ଓଲଟିଲା ଅଟୋ; ୩ ଛାତ୍ରଛାତ୍ରୀଙ୍କ ସମେତ ଡ୍ରାଇଭର ଆହତ

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ବରଗଡ଼ ଥାନା ଅଧୀନ ଟଙ୍କପାଣି ରୋଡ଼ରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ୩ ଜଣ ଶିଶୁ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନେ ହେଲେ, ଦ୍ୱିତୀୟ ଶ୍ରେଣୀର ବିଷ୍ଣୁୁପ୍ରିୟା ବେହେରା(୫), ପ୍ରଥମ ଶ୍ରେଣୀର ସୁଜିତ୍‌ ବେହେରା(୪) ଓ ପାୟଲ ବେହେରା(୪) । ଆହତ ସ୍କୁଲ ପିଲାମାନେ ରବିଟକିଜ୍‌ ଛକ ନିକଟ ଚିଲ୍ଲିପୋଖରୀସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପଢ଼ୁଛନ୍ତି ।

ପୁଲିସ ସୂଚନା ମୁତାବକ, ଶିବନଗର ଅଞ୍ଚଳର ମଣ୍ଟୁ ବେହେରା ଜଣେ ଅଟୋ ଡ୍ରାଇଭର । ସେ ତାଙ୍କ ପୁଅ ସୁଜିତ୍‌ ଓ ଝିଅ ବିଷ୍ଣୁପ୍ରିୟାକୁ ଅଟୋରେ ସ୍କୁଲ ନେବା ଆଣିବା କରନ୍ତି । ଆଜି ପୂର୍ବାହ୍ନ ୧୧ଟା ବେଳେ ସ୍କୁଲରୁ ଛାତ୍ରଛାତ୍ରୀଙ୍କୁ ଅଟୋରେ ବସାଇ ଘରକୁ ଛାଡ଼ିବାକୁ ଯାଉଥିଲେ । ବିଷ୍ଣୁପ୍ରିୟା, ସୁଜିତ୍‌ ଓ ପାୟଲଙ୍କ ସହିତ ଅନ୍ୟ ୩ଜଣ ଅଟୋରେ ଆରୋହୀ ଥିଲେ । ଦୁର୍ଘଟଣା ପୂର୍ବରୁ ମଣ୍ଟୁ ଅନ୍ୟ ୩ଜଣଙ୍କୁ ସେମାନଙ୍କ ଘର ସାମ୍ନାରେ ଅଟୋରୁ ଓହ୍ଲାଇଥିଲେ ।

ପରେ ବାକି ୩ଜଣ ପିଲାଙ୍କୁ ସହିତ ମଣ୍ଟୁ ଘର ଅଭିମୁଖେ ଅଟୋ ନେଉଥିଲେ । ବ୍ରହ୍ମେଶ୍ୱର ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଅଟୋ ରାସ୍ତା ଉପରେ ଓଲଟି ପଡିଥିଲା । ମଣ୍ଟୁଙ୍କ ସମେତ ଛାତ୍ରଛାତ୍ରୀମାନେ ଅଟୋରେ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଦେଖିବାକୁ ହସ୍ପିଟାଲ ଯାଇଥିଲେ । ସେଠାରେ ଚିକିତ୍ସିତ ହୋଇ ସମସ୍ତେ ଘରକୁ ଫେରିଥିଲେ ।

ସେପଟେ ଦୁର୍ଘଟଣାସ୍ଥଳରୁ ଜଣେ ବ୍ୟକ୍ତି ବରଗଡ଼ ଥାନାକୁ ଫୋନ୍‌ ଯୋଗେ ଜଣାଇଥିଲେ । କିନ୍ତୁ ଖବର ପାଇ ବି ବରଗଡ଼ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ନଥିଲା । ଏନେଇ ପୁଲିସକୁ ପଚରାଯିବାରୁ ଦୁର୍ଘଟଣା ନେଇ କୌଣସି ଖବର ମିଳିନଥିବା ଉତ୍ତର ଦେଇଛି । ଅଟୋ ଡ୍ରାଇଭର ମଣ୍ଟୁ କହିଛନ୍ତି, ହଠାତ୍‌ ଅଟୋର ହ୍ୟାଣ୍ଡେଲ ଜାମ୍‌ ହୋଇଗଲା । ସେ କିଛି କରିବା ପୂର୍ବରୁ ଅଟୋ ପଲଟି ଗଲା । ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି, ଛାତ୍ରଛାତ୍ରୀ ମାନଙ୍କୁ ନବାଆଣିବା ପାଇଁ ସ୍କୁଲ ପକ୍ଷରୁ କୌଣସି ଗାଡ଼ିମୋଟର ବ୍ୟବସ୍ଥା ନାହିଁ । ଅଭିଭାବକମାନେ ନିଜ ଦାୟିତ୍ୱରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ଛାଡ଼ି ପାଠପଢ଼ା ପରେ ଘରକୁ ନେଉଛନ୍ତି ।

   ସମ୍ବନ୍ଧିତ ଖବର


ବାଇକ୍ ଆ​ରୋହୀ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ, ଯୁବକ ମୃତ

୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ

ସୁନା ବନ୍ଧକ ନାଁରେ ଠକେଇ: ୨ ସୁନା ଦୋକାନୀ ଓ ଜଣେ ଠକ ଗିରଫ

ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଏଥର ସିଲଭର୍ ସିଟିରେ ଅଲୋଡା ପଡ଼ିବ ଚେଚିସ୍ ‌! ଟ୍ରଲି, ଡାଲା ଅଟୋରେ ମା’ଙ୍କୁ ଦିଆଯିବ ମେଲାଣି