ତେଜପ୍ରତାପଙ୍କ ପାଇଁ ଇମୋସନାଲ ହେଲେ ରାବ୍ରୀ, କହିଲେ… ଘରକୁ ଫେରିଆ ପୁଅ

ପାଟନା,୧୨।୪: ଲାଲୁଙ୍କ ବଡ ପୁଅ ତେଜପ୍ରତାପ ଯାଦବ ଆଜିକାଲି ଦଳ ଏବଂ ପରିବାରର ବିଦ୍ରୋହୀ ହୋଇଯାଇଛନ୍ତି। ପରିବାର ଏବଂ ଦଳ ବିରୋଧରେ ଲଗାତାର ଭାବରେ ସେ ମୁହଁ ଖୋଲି ଆରଜେଡି ପାଇଁ ସୃଷ୍ଟି କରିବାରେ ଲାଗିଛନ୍ତି ସମସ୍ୟା। ତାଙ୍କର ଏହି ପରିବର୍ତ୍ତିତ ବ୍ୟବହାର ପାଇଁ ଆଜି ତାଙ୍କ ମା’ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଆବେଗଭରା କଣ୍ଠରେ ଘରକୁ ଫେରିଆସିବାକୁ ନିବେଦନ କରିଛନ୍ତି। ଏକ ଟିଭି ଚାନେଲରେ ଇଣ୍ଟରଭ୍ୟୁ ବେଳେ ରାବ୍ରି ତାଙ୍କ ମା’ ମନକୁ ବୁଝାଇ ପାରିନଥିଲେ। ସେ କହିଥିଲେ ‘ମୁଁ ମୋ ପୁଅକୁ ଜାଣିଛି, ସେ ଖୁବ୍ ସାଧାସିଧା ସ୍ବଭାବର, ବିରୋଧୀ ଦଳର ଲୋକ ତାକୁ ଏଭଳି କରିବାକୁ ପ୍ରରୋଚନା ଦେଉଛନ୍ତି। ମୁଁ କେବଳ ଏତିକି କହିବି ପୁଅ ଏବେ ବହୁତ ହୋଇଗଲା, ଏବେ ଘରକୁ ଫେରିଆ।’
ଏହି ସମୟରେ ରାବ୍ରୀ କହିଥିଲେ ‘ମୋର ଦୁଇ ପୁଅ ଖୁବ୍ ବୁଝିବା ସୁଝିବା ସ୍ବଭାବର, ଦୁହେଁ ପରସ୍ପର ସହ କଥା ହୁଅନ୍ତି, ଦୁହେଁ ଏକ। ମୋତେ ଏବେ ଲାଲୁଙ୍କ ଅନୁପସ୍ଥିତି ଖୁବ୍ କଷ୍ଟ ଦେଉଛି, ତାଙ୍କର ସ୍ବାସ୍ଥ୍ୟ ଖରାପ ରହିଥିବାରୁ ମୋର ଚିନ୍ତା ବଢିଯାଇଛି। ତାଙ୍କ ବିନା ଘର ଖୁବ୍ ନିଛାଟିଆ ଲାଗୁଛି। ଲାଲୁଜୀଙ୍କ ବିରୋଧୀ ଷଡଯନ୍ତ୍ର କରି ତାଙ୍କୁ ଜେଲ୍ ପଠାଇଦେଲେ, ଜନତା ସବୁ ଦେଖୁଛି। ଏଥର ନିର୍ବାଚନରେ ଜନତା ଜବାବ୍ ଦେବେ ବୋଲି କହିଛନ୍ତି ରାବ୍ରୀ।
ଏହି ସମୟରେ ରାବ୍ରୀ ଆଉ ଏକ କଥାର ଖୁଲାସା କରିଥିଲେ। ସେ କହିଥିଲେ ମୋ ସାମନାରେ ଲାଲୁଜୀଙ୍କୁ ପ୍ରଶାନ୍ତ କିଶୋର ଥରେ ନୁହେଁ ୫ଥର ଭେଟିବାକୁ ଆସିଥିଲେ। ପ୍ରଶାନ୍ତ କିଶୋର କହିଥିଲେ ଆପଣ ଯଦି ନୀତିଶ କୁମାରଙ୍କ ସହ ଆଉ ଥରେ ମିଶିଯାଆନ୍ତୁ। ସେ ଏହା କହିବା ପରେ ମୁଁ ତାଙ୍କୁ କହିଥିଲି ମୋ ଘରୁ ପଳାଅ, ନୀତିଶଙ୍କ ଉପରେ ଆମର ଆଉ ବିଶ୍ବାସ ନାହିଁ।’