ଆଜିଠାରୁ ଅଟ୍ରିରେ ମକର ମେଳା,ଛୁଆ ପାଇଁ ଗୁଆ ଖୋଜା

ଖୋର୍ଦ୍ଧା ୧୪/୦୧: ଖୋର୍ଦ୍ଧାଜିଲ୍ଲା ବେଗୁନିଆ ବ୍ଲକ ବାଘମାରୀ ଅଟ୍ରିସ୍ଥିତ ଏକାଦଶ ରୁଦ୍ର ବାବା ହଟ୍ଟକେଶ୍ୱର ଦେବଙ୍କ ପୀଠରେ ମକର ସଂକ୍ରାନ୍ତିଠାରୁ ଆବହମାନ କାଳରୁ ମକର ମେଳା ହୋଇଆସୁଛି । ଚଳିତ ବର୍ଷ କରୋନା ପାଇଁ ଏବେ ସବୁ ଫିକା ପଡିଛି । ଏବର୍ଷ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବାରୁ ଦୋକାନ, ବଜାର ଖୋଲା ହୋଇନାହିଁ । ଲୋକଙ୍କ ସମାଗମ ମଧ୍ୟ ହେବନାହିଁ ବୋଲି ପ୍ରଶାସନ ଆକଳନ କରିଛି। କେବଳ ପ୍ରଭୁଙ୍କ ରୀତିନୀତି ଅନୁଷ୍ଠିତ ହେବ। ମକର ସଂକ୍ରାନ୍ତିି ପୂର୍ବ ଦିନରୁ ଏଠାରେ ମାନସିକ ରଖିଥିବା ବନ୍ଧ୍ୟା ନାରୀମାନେ ପୂଜାଚ୍ଚର୍ନା କରି ବ୍ରତ ରଖିଥାନ୍ତି। ରାତି ୩ଟା ସମୟରେ ପ୍ରଭୁଙ୍କ ପହୁଡ଼ ଖୋଲା ହୋଇ ନୀତିକାନ୍ତି ପରେ ମହିଳାମାନେ ପାଦୁକ ପାଇ ମାନସିକ କୁଣ୍ଡରେ ଗୁଆ ଖୋଜିଥାନ୍ତି ।

ଏବର୍ଷ ମଧ୍ୟ ବହୁ ସଂଖାକ ମହିଳା ବୁଧବାର ରାତିରୁ ଆସି ମାନସିକ ରଖିଛନ୍ତି । ସକାଳ ପହୁଡ଼ ଖୋଲା ନୀତି ସରିବା ପରେ ସର୍ବସାଧାରଣଙ୍କ ଦର୍ଶନ। ମଧ୍ୟାହ୍ନରେ ଏକ ସୁସଜ୍ଜିତ ବିମାନରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଉଷ୍ଣପ୍ରସ୍ରବଣକୁ ଯାଇ ସେଠାର ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଫେରିବା ପରେ ପୁରୀ ରାଜାଙ୍କ ଦ୍ୱାରା ପ୍ରଚଳିତ ନିକଟସ୍ଥ ଜକରା ଗ୍ରାମରୁ ମକର ଚାଉଳ ଆସିବା ପରେ ପ୍ରଭୁଙ୍କ ପାଖରେ ଲାଗି ହେବ। ଶଙ୍ଖୁଡି ଭୋଗ, ପହୁଡ଼ ପଡ଼ିବା ପରେ ସଧ୍ୟାରେ ଆଳତି ଆଦି ପ୍ରଭୁଙ୍କ ରୀତିନୀତି ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ୫ବର୍ଷ ହେବ ଆରମ୍ଭ ହୋଇଥିବା ମକର ମହୋତ୍ସବ ଏବର୍ଷ କରୋନା ପାଇଁ କାଣ୍ଟଛାଣ୍ଟ କରାଯାଇଛି। କିଛି ଘଣ୍ଟାରେ କାର୍ଯ୍ୟକ୍ରମକୁ ଶେଷ କରାଯିବ ବୋଲି କୁହାଯାଇଛି। ବାଘମାରୀ ପୁଲିସ ପକ୍ଷରୁ ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।