ବାଲେଶ୍ବର ଉପନିର୍ବାଚନରେ ସବୁଠୁ ବୟସ୍କ ଏବଂ ଗରିବ ପ୍ରାର୍ଥୀ ବେଣୁଧର; ସାଇକେଲରେ ବୁଲି କରୁଛନ୍ତି ପ୍ରଚାର…

ବାଲେଶ୍ୱର,୨୧/୧୦: ଲୋକଙ୍କ ଭଲ ପାଇବା ମୋ ପୁଞ୍ଜି । ଏହାକୁ ପାଥେୟ କରି ମୁଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି । ଜୀବନ ତମାମ ଖଟିଖିଆ ମେହନତି ମଣିଷ, ବାସ୍ତିବାସିନ୍ଦାଙ୍କ ସ୍ଥାୟୀ ଜମି ପଟ୍ଟା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲଢ଼େଇ କରି ଆସିଛି । ଏହି ଲଢ଼େଇ ମଧ୍ୟ ଆଗାମୀ ଦିନରେ ଚାଲିବ । ଲୋକେ ନିଶ୍ଚିତ ଭାବେ ମୋତେ ଭୋଟ ଦେବେ । ବିଧାୟକ ଭାବେ ନିର୍ବାଚିତ ହେବା ପରେ ବସ୍ତିବାସିନ୍ଦାଙ୍କ ସମସ୍ୟା ବିଧାନସଭାରେ ଉପସ୍ଥାପନ କରିବି । କେବଳ ବାଲେଶ୍ୱର ନୁହେଁ, ତମାମ ରାଜ୍ୟରେ ବସ୍ତିବାସିନ୍ଦାଙ୍କୁ କେମିତି ସ୍ଥାୟୀ ଜମି ପଟ୍ଟା ମିଳିବ, ସେନେଇ ଆନ୍ଦୋଳନ କରିବି । ଏମିତି ଭାବେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବେଣୁଧର ବାରିକ । ଚଳିତ ସଦର ଉପନିର୍ବାଚନରେ ଶ୍ରୀ ବାରିକ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ।


ବେଣୁଧରଙ୍କୁ ୯୧ ବର୍ଷ ବୟସ ହେଲାଣି । ପିଲାବେଳୁ ବେଣୁଧର ଦେଶସେବା ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି । ମାତ୍ର ୧୩ ବର୍ଷ ବୟସରେ ୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ କମ୍ୟୁନିଷ୍ଟ (ସିପିଆଇ) ନେତାଙ୍କ ସଂସ୍ପର୍ଶରେ ଆସିଲେ । ପରେ ନିଜକୁ ଜଣେ କମ୍ୟୁନିଷ୍ଟ ନେତା ଭାବେ ଗଢ଼ି ତୋଳିଥିଲେ । ସେବେଠାରୁ ସେ ସରଳ ଜୀବନ ବିତାଇ ଆସୁଛନ୍ତି । ତାଙ୍କ ନେତୃତ୍ୱରେ ଅତୀତରେ ବାଲେଶ୍ୱର ବହୁ ବସ୍ତିବାସିନ୍ଦାକୁ ଜମି ପଟ୍ଟା ମିଳିଛି । ଏସବୁ ସତ୍ତେ୍ୱ ଜୀବନ ତମାମ ଅର୍ଥ, ପ୍ରାଚୁର୍ଯ୍ୟଠାରୁ ସେ ନିଜକୁ ଦୂରରେ ରଖିଛନ୍ତି । ନିର୍ବାଚନରେ ଲଢ଼ିବା ପାଇଁ ଆବଶ୍ୟକ ଅର୍ଥ ପୈଠ କରିବାକୁ ତାଙ୍କର ସମ୍ଭଳ ନ ଥିଲା ।

ଏଥିପାଇଁ କେତେକ ଯୁବକ ତାଙ୍କୁ ସହାୟତା ପ୍ରଦାନ କରିଥିବା ସେ କହିଛନ୍ତି । ଧାରଉଧାର କରି ନିର୍ବାଚନରେ ଏଯାଏ ୨୦ ହଜାର ଟଙ୍କା ସେ ଖର୍ଚ୍ଚ କରିଛନ୍ତି । କେତେକ ଶିକ୍ଷିତ ଯୁବକଙ୍କ ସାହସରେ ନିର୍ବାଚନ ଲଢ଼ୁଥିବା ବେଣୁ କହିଛନ୍ତି । ଲୋକେ ନିଶ୍ଚିତ ଭୋଟ ଦେବେ ବୋଲି ସେ ଆଶାବାଦୀ ଅଛନ୍ତି । ଯଦିବା ଲୋକେ ତାଙ୍କୁ ପ୍ରତାରଣା କରନ୍ତି, କିଛି କହିବାର ନାହିଁ ବୋଲି ବେଣୁଧର ହସି ହସି କହିଛନ୍ତି ।