ଏଟିଏମ୍‌ରେ ଟଙ୍କା ଭରୁଥିବା ଭ୍ୟାନ୍‌ ଉପରେ ବୋମାମାଡ଼; ବାଇକ୍‌ରେ ଆସି ଲୁଟିନେଲେ ୯୪ ହଜାର ଟଙ୍କା

ଖୋର୍ଦ୍ଧା,୧୨ା୫(ଆପ୍ର): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଗୋବିନ୍ଦପୁର ରାସ୍ତାରେ ପଲସର୍‌ ଚାଳକ ଲୁଟେରାଙ୍କ ଆତଙ୍କ । ରବିବାର ଅପରାହ୍ନ ପ୍ରାୟ ୫ଟା ସମୟରେ ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ରେ ଟଙ୍କା ଭରୁଥିବା ଘରୋଇ କମ୍ପାନୀ ଭ୍ୟାନ୍‌ ଉପରେ ୭ ଜଣ ଲୁଟେରା ବୋମାମାଡ଼ କରିଛନ୍ତି । ସେମାନେ ବନ୍ଧୁକ ଦେଖାଇ ୯୪ ହଜାର ଟଙ୍କା ନେଇ ପଲସର୍‌ରେ ଫେରାର ହୋଇଯାଇଥିବା ଜଣାଯାଇଛି ।

ଘଟଣାରୁ ଜଣାଯାଇଛି, ଓଆର୦୨ ବିକ୍ୟୁ ୬୧୯୦ ନମ୍ବର ବିଶିଷ୍ଟ ଏକ ସିଏମ୍‌ଏସ ଭ୍ୟାନରେ ୪ ଜଣ କର୍ମଚାରୀ ବାଙ୍କୀ ଓ କଳାପଥର ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିଥିଲେ । ସେଠାରୁ ଫେରିବା ସମୟରେ ବେଗୁନିଆ ଗୋବିନ୍ଦପୁର ରାସ୍ତା ନିକଟରେ ୩ ପଲସର୍‌ ବାଇକ୍‌ରେ ୬/୭ ଜଣ ଲୁଟେରା ଆସି ଭ୍ୟାନ ଡ୍ରାଇଭରକୁ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସମେତ ସେମାନଙ୍କ ଉପକୁ ବୋମାମାଡ଼ କରିଥିଲେ । ଏଥିରେ ଡ୍ରାଇଭର ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବାଉଁଶଗଡ଼ର ସନ୍ତୋଷ ପ୍ରଧାନ(୩୦) ଗୁରୁତର ଆହତ ହୋଇଥିବା ବେଳେ ସୁରକ୍ଷାକର୍ମୀ ପ୍ରଭୁଦତ୍ତ ପଣ୍ଡା ସାମାନ୍ୟ ଆହତ ହୋଇଛନ୍ତି । ଅନ୍ୟ ଦୁଇ ଜଣ କର୍ମଚାରୀ ବାଙ୍କୀ ଅଞ୍ଚଳର ବିଜୟ ପ୍ରତିହାରୀ, ଅଜୟ ପରିଡ଼ା ଦୁବୃର୍ତ୍ତଙ୍କ ବୋମାମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଆହତ ସନ୍ତୋଷ ଏବଂ ପ୍ରଭୁଦତ୍ତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଲୁଟେରାମାନେ ବୋମାମାଡ଼ କରିବା ପରେ ଏଟିଏମ୍‌ରେ ଭର୍ତ୍ତି ପାଇଁ ରହିଥିବା ଅବଶିଷ୍ଟ ୯୪ ହଜାର ଟଙ୍କା ନେଇ ଚମ୍ପଟ ମାରିଥିବା ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

   ସମ୍ବନ୍ଧିତ ଖବର


ବିନ୍ଦୁସାଗରରେ ଡଙ୍ଗା ଭସା ମନା, କଟକଣା ଜାରି କଲା ବିଏମ୍‌ସି

ପୁଣି ୧୭ ଜୀବନ ନେଲା କରୋନା, ମୃତକଙ୍କ ସଂଖ୍ୟା ୧୭ଶହ ଟପିଲା

୨୪ଘଣ୍ଟା ଆଉ ୬୪୪ କରୋନା ପଜିଟିଭ ଚିହ୍ନଟ୍: ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୬ ହଜାର ୬୪୫କୁ ବୃଦ୍ଧି

ଆଜି ମହାପ୍ରଭୁଙ୍କ ବାମନ ବେଶ

ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା: ଓଡ଼ିଶାକୁ ଥରାଇଲା କୋହଲା ପାଗ

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା