PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ସାରଥି ସହଯୋଗୀଙ୍କ ସମ୍ପତ୍ତି ଉପରେ ଝୁଲିଲା ‘ଇଡି’ ନୋଟିସ୍‌,୩ ପ୍ଲଟ୍‌ରେ ଚଳାଚଳ, ବିକ୍ରି ଉପରେ କଟକଣା

କେନ୍ଦ୍ରାପଡା ୧୪/୧୨: ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ ଜାମିନ୍‌ରେ ମୁକୁଳିବା ପରେ ଏବେ ଅଜ୍ଞାତ ସ୍ଥାନରେ ରହୁଛନ୍ତି । ଏଯାଏ ସେ କେଉଁଠାରେ ରହୁଛନ୍ତି ତାହା ପ୍ରଶ୍ନବାଚୀ ହୋଇ ଝୁଲୁଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବାରିମୂଳ ସାରଥି ଆଶ୍ରମର ଜମିକୁ ଇତିମଧ୍ୟରେ ନିଜ ଦଖଲକୁ ନେଇସାରିଛି । ଏବେ ଆଶ୍ରମ ପରିଚାଳନା କଥା ବୁଝାବୁଝି କରୁଥିବା ସତ୍ୟମ୍‌ ଚାରିଟେବୁଲ୍‌ ଟ୍ରଷ୍ଟର ସମ୍ପତ୍ତି, ଟ୍ରଷ୍ଟ ସହ ଜଡ଼ିତ ସାରଥିଙ୍କ କିଛି ସହଯୋଗୀଙ୍କ ସମ୍ପତ୍ତି ଓ ଟ୍ରଷ୍ଟରୁ ଉପାର୍ଜିତ ଅର୍ଥରେ କିଣା ସମ୍ପତ୍ତିକୁ ନିଜ ଦଖଲକୁ ନେଇଛି ଇଡି ।

ନାଗେଶ୍ୱରପୁରର ସୁରେନ୍ଦ୍ର ମଲିକ, କଟକ ଲାଲ୍‌ବାଗ ଥାନା ଅଞ୍ଚଳର ରବୀନ୍ଦ୍ର କୁମାର ପଟ୍ଟନାୟକ, ବାରିମୂଳର ସରୋଜ ରାଉତଙ୍କ ମାଲିକାନାରେ ଥିବା ୩ଟି ଜମି (ପ୍ଲଟ)କୁ ଇଡି ଏ ଭିତରେ ଦଖଲକୁ ନେଇଛି । ସୁରେନ୍ଦ୍ରଙ୍କ ଜମି ନାଗେଶ୍ୱରପୁରରେ. ରବିନ୍ଦ୍ର ଓ ସରୋଜଙ୍କ ଜମି କଟକ-ଚାନ୍ଦବାଲି ରାସ୍ତା ନିକଟରେ ରହିଛି । ସେଠାରେ ଇଡିର ଟିମ୍‍ ପହଞ୍ଚି ନୋଟିସ୍‌ ବୋର୍ଡ ଝୁଲାଇଛନ୍ତି । ଆଜି ଇଡି ଅଧିକାରୀ ବିଜୟ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‍ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଡେରାବିଶ ବ୍ଲକ୍‍ ଅଧୀନ ବାରିମୂଳର ନାଗେଶ୍ୱରପୁର, କେନ୍ଦ୍ରାପଡ଼ା ବ୍ଲକ୍‍ ଗରାପୁର ମୌଜାରେ ଥିବା ୩ଟି ପ୍ଲଟରେ ଦଖଲ ନୋଟିସ୍‍ ଝୁଲାଇଛନ୍ତି । ଏ ସମସ୍ତ ପ୍ଲଟ୍‌ରେ ଇଡି ଜାରି କରିଛି କଟକଣା । ଉକ୍ତ ଜମିରେ କୌଣସି ଅନଧିକାର ପ୍ରବେଶ ହୋଇପାରିବନି ।

୫ ମାସ ଆଗରୁ ଇଡି ଟିମ୍‍ ବାରିମୂଳସ୍ଥିତ ସାରଥି ଆଶ୍ରମରେ ପହଞ୍ଚି ନୋଟିସ୍‌ ବୋର୍ଡ ଝୁଲାଇଥିଲା । ସାରଥି ଆଶ୍ରମ ଓ ତାହାର ଆଖପାଖ ୨୬ଟି ପ୍ଲଟରେ ଇଡି ଜାରି କରିଥିଲା କଟକଣା । ଆଶ୍ରମ ଓ ତା’ ପାଖକୁ ଲାଗିଥିବା ପ୍ଲଟ୍‍ ବିକ୍ରି ହୋଇପାରିବନି । ଉକ୍ତ ବିବାଦୀୟ ଜମିର ଖରିଦ୍‌ ବିକ୍ରି ହୋଇପାରିବନି ବୋଲି ସ୍ପଷ୍ଟ ହୋଇଥିଲା ଏଥିରେ । ତେବେ ଇଡି ସର୍ବସାଧାରଣଙ୍କ ପ୍ରବେଶ ନେଇ ନୋଟିସ୍‍ ଜାରି କରି ନିଜେ ଅଡୁଆରେ ଛନ୍ଦି ହୋଇଛି । କାରଣ ଆଶ୍ରମର ଅନ୍ଦର ମହଲରେ ସାରଥିଙ୍କ ମା’, ତାଙ୍କର ଦୁଇ ସେବାକାରୀ ସାରଥି ଗିରଫ ହେବା ପରଠାରୁ ରହି ଆସୁଛନ୍ତି ।

ବିଭିନ୍ନ ସମୟରେ ସାରଥିଙ୍କ ସମ୍ପର୍କୀୟ, ଅନୁଗତମାନେ ପଛ ପାଖ ଫାଟକ ଦେଇ ଆଶ୍ରମକୁ ଚଳାଚଳ କରୁଥିବା ଅଭିଯୋଗ ହୁଏ । ଏଠାକୁ ଗତାଗତ ନିଷିଦ୍ଧ ବୋଲି ନୋଟିସରେ ସୂଚାଇ ଦିଆଯାଇଥିବା ବେଳେ ଆଶ୍ରମ ଭିତରେ ସାରଥିଙ୍କ ମା’, ସେବାକାରୀ କେମିତି ରହିପାରିବେ ବୋଲି ଆଗରୁ ପ୍ରଶ୍ନ ଉଠିଛି । ସାରଥିଙ୍କ ପୈତୃକ ସମ୍ପତ୍ତି, ଘର ରହିଛି ଆଶ୍ରମ ନିକଟରେ । ବାରିମୂଳରେ ତାଙ୍କର ସମ୍ପର୍କୀୟ ମାନେ ବି ରହିଆସୁଛନ୍ତି ଦୀର୍ଘବର୍ଷ ଧରି । କୌଣସି ପରିବାର ସଦସ୍ୟ, ଆତ୍ମୀୟଙ୍କ ହେପାଜତ ବିନା ସାରଥିଙ୍କ ବୃଦ୍ଧା ମା’, ସେବାକାରୀଙ୍କୁ ଆଶ୍ରମ ଭିତରେ ରହିବାକୁ ଛାଡ଼ି ଦିଆଯାଇଛି କାହିଁକି ତାହା ଏବେ ବଡ଼ ପ୍ରଶ୍ନ ।

୨୦୧୫ ଅଗଷ୍ଟ ୮ ତାରିଖରେ ସାରଥି ଓରଫ ସନ୍ତୋଷ ବାରିମୂଳ ଆଶ୍ରମ ପରିସରରୁ ଗିରଫ ହେବା ପରେ ସାରଥିଙ୍କ ଅଚଳାଚଳ ସମ୍ପତ୍ତି ଉପରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏଯାଏ ତଦନ୍ତ ଚଳାଇ ଆସୁଛି । ପୁଣି ସାରଥି ଏତେ ସବୁ ସମ୍ପତ୍ତିର ମାଲିକ କେମିତି ବନିପାରିଲେ ତାହା ଇଡିର ତଦନ୍ତ ପରିସରଭୁକ୍ତ ରହିଛି । ସାରଥି ଜାମିନରେ ମୁକୁଳିବା ପରେ ତାଙ୍କ ଭକ୍ତମାନେ ଆଶ୍ରମରେ ପହଞ୍ଚି ଗହଳି ଜମାଇବା ଆଶଙ୍କା କରି ଇଡି ତରବରିଆ ଭାବେ ୫ ମାସ ତଳେ ନୋଟିସ୍‌ ବୋର୍ଡ ଝୁଲାଇଥିଲା । ପୂର୍ବରୁ ଇଡି ସାରଥିଙ୍କର ପ୍ରାୟ ୧୧ କୋଟି ୪୦ ଲକ୍ଷ ଟଙ୍କାର ସମ୍ପତ୍ତି ନିଜ ଦଖଲକୁ ନେଇଛି । ଏଥିରେ ବାରିମୂଳଠାରେ ଥିବା ଆଶ୍ରମ, ଭୁବନେଶ୍ୱରରେ ଥିବା ଦୁଇଟି ସୁରମ୍ୟ ଅଟ୍ଟାଳିକା ରହିଛି। ସେଥିରେ ପୁଣି ୨ କୋଟି ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଛି ।