ବାହୁବଳୀ ରାଜଧାନୀ ମୁହାଁ, ୩ ମାସ ଅଜ୍ଞାତବାସ ପରେ ପୁଣି ଫେରିଲା

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ନରହନ୍ତା ଦନ୍ତା ‘ବାହୁବଳୀ’ ପୁଣି ରାଜଧାନୀ ମୁହାଁ ହୋଇଛି । ଦୁଇଦିନ ହେଲା ସେ ଭରତପୁର ଜଙ୍ଗଲକୁ ଆସିଛି । ୩ ମାସ ତଳେ ପିପିଲି ଓ ବଳଙ୍ଗାରେ ନରସଂହାର କରିବା ସହ ରାଜଧାନୀରେ ଆତଙ୍କ ଖେଳାଇଥିଲା । ପରେ ସେ ଅଜ୍ଞାତବାସରେ ଚାଲି ଯାଇଥିଲା । ରବିବାର ସନ୍ଧ୍ୟାରେ ଭରତପୁର ଜଙ୍ଗଲକୁ ଆସିଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି । ତେବେ ବାହୁବଳୀ ରାଜଧାନୀ ମୁହାଁ ହୋଇଥିବା ଜଣାପଡ଼ିବା ପରେ ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।
ସୂଚନା ଥାଉକି, ଚନ୍ଦକା ଜଙ୍ଗଲରେ ଦୀର୍ଘଦିନ ଧରି ଡେରା ପକାଇଥିବା ଦୁର୍ଦ୍ଦାନ୍ତ ଦନ୍ତା ବାହୁବଳୀ ଗତ ଫେବ୍ରୁଆରୀ ମାସରେ ଖାଦ୍ୟ ଅନ୍ୱେଷଣରେ ଖୋର୍ଦ୍ଧା ଓ ଡେଲାଙ୍ଗ ଅଞ୍ଚଳକୁ ପଳାଇ ଯାଇଥିଲା । ସେହିମାସ ୨୩ରେ ବାହୁବଳୀ ପିପିଲି ଓ ବଳଙ୍ଗା ଅଞ୍ଚଳକୁ ଯାଇ ଆତଙ୍କ ରଚାଇଥିଲା । ବାଟରେ ଯାହାକୁ ପାରିଲା ଦଳି ମାରିବା ସହ କଚାଡ଼ି ଘାଇଲା କରିଥିଲା । ବାହୁବଳୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଥିଲେ । ପୁରୀ, ଖୋର୍ଦ୍ଧା ଓ ଚନ୍ଦକା ବନବିଭାଗ କର୍ମଚାରୀମାନେ ବାହୁବଳୀକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ଫଳରେ ସେ ସେଠାରୁ ଫେରି ରାଜଧାନୀରେ ପଶିଥିଲା । ପାତ୍ରପଡ଼ା ଫୁଲେଶ୍ୱରୀ ବସ୍ତିର ଜଣେ ମହିଳାଙ୍କୁ ଟେକି କଚି ଦେଇଥିଲା । ପରେ ପାତ୍ରପଡ଼ା ଔଷଧୀୟ ଉଦ୍ୟାନରେ ଦିନ ତମାମ ଆଡ୍ଡା ଜମାଇଥିଲା । ଶେଷରେ ବନବିଭାଗ ବାହୁବଳୀକୁ ଚନ୍ଦକା ଜଙ୍ଗଳକୁ ଘଉଡ଼ାଇ ନେବାରେ ସକ୍ଷମ ହୋଇଥିଲେ ।
ସେବେଠାରୁ ବାହୁବଳୀର ଆଉ ଦେଖା ନଥିଲା । ବୋଧହୁଏ ମଣିଷ ମାରି ସେ ଅନୁତାପ କରିବା ପାଇଁ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଥିଲା । ଶନିବାର ସନ୍ଧ୍ୟାରେ ବାହୁବଳୀକୁ ଚନ୍ଦକା ବନ କର୍ମଚାରୀମାନେ କୁମାରଖୁଣ୍ଟି ଓ ଗୋଡ଼ିବାରୀ ଅଞ୍ଚଳରେ ବୁଲୁଥିବାର ଦେଖିବାକୁ ପାଇଥିଲେ । ରବିବାର ସନ୍ଧ୍ୟାରେ ବାହୁବଳୀ ଚନ୍ଦକା ଜଙ୍ଗଲରୁ ବାହାରି ରାଜଧାନୀ ମୁହାଁ ହୋଇଥିଲା । ଦୁଇଦିନ ହେବ ସେ ଭରତପୁର ଜଙ୍ଗଲରେ ଡେରା ପକାଇଥିବା ଜଣେ ବନ କର୍ମଚାରୀ କହିଛନ୍ତି । ତେବେ କେଉଁ ମୁହୂର୍ତ୍ତରେ ବାହୁବଳୀ ରାଜଧାନୀ ଭିତରକୁ ପଶି ଆସିବ କହି ହେଉନାହିଁ । ବନବିଭାଗ କର୍ମଚାରୀ ତା’ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।
ଗତବର୍ଷ ଫେବ୍ରୁଆରୀ ୧୭ରେ ବାହୁବଳୀ ରାଜଧାନୀ ଭିତରକୁ ପଶି ଆତଙ୍କ ରଚିଥିଲା । ଜୟଦେବ ବାଟିକାରେ ଦୁଇଦିନ ଡେରା ପକାଇବା ସହ ବ୍ୟାପକ କ୍ଷୟକ୍ଷତି କରିଥିଲା । ୧୬ ନମ୍ବର ଜାତୀୟ ରାଜପଥରେ ବୁଲାବୁଲି କରିଥିଲା । ଡୁମୁଡୁମା ହାଉସିଂବୋର୍ଡ ଭିତରେ ପଶି ଜଣେ ମହିଳାଙ୍କୁ ଟେକି କଚି ଦେଇଥିଲା । ବାହୁବଳୀକୁ ଚନ୍ଦକା ଜଙ୍ଗଲକୁ ଫେରାଇ ନେବାକୁ ବନବିଭାଗ କର୍ମଚାରୀଙ୍କୁ ବେଶ୍‌ ନାକେଦମ୍‌ ହେବାକୁ ପଡ଼ିଥିଲା ।

   ସମ୍ବନ୍ଧିତ ଖବର


ନଭେମ୍ବର ମାର୍ଗଦର୍ଶିକା ଜାରି: ଟ୍ୱିନ୍‌ ସିଟିରେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ

ଏରିଆ ଅଧିକ ଦାୟିତ୍ବ ବେଶି, କିନ୍ତୁ ତେଲ ସରିଯିବା ଭୟରେ କମିଛି ପିସିଆର୍ ପାଟ୍ରୋଲିଂ: ପୋଲିସ ଗାଡି ନଦେଖି ବଢ଼ିଛି ଅପରାଧୀଙ୍କ ସାହସ

କୁମାର ପୁନେଇଁ ଜହ୍ନ ଗୋ… ଫୁଲ ବଉଳ ବେଣୀ: ଆଜି ସନ୍ଧ୍ୟାରେ କୁମାରୀ ପାଳିବେ କୁମାର ପୂର୍ଣ୍ଣମା

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ଲିଙ୍ଗରାଜ ମନ୍ଦିରକୁ 5-T ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତ: ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ

ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ