ଆଜି ବଡ଼ଓଷା: ଧବଳେଶ୍ୱର ପୀଠରେ ଲାଗି ହେବ ଧଳା ଗଜ ମଣ୍ଡା, ଅଟକାଳି ଭୋଗ

ଚୌଦ୍ୱାର ୨୮/୧୧: ଆଜି ତ୍ରୟୋଦଶୀ ତିଥିରେ ଧବଳେଶ୍ୱରଙ୍କ ପୀଠରେ ପ୍ରଭୁଙ୍କ ବଡ଼ଓଷା ପାଳିତ ହେଉଛି । ବାବା ବଡ଼ସିଂହାର ଓ ପରେ ନାଗା ବେଶ ଧାରାଣ କରିଛନ୍ତି । ରାତି ୧୨ଟାରେ ବଡ଼ଓଷା ନୀତି ଆରମ୍ଭ କରାଯାଇ ରାତି ୨ରୁ ୪ଟା ମଧ୍ୟରେ ଗଜ ଭୋଗ ଅର୍ପଣ କରାଯିବ ।

ଖୀଷ୍ଟ୍ରୀୟ ନବମ କିମ୍ବା ଦଶମ ଶତାଦ୍ଦୀରେ ବଡ଼ଓଷା ଆରମ୍ଭ ହୋଇଥିବା ଅନୁମାନ କରାଯାଏ । ଏହି ଓଷାରେ ବାବା ଧବଳେଶ୍ୱରଙ୍କ ନିକଟରେ ଧଳାମଣ୍ଡା, ଧଳା ଅଟକାଳି ଭୋଗ ଲାଗି କରାଯାଏ । ଭକ୍ତମାନେ ମାନସିକ କରି ନିଜ ପିଲାମାନଙ୍କର କଲ୍ୟାଣ କାମନା କରି ଗଜ ମଣ୍ଡା ଭୋଗ କରିଥାନ୍ତି ।ଧଳା ଗାଈର କ୍ଷୀରରେ ଅଟକାଳି ତିଆରି ହୋଇଥାଏ। ଧବଳେଶ୍ୱରଙ୍କ ନିକଟରେ ଧଳା ଫୁଲ, ଧବଳ ପିଷ୍ଟକ, ଧବଳ ଅଟକାଳି ଲାଗି କରାଯାଇଥାଏ । ଶନିବାର ମଧ୍ୟ ରାତିରେ ଲାଗିହେବ ବାବାଙ୍କ ପ୍ରିୟ ଗଜ ଭୋଗ ।

ଚଳିତ ବର୍ଷ କରୋନା କଟକଣା ଭିତରେ ପୀଠରେ ବଡ଼ଓଷା ହେବ । ବିନା ଭକ୍ତରେ ପ୍ରଭୁଙ୍କ ନିକଟରେ ଗଜ ଭୋଗ ଅର୍ପଣ ହେବ । କାର୍ତ୍ତିକ ମାସ ଶୁକ୍ଳ ତ୍ରୟୋଦଶୀ ତିଥିରେ ଏହି ଓଷା ପାଳନ ପାଇଁ ଏକ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ପୂଜକ ପରିବାର ଗୃହକୁ ଶୁଦ୍ଧପୂତ କରିବା ପରେ ଗଜ ଭୋଗ ତିଆରି କରାଯାଇଥାଏ । ଗଜ ଭୋଗ ପାଇଁ କଳାମୁଗ ଘରକୁ ଆସିବା ଦିନଠାରୁ ଧବଳେଶ୍ୱରଙ୍କୁ ଉତ୍ସର୍ଗ କରାଯାଇଥାଏ । ମୁଗ ଶୁଖାଇବା ସ୍ଥାନଠାରୁ ଆରମ୍ଭ କର ଭାଜିବା ଯାଏ ନିତୀ ନିୟମରେ କରାଯାଇଥାଏ ।

ନୂଆ ବସ୍ତ୍ର ପରିଧାନ କରି ଶୁଖାଇବା ସ୍ଥାନକୁ ଗୋବରରେ ଲିପା ଯାଇଥାଏ । ପୂଜକ ପରିବାରର ମୁଖ୍ୟ ଚତୁର୍ଦ୍ଦଶୀ ତିଥିରେ ସଂକଳ୍ପ କରିଥାନ୍ତି । ଗଜ ଭୋଗ ପ୍ରସ୍ତୁତି ପାଇଁ ଆବଶ୍ୟକ ଅରୁଆ ଚାଉଳ, ମୁଗ, ବୁଟ, ନଡ଼ିଆ,ଛେନା ସଂଗ୍ରହ କରାଯାଇଥାଏ । ଦ୍ୱାଦଶୀ ତିଥିରେ ପୂଜକ ପରିବାର ପକ୍ଷରୁ ଚୂନା କୁଟା ଆରମ୍ଭ କରାଯାଏ । ତ୍ରୟୋଦଶୀ ଦିନ ସକାଳୁ ଘରଦ୍ୱାର ଧୋଇ ପରେ ଗୋବର ପାଣି ପକାଯାଇଥାଏ । ପୂଜାର୍ଚ୍ଚନା ପରେ ଚୂଲିରେ ହଣ୍ଡା ବସିଥାଏ । ହଣ୍ଡାରେ ନୂଆ ଧୋତି ବନ୍ଧା ଯାଇ ତା’ ଉପରେ ଚୂନାକୁ ସିଝା ଯାଇଥାଏ । ତା’ପରେ ପ୍ରସ୍ତୁତ ହୋଇଥାଏ ଗଜ ଭୋଗ । ତେବେ କରୋନା କଟକଣା ସତ୍ତେ୍ୱ ଶ୍ରଦ୍ଧାଳୁମାନେ ଧବଳେଶ୍ୱରଙ୍କ ନାମକୁ ସ୍ମରଣକରି ଗଜ ଭୋଗ ଅର୍ପଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।