କକ୍ସ ଆଣ୍ଡ କିଙ୍ଗ୍‌ସ ଲିମିଟେଡ୍‌ ବିରୋଧରେ ୧୨ଶହ କୋଟିର ବ୍ୟାଙ୍କ ଠକେଇ ଅଭିଯୋଗ: ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ତଦନ୍ତ ଜାରି

ମୁମ୍ବାଇ ୧୦/୦୮: କକ୍ସ ଆଣ୍ଡ କିଙ୍ଗ୍‌ସ ଲିମିଟେଡ୍‌ ବିରୋଧରେ ଆସିଛି ୧,୨୦୪ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗ । କୋଟାକ ମହିନ୍ଦ୍ରା ଓ ଏକ୍ସିସ୍‌ ବ୍ୟାଙ୍କ ଏହି ଟ୍ରାଭେଲ୍‌ କମ୍ପାନି ବିରୋଧରେ ୨ଟି ପୃଥକ୍‌ ଠକେଇ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଅପରପକ୍ଷରେ କକ୍ସ ଆଣ୍ଡ କିଙ୍ଗ୍‌ସର ନିର୍ଦ୍ଦେଶକ ତଥା ଗ୍ରୁପ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ପିଟର କେରକର୍‌ ଏହାକୁ ଏକ ନିୟମିତ ଯାଞ୍ଚ ବୋଲି ଅଭିହିତ କରିଛନ୍ତି । ପୂର୍ବରୁ କକ୍ସ ଆଣ୍ଡ କିଙ୍ଗ୍‌ସ ବିରୋଧରେ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ୨୩୯ କୋଟି ଟଙ୍କାର ଋଣ ଖିଲାପ ଅଭିଯୋଗ ଆଣିଥିଲା । ଏହି ଅଭିଯୋଗ ଆଧାରରେ କମ୍ପାନି ବିରୋଧରେ ପ୍ରାଥମିକ ତଦନ୍ତ ଚାଲିଛି । ଏବେ କୋଟାକ ମହିନ୍ଦ୍ରା ବ୍ୟାଙ୍କ କହିଛି ଯେ ୨୦୧୨ ପରଠାରୁ ଏହା କକ୍ସ ଆଣ୍ଡ କିଙ୍ଗ୍‌ସକୁ ଋଣ ସହାୟତା ଯୋଗାଇ ଆସୁଥିଲା ।

୨୦୧୯ ଜୁନ୍‌ ୨୪ ସୁଦ୍ଧା କମ୍ପାନି ଉପରେ ୧୭୪.୩ କୋଟି ଟଙ୍କା ବକେୟା ରହିଛି । ଅଭିଯୋଗ ମୁତାବକ, ଏହି ଟ୍ରାଭେଲ୍‌ କମ୍ପାନି ନିଜର ସହଯୋଗୀ ସଂସ୍ଥା ଓ ଅଫ୍‌ସୋର୍‌ କମ୍ପାନି ଜରିଆରେ ଅନେକ ଆର୍ଥିକ କାରବାର କରିଛି ଏବଂ ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ ଓ ସର୍ବସାଧାରଣ ନିବେଶକଙ୍କର ବହୁ ଅର୍ଥ ହଡ଼ପ କରିଛି । କକ୍ସ ଆଣ୍ଡ କିଙ୍ଗ୍‌ସ ଋଣ ପରିଶୋଧରେ ଖିଲାପ କରିବା ପରେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏହାର ଯାଞ୍ଚ ପାଇଁ ପ୍ରାଇସ୍‌ୱାଟରହାଉସ୍‌କୁ ଫରେନ୍ସିକ୍‌ ଅଡିଟ୍‌ ଭାବେ ନିଯୁକ୍ତ କରିଛି । ପ୍ରାଇସ୍‌ୱାଟରହାଉସ୍‌ ଦେଇଥିବା ୨ଟି ଚିଠା ରିପୋର୍ଟରେ ଟ୍ରାଭେଲ୍‌ କମ୍ପାନିର ଅଧିକାରୀଙ୍କ ଦ୍ୱାରା ଅର୍ଥ ହେରଫେର ହୋଇଥିବା ସ୍ପଷ୍ଟ ହୋଇଛି ।

ପୁଲିସ୍‌ ସୂଚନା ମୁତାବକ, ପ୍ରଥମ ଚିଠା ରିପୋର୍ଟରେ ଦର୍ଶାଯାଇଛି ଯେ ୧୫ଟି ପାର୍ଟି ଜରିଆରେ ୪୪୯ କୋଟି ଟଙ୍କା ଗ୍ରହଣ ହୋଇଛି । ଏହି ସମସ୍ତ ପାର୍ଟିର ଗୋଟିଏ ଠିକଣା ରହିଥିବା ବେଳେ ଏସବୁକୁ କକ୍ସ ଆଣ୍ଡ କିଙ୍ଗ୍‌ସର ସିଷ୍ଟମରୁ ଗୋଟିଏ ଦିନରେ ହିଁ ତିଆରି କରାଯାଇଛି । ସେହିଭଳି ଉକ୍ତ ଠିକଣାରେ କୌଣସି ପାର୍ଟି ନ ଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ଏକ୍ସିସ୍‌ ବ୍ୟାଙ୍କ ନିଜ ଅଭିଯୋଗରେ କହିଛି, କକ୍ସ ଆଣ୍ଡ କିଙ୍ଗ୍‌ସର କେତେକ ବରିଷ୍ଠ ଅଧିକାରୀ ଓ ସହଯୋଗୀ ସଂସ୍ଥା ବ୍ୟାଙ୍କ ନିକଟରୁ ୧,୦୩୦ କୋଟି ଟଙ୍କାର ଋଣ ନେଇଛନ୍ତି ଏବଂ ଏହାକୁ ପରିଶୋଧ କରୁନାହାନ୍ତି । ଉଭୟ ମାମଲାରେ ବର୍ତ୍ତମାନ ସୁଦ୍ଧା ଏଫ୍‌ଆଇଆର୍‌ ପଞ୍ଜୀକୃତ ହୋଇନାହିଁ ।

   ସମ୍ବନ୍ଧିତ ଖବର


ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କୁ ସଫଳତା ପରେ ବିଏମସି ମେୟର ଦେଲେ ବିବାଦୀୟ ମନ୍ତବ୍ୟ, କହିଲେ ଅଭିନେତ୍ରୀ “ଦୁଇ ଟଙ୍କାର ଲୋକ”…

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ଗୋଟିଏ ଥର ବ୍ଲଡ ଟେଷ୍ଟରୁ ଚିହ୍ନଟ ହୋଇପାରିବ ୫୦ ପ୍ରକାର କ୍ୟାନ୍ସର, ଇଂଲଣ୍ଡ ବୈଜ୍ଞାନିକଙ୍କ ଦାବି