ଆତ୍ମହତ୍ୟା ପୂର୍ବରୁ ଆୟେଶାଙ୍କ ଶେଷ ଚିଠି … ଲେଖି ଥିଲେ ଦୁଃଖଦ ହୃଦୟର ଗୋପନ କଥା

ଅହମ୍ମଦାବାଦ : ଅହମ୍ମଦାବାଦର ୨୩ ବର୍ଷିୟା ଆୟେଶାଙ୍କୁ ନେଇ ଅନେକ ନୂଆ ନୂଆ ଫର୍ଦ୍ଦ ଯୋଡ଼ି ହେଉଛି । ଏହି ଭିତରେ ଆୟେଶାଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କର ପିତା ଓ ତାଙ୍କର ଓକିଲ୍ କୋର୍ଟରେ ସେହି ଚିଠି ଉପସ୍ଥାପନ କରିଛନ୍ତି , ଯାହାକୁ ଆତ୍ମହତ୍ୟା ପୂର୍ବରୁ ଆୟେଶା ନିଜର ପତିଙ୍କ ନାମରେ ଲେଖି ଥିଲେ। ଏଥିରେ ଆୟେଶା ନିଜ ସହ ଘଟି ଯାଇଥିବା ପୂରା ଘଟଣାକୁ ବର୍ଣ୍ଣନା କରିଥିଲେ।
ପ୍ରକୃତ କଥା ହେଲା, ଗତ ଦିନରେ ଅହମ୍ମଦାବାଦର ସାବରମତୀ ନଦୀକୁ ଡ଼େଇ ଆତ୍ମହତ୍ୟା କରିଥିବା ଆୟେଶାଙ୍କ ଭିଡ଼ିଓ ଭାଇରାଲ ହେବା ପରେ ସାରା ଦେଶରେ ଏହି ମାମଲାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। ଲୋକେ ସୋସିଆଲ ମିଡ଼ିଆ ମାଧ୍ୟମରେ ଆୟେଶାଙ୍କ ପାଇଁ ନ୍ୟାୟ ଦାବି କରିଥିଲେ। ଏହାପରେ ପୁଲିସ୍ ପଦକ୍ଷେପ ନେବା ଆରମ୍ଭ କରିଦେଇଥିଲା। ଏହି ମାମଲାରେ ଅଭିଯୋଗ ମୁତାବକ ପୁଲିସ୍ ରାଜସ୍ଥାନର ପାଲିରୁ ଆୟେଶାଙ୍କର ସ୍ୱାମୀ ଆରିଫ୍ଙ୍କୁ ଗିରଫ କରିଥିଲା।
ଏହି ଭିତରେ ଶନିବାର ଦିନ ଆତ୍ମହତ୍ୟା ମାମଲାରେ ଯେବେ ଆରିଫ୍ଙ୍କର ରିମାଣ୍ଡ ଶେଷ ହେବା ପରେ ତାଙ୍କୁ କୋର୍ଟକୁ ନିଆଗଲା , ସେତେବେଳେ ଆୟେଶାଙ୍କ ପିତାଙ୍କର ଓକିଲ୍ ଜଫର ପଠାନ କୋର୍ଟରେ ଆୟେଶାଙ୍କ ଦ୍ୱାରା ଲେଖାଯାଇଥିବା ଏକ ଚିଠି ଉପସ୍ଥାପନ କଲେ । ଏହି ଚିଠି ଆୟେଶା , ଆରିଫ୍ଙ୍କ ପାଖକୁ ଲେଖିଥିଲେ , ଯେଉଁଥିରେ ଲେଖିଥିଲେ ତୁମେ ନିଜର ଖରାପ କାମକୁ ଲୁଚାଇବା ପାଇଁ ମୋ ନାମକୁ ଆସିଫ୍ ସହ ଯୋଡ଼ି ଦେଲ, ହେଲେ ଆସିଫ୍ ମୋର ଭଲ ବନ୍ଧୁ ଓ ମୋର ଜଣେ ଭଲ ଭାଇ ।
ଚିଠିରେ ଆୟେଶା, ଆରିଫ୍ ଦ୍ୱାରା ନିଜ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ ମଧ୍ୟ ଲେଖିଥିଲେ । ଆୟେଶା ଲେଖିଥିଲେ କି ତୁମେ ମୋତେ ୪ଦିନ ପାଇଁ ବନ୍ଦ କରିଦେଇଥିଲ , ନା ଖାଇବାକୁ ଦେଇଥିଲ ନା ପାଣି ପିଇବାକୁ ଦେଇଥିଲ । ମୁଁ ଏହି ସମୟରେ ଗର୍ଭବତୀ ଥିଲି । ସେତେବେଳେ ମୋତେ ତୁମେ ସାହାଯ୍ୟ କରିବାକୁ ଆସିନଥିଲ ଏବଂ ଯେତେବେଳେ ଆସିଲ ମତେ ବହୁତ ମାଡ଼ ମାରିଥିଲ , ଯେଉଁଥି ପାଇଁ ମୋର ଛୋଟ ଛୁଆ ମରିଗଲା , ମୁଁ ଏବେ ତା ପାଖକୁ ଯାଉଛି ।
ଏହି ଚିଠିରେ ଆୟେଶା ଆଗକୁ ଲେଖିଥିଲେ ମୁଁ କେବେ ତୁମକୁ ଧୋକା ଦେଇନାହିଁ , ତୁମେ ହସଖେଳରେ ଦୁଇଟି ଜୀବନକୁ ଶେଷ କରିଦେଲ । ଆଇ ଲଭ୍ ୟୁ କୁକୁ, ମୁଁ ଭୁଲ୍ ନଥିଲି, କେବଳ ତୁମର ସ୍ୱଭାବ ହିଁ ଭୁଲ୍ ଥିଲା । ତୁମର ଆଖିକୁ ମୁଁ ବେଶୀ ଭଲ ପାଉଥିଲି , ଏହାର କାରଣ ମୁଁ ଆର ଜନମରେ କହିପାରିବି ।
ଏତିକି ଲେଖିସାରି ଶେଷରେ ଆୟେଶା ଲେଖିଥିଲେ , ଆଇ ଲଭ୍ ୟୁ…ୟୋର ୱାଇଫ୍ ଆୟେଶା ଆରିଫ୍ ।