ବଲାଙ୍ଗୀର:ଜମି ବଢିନି ଚାଷୀ ବଢିଗଲେ- କୃଷି ବିଭାଗ କହିଲା ଲକ୍‌ଡାଉନ୍ ଯୋଗୁଁ ରାଜ୍ୟ ବାହାରୁ ଫେରି ଆସିଛନ୍ତି ଚାଷୀ

ବଲାଙ୍ଗିର,: ଚଳିତ ଖରିଫ ସମୟରେ ଏକାଧିକ ଥର ଲଘୁଚାପଜନିତ ଅଦିନିଆ ବର୍ଷା ହୋଇଥିଲା । ମଝିରେ କିଛିଦିନ ପାଇଁ ପାଗ ଶୁଖିଲା ରହିଥିଲା । ଫଳରେ ପାଣିପାଗ ଅନୁକୂଳ ଯୋଗୁଁ ଏଥର ଫସଲ ଅମଳ ଭଲ ହୋଇଛି । ମାତ୍ର ଫସଲ ଯେତିକି ଭଲ ହୋଇଛି, ତଦନୁସାରେ ବଲାଙ୍ଗିର ଜିଲ୍ଲାରେ ଚାଷୀଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବରେ ବୃଦ୍ଧି ପାଇଛି । ଧାନ ବିକ୍ରି ପୂର୍ବରୁ ହୋଇଥିବା ଚାଷୀ ପଞ୍ଜିକରଣ ତଥ୍ୟ ଅନୁସାରେ, ଗତ ବର୍ଷ ତୁଳନାରେ ଏବର୍ଷ ୧୭ହଜାର ୮୯୪ଜଣ ଅଧିକ ଚାଷୀ ସେମାନଙ୍କ ନାମ ପଞ୍ଜିକରଣ କରାଇଛନ୍ତି ।

ସରକାରଙ୍କ ମଣ୍ଡି ଜରିଆରେ ଧାନ ବିକ୍ରି କରିବେ ବୋଲି ସେମାନେ ଟୋକନ ମଧ୍ୟ ପାଇଛନ୍ତି । ଜିଲ୍ଲାରେ ଚାଷ ଜମିର ପରିମାଣ ବଢ଼ିନାହିଁ । ଜମି ଯେତିକି ଥିଲା ସେତିକି ରହିଛି । ତେବେ ଗୋଟିଏ ବର୍ଷ ଭିତରେ ପ୍ରାୟ ୧୮ହଜାର ଚାଷୀ ବଢ଼ିଲେ କିପରି? ଜଳସେଚନ ସୁବିଧା ନଥିବା ବଲାଙ୍ଗିରଭଳି ଏକ ଶୁଷ୍କ ଜିଲ୍ଲାରେ ଏତେ ସଂଖ୍ୟକ ଚାଷୀ ଆସିଲେ କେଉଁଠୁ? ଏହାର ଉତ୍ତର କାହାପାଖରେ ନାହିଁ । କୃଷି ବିଭାଗ ଏହାକୁ ଅତି ହାଲୁକା ଭାବରେ ନେଇ ଚଳିତ ବର୍ଷ ଲକଡାଉନ ପାଇଁ ବାହାରେ ଥିବା ଚାଷୀ ଫେରିଆସିଥିବା କହିଛି । କିନ୍ତୁ ଚାଷୀ ସଂଗଠନଗୁଡ଼ିକ ଏଥର ଅମଳ ଭଲ ହୋଇଥିବାରୁ ଦୁର୍ନିତି କରିବାକୁ ଥୋପ ସୃଷ୍ଟି କରାଯାଇଛି ବୋଲି ଅଭିଯୋଗ ଉଠାଇଛନ୍ତି । ବିଭାଗୀୟ ସୂଚନାଅନୁସାରେ, ଜିଲ୍ଲାରେ ସମୁଦାୟ ୩ଲକ୍ଷ ୪୫ହଜାର ହେକ୍ଟର ଚାଷ ଜମିରେ ବିଭିନ୍ନ ପ୍ରକାର ଚାଷ ହୁଏ । ଯେଉଁଥିରୁ ପ୍ରାୟ ୨ଲକ୍ଷ ହେକ୍ଟର ଜମିରେ କେବଳ ଧାନ ହୋଇଥାଏ । ଚାଷୀ ନିଜ ଅଂଶ ରଖି ବଳକା ଧାନକୁ ଜିଲ୍ଲାର ୧୫୮ଟି ପ୍ୟାକ୍ସ ଜରିଆରେ ସରକାରଙ୍କୁ ବିକ୍ରି କରିଥାଏ । ଗତ ୨୦୧୯- ୨୦ କୃଷି ବର୍ଷରେ ଜିଲ୍ଲାରେ ୧ଲକ୍ଷ ୯୦ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ଯେଉଁଥିରେ ୪୮୮୮୯ଜଣ ଚାଷୀ ପଞ୍ଜିକୃତ ହୋଇ ସମୁଦାୟ ୩ଲକ୍ଷ ୨୯ହଜାର ୪୧୧ ମେଟ୍ରିକ ଟନ ଧାନ ବିକ୍ରି କରିଥିଲେ ।

ହେଲେ ଏଥର ଗତବର୍ଷ ଅପେକ୍ଷା ପ୍ରାୟ ୨ହଜାର ହେକ୍ଟର କମ ଜମି ଅର୍ଥାତ ୧ଲକ୍ଷ ୮୮ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଏଥର ପାଣିପାଗ ଭଲ ଥିବାରୁ ପ୍ରାୟ ୭ଲକ୍ଷ ୫୦ହଜାର ମେଟ୍ରିକ ଟନ ଧାନ ଅମଳ ହେବାର ଆକଳନ କରାଯାଉଛି । ଚଳିତ ବର୍ଷ ଧାନ ବିକ୍ରି ସରିବା ବେଳକୁ ଅତୀତର ସମସ୍ତ ରେକର୍ଡ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଗତଥର ଅପେକ୍ଷା ଏଥର ଚାଷ ଜମି କମିଥିବା ସତ୍ତେ୍ୱ ଅମଳ ବୃଦ୍ଧି ପାଇଛି । କିନ୍ତୁ ଗତବର୍ଷ ତୁଳନାରେ ଏଥର ଧାନ ବିକ୍ରି କରିବାକୁ ବିଭିନ୍ନ ପ୍ୟାକ୍ସରେ ଅଧିକ ୧୭ହଜାର ୮୯୪ଜଣ ଚାଷୀ ବଢ଼ିଛନ୍ତି । ଏତେ ସଂଖ୍ୟକ ଚାଷୀ ବୃଦ୍ଧି ପାଇବା ପଛର କାରଣ କଣ ବୋଲି ପଚାରିଲେ କୃଷି ବିଭାଗ, ସମବାୟ ବିଭାଗ କିମ୍ବା ଯୋଗାଣ ବିଭାଗ କାହାରି ପାଖରେ ଉତ୍ତର ନାହିଁ । କିନ୍ତୁ ତୃଣମୂଳସ୍ତରରେ ଧାନକିଣା ସମୟରେ ପ୍ୟାକ୍ସ ତରଫରୁ ୧୦ ଏକରରୁ ଅଧିକ ଜମିର ଅଧିକାରୀ ଥିବା ଚାଷୀଙ୍କୁ ହଟହଟା ହେବାକୁ ପଡୁଥିଲା । ତେଣୁ ଅନେକ ଚାଷୀ ଜାଣିଶୁଣି ନିଜ ଜମିକୁ ସମ୍ପର୍କିୟଙ୍କ ନାଁରେ ଭାଗଭାଗ କରାଇ ଏଥର ଧାନ ବିକ୍ରି କରିବାକୁ ପଞ୍ଜିକରଣ କରିଥିବା କୁହାଯାଉଛି । ସେହିପରି ଚଳିତବର୍ଷ କରୋନା ଲକଡାଉନ ପାଇଁ ବାହାରେ ରହୁଥିବା ପ୍ରାୟ ଦେଢ଼ ଲକ୍ଷ ପ୍ରବାସୀ ପରିବାର ନିଜ ଅଞ୍ଚଳକୁ ଫେରିଆସି ଚାଷରେ ଲାଗିଥିଲେ ।

ତେଣୁ ଚାଷୀ ସଂଖ୍ୟା ବୃଦ୍ଧିରେ ତାହା ମଧ୍ୟ ଏକ ପ୍ରମୁଖ କାରଣ ହୋଇପାରେ ବୋଲି ସରକାରୀସ୍ତରରେ କୁହାଯାଉଛି । ମାତ୍ର ବାସ୍ତବପକ୍ଷେ ଯେଉଁମାନେ ଦାଦନ ଯାଇଥାଆନ୍ତି ସେମାନେ ବର୍ଷାରେ ଚାଷ କାର୍ଯ୍ୟସାରି ନୂଆଖାଇପରେ ଦାଦନ ଯାଇଥାଆନ୍ତି । ତେଣୁ ଏହିଯୁକ୍ତି ସଂପୂର୍ଣ୍ଣ ଅବାନ୍ତର ବୋଲି ଚାଷୀ ନେତାମାନେ ମତବ୍ୟକ୍ତ କରିଛନ୍ତି । ଏସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଶୋକ ମହାନ୍ତିଙ୍କୁ ପଚାରିବାରୁ, ଜିଲ୍ଲାରେ ପ୍ରାୟ ଦେଢ଼ ଲକ୍ଷ ଚାଷୀ ରହିଛନ୍ତି । କିନ୍ତୁ ପୂର୍ବରୁ ପ୍ରାୟ ୪୦ରୁ ୫୦ହଜାର ଚାଷୀ ପଞ୍ଜିକୃତ ହେଉଥିଲେ । ଏଥର ଅଧିକ ସଂଖ୍ୟକ ଚାଷୀ ଧାନଚାଷରେ ସାମିଲ ହେବାରୁ ସଂଖ୍ୟା ବଢ଼ିଥାଇପାରେ ବୋଲି କହିଛନ୍ତି ।