮୬ ହଜାର ୧୫୯ ଟଙ୍କା ଋଣଭାରରେ ଥିବା ଦର୍ଶାଇଛନ୍ତି । ବିଭ୍ରାଂଶୁ ନିଜକୁ ବ୍ୟବସାୟୀ ଦର୍ଶାଇଥିବାବେଳେ ପାଠପଢ଼ା କଳାରେ ସ୍ନାତକ । ଗାଡ଼ିକହିଲେ ତାଙ୍କ ପାଖରେ ୪ଟି ଟ୍ରକ୍‍ ସମେତ ମୋଟ ୫ଟି ଭାରୀଯାନ ଅଛି । ପତ୍ନୀଙ୍କ ପାଖରେ ୧୦୦ ଗ୍ରାମର ଗହଣା ରହିଛି ଯାହାର ଦାମ ୩ ଲକ୍ଷ ଟଙ୍କା ବୋଲି ସେ ଦର୍ଶାଇଛନ୍ତି । ତେବେ ଏ ୩ଜଣଙ୍କ ନାଁରେ କୌଣସି ମାମଲା ନାହିଁ ।

   ସମ୍ବନ୍ଧିତ ଖବର


ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ

ଜାନୁଆରୀ ପହିଲାରୁ ରାଜ୍ୟରେ ବିଜୁଳି ସଙ୍କଟ ! ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ ୪୬୦ ମେଗାୱାଟ୍‌ ବିଶିଷ୍ଟ ଥର୍ମାଲ୍‌ ପ୍ଲାଣ୍ଟ, ଅନିଶ୍ଚିତତାରେ ନୂତନ ପ୍ଲାଣ୍ଟ୍‌ ସ୍ଥାପନ

ଆଜିଠୁ କୋଣାର୍କ ଉତ୍ସବ, ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଜୀବିକା ନେଲା ଜୀବନ, ମାଛ ଧରିବାକୁ ଯାଇ ମୃତ୍ୟୁର ଜାଲରେ ଫସିଗଲେ ଯୁବକ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର