ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ବାଉଁଶ ମେଡିଆନ୍ ସୌନ୍ଦର୍ଯ୍ୟକରଣ, ଖର୍ଚ୍ଚ ହେବ ୧.୨୫ କୋଟି

ଭୁବନେଶ୍ୱର,୧୭/୦୧: ମାଷ୍ଟରକ୍ୟାଣ୍ଟିନ୍ ଛକରୁ ବାଣୀବିହାର ଯାଏ ରାସ୍ତା ମଝିରେ ଥିବା ମେଡିଆନ୍ର ସୌନ୍ଦର୍ଯ୍ୟକରଣ ହେବ । ମେଡିଆନ୍କୁ ଆଉ ଲୁହାରେ ନୁହେଁ, ବରଂ ବାଉଁଶରେ ତିଆରି କରାଯିବ । ବାଉଁଶର ଭଳିକି ଭଳି ଢାଞ୍ଚା ଓ ଡିଜାଇନ୍ରେ ମେଡିଆନ୍କୁ ନୂଆ ରୂପ ଦେବାକୁ ଯୋଜନା ହୋଇଛି । କୋଲକାତା ସହରରେ ଥିବା ବାଉଁଶର ମେଡିଆନ୍ ଢାଞ୍ଚାରେ ଭୁବନେଶ୍ୱରରେ ଏଭଳି କରିବା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍ସିଏଲ୍)ପ୍ରୟାସ ଆରମ୍ଭ କରିଛି।
ରାଜଧାନୀକୁ ଗ୍ରୀନ୍ ସିଟି ବା ସବୁଜ ସହରର ରୂପ ଦିଆଯିବ । ସହରର ବିଭିନ୍ନ ମେଡିଆନ୍ରେ ସବୁଜିମା ସୃଷ୍ଟି କରି ସୌନ୍ଦର୍ଯ୍ୟକରଣ କରାଯିବ । ତେବେ ସ୍ମାର୍ଟ ଜନପଥ ଅଞ୍ଚଳରେ ଆସୁଥିବା ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ଛକର ମେଡିଆନ୍କୁ ସ୍ୱତନ୍ତ୍ର ଭାବେ ସଜାଇବାକୁ ପରିକଳ୍ପନା କରିଛି ବିଏସ୍ସିଏଲ୍ । ଲୁହାର ମେଡିଆନ୍ ନକରି ବାଉଁଶରେ ମେଡିଆନ୍ କରି ଏହାର ମଝିରେ ସୌନ୍ଦର୍ଯ୍ୟକରଣ ହେବ । ଏଥିପାଇଁ ପ୍ରାୟ ୧ କୋଟି ୨୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରହିଛି।
ଏହି ବାଉଁଶ ମେଡିଆନ୍ ପାଇଁ ବିଏସ୍ସିଏଲ୍ ଗତ କିଛିଦିନ ତଳେ ଟେଣ୍ଡର ଆହ୍ୱାନ କରିଥିଲା । କୋଲକାତାର ଏକ ସଂସ୍ଥା ଏହି କାମ କରିବାକୁ ଟେଣ୍ଡର ହାତେଇଛି । କାମ ଆରମ୍ଭ ପାଇଁ ବିଏସିସିଏଲ୍ ଓ ସଂପୃକ୍ତ ସଂସ୍ଥା ଭିତରେ ଏଗ୍ରିମେଣ୍ଟ ବି ହୋଇଛି । ଖୁବ୍ଶୀଘ୍ର କାମ ଆରମ୍ଭ ହେବ । ଆସନ୍ତା ୬୦ଦିନ ଭିତରେ କାମ ସାରିବାକୁ କୁହାଯାଇଛି ବୋଲି ବିଏସ୍ସିଏଲ୍ର ଜଣେ ଅଧିକାରୀ କହିଛନ୍ତି । ଏହି ମେଡିଆନ୍ର ସ୍ଥାୟିତ୍ୱ ପ୍ରାୟ ୬ ବର୍ଷ ରହିବ ବୋଲି ଦାବି କରାଯାଇଛି ।