ପରିତ୍ୟକ୍ତ ଘରୁ ମିଳିଲା ନରକଙ୍କାଳ: କଙ୍କାଳ ନିକଟରେ ଗଞ୍ଜେଇ ଚିଲମ ସହ ସାଲ୍‌ ଓ ଗାମୁଛା ପଡିଛି, ହତ୍ୟା ନା ସ୍ୱାଭାବିକ ମୃତ୍ୟୁ…

ଜଗତସିଂହପୁର ୨୨/୧୧: ଏରସମା ଥାନା ଅଧୀନ ନୂଆଢ଼ି ପଞ୍ଚାୟତ କିଆଡ଼ିଙ୍ଗିରି ଗ୍ରାମର ଏକ ପରିତ୍ୟକ୍ତ ଘରୁ ଶନିବାର ଦିନ ଏକ ନରକଙ୍କାଳ ମିଳିଛି । ଏହି ମଣିଷ କଙ୍କାଳରୁ ମାଂସ ପଚି ଝଡ଼ିଯାଇଛି । ଏମିତିକି ଗନ୍ଧ ବି ନାହିଁ, ଉଡ଼ିଯାଇଛି । ଅର୍ଥାତ୍‌ ସଂପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ କିଛି ମାସ ତଳୁ ଘଟିଥିବା ପୁଲିସ ଅନୁମାନ କରୁଛି । ତେବେ କେଉଁ ପରିସ୍ଥିତିରେ ଲୋକ ଜଣକ ଏହି ପରିତ୍ୟକ୍ତ ଘର ଭିତରକୁ ଗଲେ ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଲା ତାହା ରହସ୍ୟାବୃତ୍ତ ହୋଇ ରହିଛି । ଅନ୍ୟପଟେ ଏହା ହତ୍ୟା ନା ସ୍ୱାଭାବିକ ମୃତ୍ୟୁ ତାହାକୁ ନେଇ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ହେଉଛି।

କଙ୍କାଳ ଦେହରେ ଏକ ନାଲି ରଙ୍ଗର ସାର୍ଟ ରହିଛି । ପାଖରେ ଏକ ଗଞ୍ଜେଇ ଚିଲମ ସହ ଏକ ସାଲ୍‌ ଓ ଗାମୁଛା ପଡ଼ିଛି। ଗତକାଲି ସନ୍ଧ୍ୟାରେ ଏହି ଘଟଣା ପ୍ରଘଟ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ତେବେ କଙ୍କାଳରୁ ମୃତ ବ୍ୟକ୍ତିଙ୍କ ପରିଚୟ ମିଳୁ ନଥିବାରୁ ପୁଲିସ ଅଡ଼ୁଆରେ ପଡ଼ିଛି । ତଥାପି ଏରସମା ଥାନାଧିକାରୀ ପ୍ରଶାନ୍ତ ମାଝୀ ତନାଘନା କରିବା ଭିତରେ ପଡ଼ୋଶୀ ତିର୍ତ୍ତୋଲ, କୁଜଙ୍ଗ ଆଦି ଥାନାରେ କେତେ ଲୋକଙ୍କ ମିସିଂ କେସ୍‌ ପଞ୍ଜିକୃତ ହୋଇଛି ତାହା ଉପରେ ଫୋକସ୍‌ କରିଛନ୍ତି । ହୁଏତ ଏଥିରୁ କିଛି ସୁରାକ୍‌ ମିଳିପାରେ ।

ପୁଲିସ ସୂଚନା ମୁତାବକ, କିଆଡ଼ିଙ୍ଗିରି ଗ୍ରାମରେ ରହିଛି ସରୋଜ ମିଶ୍ରଙ୍କ ଘର । କିନ୍ତୁ ସେ କଟକରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି । ଗଲା ୬/୭ ମାସ ତଳେ ସେ କିଆଡ଼ିଙ୍ଗିରି ଘରକୁ ଆସି ଫେରି ଯାଇଥିଲେ । ଶ୍ରୀ ମିଶ୍ରଙ୍କ ଯେତିକି ଘର ଏଠି ଅଛି, ସେଥିରୁ ଅନେକ ଘର ପରିତ୍ୟକ୍ତ ହୋଇପଡ଼ିଛି । ତାଙ୍କ ପରିବାରର କେହି ଲୋକ ମଧ୍ୟ ଏଠି ରହନ୍ତି ନାହିଁ। ଘର ଗୁଡ଼ିକ ମୁକୁଳା ହୋଇ ପଡ଼ିଥିଲେ ସୁଦ୍ଧା ୨ଟି ଘର ତାଲା ପକାଇ ରଖିଥିଲେ । ଶନିବାର କୌଣସି କାମରେ ସେ ଗାଁକୁ ଆସିଥିଲେ । ଘର ଭିତରକୁ ଯିବା ପରେ ଆଉଜା ହୋଇ ରହିଥିବା ଏକ କବାଟକୁ ଠେଲିଥିଲେ । ତେବେ ପଛପଟୁ ଏକ କାଠ ଢିରା ଦିଆଯାଇଥିବାରୁ କବାଟଟି ସହସା ଖୋଲି ନଥିଲା । ଧକ୍କା ଦେବା ପରେ ଉକ୍ତ ଘରର କବାଟ ଖୋଲି ଯାଇଥିଲା । ତେବେ କବାଟ ଖୋଲିବା ପରେ ସରୋଜ ମିଶ୍ରଙ୍କ ଗୋଡ଼ ତଳୁ ମାଟି ଖସି ଯାଇଥିଲା । ଉକ୍ତ ଘର ଭିତରେ ମଣିଷର କଙ୍କାଳ ଦେଖି ସେ ଭୟଭୀତ ହୋଇ ପଡ଼ିଥିଲେ । ସେତେବେଳକୁ ସନ୍ଧ୍ୟା ସମୟ ହୋଇ ଯାଉଥିବାରୁ ତୁରନ୍ତ ସେ ଏରସମା ଥାନାକୁ ଯାଇ ଖବର କରିଥିଲେ ।

ପୁଲିସ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ଅନୁସନ୍ଧାନରୁ କଙ୍କାଳଟି ଜଣେ ୫୫ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କର ହୋଇଥିବା ସନ୍ଦେହ କରିଛି । କିନ୍ତୁ ଏହି ଅପରିଚିତ ଲୋକ ଜଣକ ଏଠାକୁ କିଭଳି ଆସି ପହଞ୍ଚିଲେ ଏବଂ ସେଠି ଏତେଦିନ ରହିବା ପରେ କେହି କେମିତି ଦେଖି ନପାରିଲେ ତାହା ରହସ୍ୟଜନକ ହୋଇପଡ଼ିଛି । କିନ୍ତୁ ଏହି ପରିତ୍ୟକ୍ତ ଘର ଠାରୁ ପ୍ରାୟ ୫୦ ମିଟର ଦୂରରେ ଜନବସତି ରହିଛି । ସମ୍ଭବତଃ ସେ ଦୃଷ୍ଟିରୁ ଏହି ବ୍ୟକ୍ତିଙ୍କ ମୃତ୍ୟୁ ସମ୍ବନ୍ଧରେ ଅଞ୍ଚଳର ବାସିନ୍ଦାମାନେ ଜାଣିପାରି ନଥିଲେ । କଙ୍କାଳକୁ ବ୍ୟବଚ୍ଛେଦ କରିବା ପାଇଁ କଟକର ଏଫ୍‌ଏମ୍‌ଟିକୁ ପଠାଯିବ । ସେଠୁ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ବିଳମ୍ବିତ ରାତି ସୁଦ୍ଧା ଏରସମା ପୁଲିସକୁ ଅନ୍ୟ ଏକ ସୂଚନା ମିଳିଛି । ତିର୍ତ୍ତୋଲ ଥାନାରୁ ଏହି ସୂଚନା ପ୍ରଦାନ କରାଯାଇଛି। କିଛି ମାସ ତଳେ ଏହି ଥାନା ଅନ୍ତର୍ଗତ ବାଇଳୋ ଗ୍ରାମର ଜଣେ ୬୦/୬୫ ବର୍ଷର ବୟସ୍କ ବ୍ୟକ୍ତି ନିଖୋଜ ରହିଥିବା ନେଇ ଏତଲା ହୋଇଥିଲା। ଉକ୍ତ ନିଖୋଜ ବ୍ୟକ୍ତିଙ୍କର ମସ୍ତିଷ୍କ ବିକୃତି ଥିଲା । ଏହା ବାଦ୍‌ କିଆଡ଼ିଙ୍ଗିିରିରୁ ଏହିଭଳି ଜଣେ ବୟସ୍କ ଲୋକଙ୍କ ନରକଙ୍କାଳ ମିଳିଥିବା ଜଣାପଡ଼ିବା ପରେ ବାଇଳୋ ଗ୍ରାମର ପରିବାର ଲୋକେ ଘଟଣାସ୍ଥଳକୁ ଯାଇଥିଲେ। ପୋଷାକରୁ ନିଖୋଜ ବ୍ୟକ୍ତିଙ୍କୁ ନିଜର ବୋଲି ଅନୁମାନ କରିଥିଲେ । କିନ୍ତୁ ପୁଲିସ କଙ୍କାଳକୁ ହସ୍ତାନ୍ତର କରିବାକୁ ଅମଙ୍ଗ ହେବା ସହ ବ୍ୟବଚ୍ଛେଦ ଏବଂ ଆବଶ୍ୟକ ସ୍ଥଳେ ଡିଏନ୍‌ଏ ପରୀକ୍ଷା ପରେ ଯାଇ ମୃତ ବ୍ୟକ୍ତି ବାଇଳୋ ଗ୍ରାମର କି ନୁହଁନ୍ତି ତାହା ସ୍ପଷ୍ଟ ହେବ ବୋଲି ଜଣାଇଛି ।