ବଗଲା ଧର୍ମଶାଳାରେ ଥଇଥାନ : ସାତ ବିସ୍ଥାପିତଙ୍କୁ ପ୍ଲଟ୍‌ ବିକ୍ରି

ପୁରୀ,୧୯।୮: ଶ୍ରୀମନ୍ଦିର ଚୌହଦିରୁ ବିସ୍ଥାପିତ ସାତ ହୋଟେଲ ମାଲିକଙ୍କୁ ବଗଲା ଧର୍ମଶାଳାରେ ଥଇଥାନ ପାଇଁ ପ୍ଳଟ୍‌ ବିକ୍ରି କରାଯାଇଛି । ଶ୍ରୀଜଗନ୍ନାଥଧାମ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଧର୍ମଶାଳା ଜମିରେ ପ୍ଲଟିଂ ସ୍କିମକୁ ବିରୋଧ କରି ହାଇକୋର୍ଟରେ ଏକ ମାମଲା ବିଚାରାଧୀନ ରହିଛି । ଏହି କାରଣରୁ ଧର୍ମଶାଳା ଜମିରେ ପ୍ଲଟିଂ ସ୍କିମ୍‌ କରିବା ଏବଂ ବିକ୍ରି କରାଯିବା ବେଆଇନ ବୋଲି ଅଦାଲତରେ ମାମଲା କରିଥିବା ଜଗନ୍ନାଥ ବସ୍ତିଆ ଅଭିଯୋଗ ଆଣିଛନ୍ତି । ଅଗଷ୍ଟ ୫ରୁ ୧୨ ମଧ୍ୟରେ ଏସବୁ ବିକ୍ରି କବଲା ହୋଇଥିବା ଜଣାଯାଇଛି ।

ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି ବଗଲା ଧର୍ମଶାଳାର ଜମିରେ ପ୍ଳଟିଂ ଏବଂ ଏହାର ବିକ୍ରିକୁ ସରକାର ଅନୁମୋଦନ ଦେଇଛନ୍ତି । ଶ୍ରୀମନ୍ଦିର ଚୌହଦିରୁ ବିସ୍ଥାପିତ ହୋଟେଲ ମାଲିକଙ୍କୁ ଦୁଇଟି ବିକଳ୍ପ ଦିଆଯାଇଥିଲା । ନଗଦ କ୍ଷତିପୂରଣ କିମ୍ବା ବଗଲା ଧର୍ମଶାଳାରେ ପ୍ଳଟିଂ ସ୍କିମରେ ଥଇଥାନ । ଯେଉଁମାନେ ପ୍ଳଟ ନେବାକୁ ସହମତି ଦେଇଛନ୍ତି ସେମାନଙ୍କ ନାମରେ ପ୍ଳଟ୍‌ ବିକ୍ରି କରାଯାଇଛି । ଏଥିରେ କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ । ଶ୍ରୀମନ୍ଦିର ଚୌହଦିରୁ ବିସ୍ଥାପିତ ସାତ ଜଣ ପ୍ଲଟ ନେଇଛନ୍ତି । ଏହି ପ୍ରକ୍ରିୟା ଜାରି ରହିଛି ବୋଲି ଉପଜିଲ୍ଲାପାଳ କହିଛନ୍ତି । ଏହି ପ୍ଲଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ବିକ୍ରି ହୋଇଛି ।

ଅଦାଲତରେ ଧର୍ମଶଳା ଜମି ନେଇ ମାମଲା ବିଚାରାଧୀନ ଥିବା ବେଳେ ଏହି ଜମିକୁ ପ୍ଳଟିଂ ସ୍କିମରେ ବିସ୍ଥାପିତଙ୍କୁ ବିକ୍ରି କରାଯିବା ଆଇନ ବିରୋଧୀ ବୋଲି ଶ୍ରୀବସ୍ତିଆ ଅଭିଯୋଗ କରିଛନ୍ତି । ପୁରୀ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଜଣେ ବଦାନ୍ୟ ବ୍ୟକ୍ତି ବାବୁ କହ୍ନେୟାଲାଲ ବଗଲା ଏହି ଜମିକୁ ୧୯୦୫ରେ ବ୍ରିଟଶ ରାଜର କଲେକ୍ଟରଙ୍କୁ ଦାନ କରିଥିଲେ । ଜମିରେ ନିର୍ମିତ ଧର୍ମଶାଳା ପରିଚାଳନା ପୁରୀ ଲଜିଂ ହାଉସ ଫଣ୍ଡ ଦ୍ୱାରା ହେଉଥିଲା । ୨୦୧୫ ନବକଳେବର ପୂର୍ବରୁ ପ୍ରସାଦ ଯୋଜନାରେ ଏହି ଜମିରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା । ଏହାପରେ ଧର୍ମଶାଳା କୋଠାକୁ ଭାଙ୍ଗି ଦିଆଯାଇ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମକୁ ନୂତନ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା । ପ୍ରକଳ୍ପର ପ୍ରାରମ୍ଭିକ କାର୍ଯ୍ୟ ତ୍ୱରାନ୍ୱିତ କରିବାରେ ପାଖାପାଖି ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିଲା ।

୨୦୧୮ରେ ଏହି ଧର୍ମଶାଳା ଜମିରେ ଥଇଥାନ ଯୋଜନା କରିବାକୁ ଅବଢ଼ା ଯୋଜନାରେ ପ୍ରସ୍ତାବ ଆସିଛି । ପ୍ଲଟିଂ ସ୍କିମକୁ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ) ଅନୁମୋଦନ ବି ଦେଇଛନ୍ତି । ଧର୍ମଶାଳାର ଜମି ବଡଦାଣ୍ଡ ସଂଲଗ୍ନ ବଳଗଣ୍ଡି ମୌଜାର ୪ଟି ପ୍ଳଟରେ ଦୁଇ ଏକର ୫୭୪ ଡେସିମିଲ ଜମି ରହିଛି ।
ଅନ୍ୟ ଅଭିଯୋଗ ହେଉଛି ଏହା ପୌରସଂସ୍ଥା ମାଲିକାନାରେ ରହିଥିଲା । ଅବଢ଼ା ଯୋଜନା ଆସିବା ପରେ ଏବେ ଏହି ଜମିକୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ନାମରେ ମାଲିକାନା ବଦଳା ଯାଇଛି । ଏହି ମାଲିକାନା ପରିବର୍ତ୍ତନ ବି ବେଆଇନ ବୋଲି ଅଭିଯୋଗ କରାଯାଇଛି । କାରଣ ଏହି ଜମିରେ ନିର୍ମିତ ଧର୍ମଶାଳାରେ କମ ଖର୍ଚ୍ଚ ତୀର୍ଥଯାତ୍ରୀମାନେ ରହିବାର ସୁଯୋଗ ପାଉଥିଲେ । ଏବେ ଧର୍ମଶାଳା ଜମିରେ ହୋଟେଲ ନିର୍ମାଣ ହେଲେ ସୁଲଭ ରହଣିର ସୁଯୋଗ ଯାତ୍ରୀମାନେ ହରାଇବେ ବୋଲି ଅଭିଯୋଗ କରିଛନ୍ତି ଶ୍ରୀବସ୍ତିଆ ।

   ସମ୍ବନ୍ଧିତ ଖବର


ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

ନାଗାର୍ଜୁନ ବେଶ ଓଲାଗି ପରେ ଭକ୍ତଙ୍କୁ ମିଳିବ ଅବଢ଼ା: ୧୫ ହଜାର ଭକ୍ତଙ୍କ ପାଇଁ ଅବଢ଼ା ସେବା

ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର

ପଞ୍ଚୁକ ପ୍ରଥମ ଦିନରେ ଘଟିଲା ବିଭ୍ରାଟ: ଶ୍ରୀଅଙ୍ଗ ଛୁଇଁବାରୁ ମହାପ୍ରଭୁଙ୍କ ହେଲା ମହାସ୍ନାନ

ଆଜି ମହାପ୍ରଭୁଙ୍କ ବାମନ ବେଶ

ଓଲାଗି ନାଗାର୍ଜୁନ ବେଶ ସଂଗ୍ରହାଳୟରେ ରହିବ, ଚଳିତଥର ହେବନି ପତିତପାବନଙ୍କ ବେଶ