ଠକି ଦେଲା ବନ୍ଧୁର ଶାଳକ- ଡାକ ବିଭାଗରେ ଚାକିରି ନାଁରେ ୩ଟି କିସ୍ତିରେ ୬.୫ ଲକ୍ଷ ଲୁଟ୍

ସମ୍ବଲପୁର: ବନ୍ଧୁ ସାଜିଲା ବଇରି । ଡାକ ବିଭାଗରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ୩ଟି କିସ୍ତିରେ ୬.୫ ଲକ୍ଷ ଟଙ୍କା ଲୁଟିନେଲେ । ସେପଟେ, ଡାକ ବିଭାଗରେ ଚାକିରି କରିବା ଲୋଭରେ ଯୁବକଜଣଙ୍କ ମର୍ଚାଣ୍ଟ ନାଭିର ଚାକିରି ବି ଛାଡ଼ିଦେଲେ । ଶେଷରେ ଚାକିରି ମିଳିଲାନି କି ଟଙ୍କା ବି ଫେରସ୍ତ ହେଲାନି । ବରଂ ହତ୍ୟା ଧମକ ଓ ମିଥ୍ୟା ମାମଲାରେ ଫସାଇଦେବାର ଧମକ ମିଳିଲା । ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଞ୍ଚଳରେ । ସେପଟେ, ଠକେଇର ଶିକାର ହୋଇଥିବା ଝାଡ଼ଖଣ୍ଡର ବିଦ୍ୟୁତ୍ କୁମାର ଦେ’ ନ୍ୟାୟ ଦାବିରେ ଶନିବାର ଅଇଁଠାପାଲି ଥାନାରେ ବନ୍ଧୁର ଶାଳକ କୁଶଳ ମାହାଲୀ ବିରୋଧରେ ଏତଲା ଦେଇଛନ୍ତି । ଏନେଇ ଅଇଁଠାପାଲି ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ଅଭିଯୋଗ ଅନୁସାରେ, ମର୍ଚାଣ୍ଟ ନାଭିରେ କାମ କରୁଥିବା ବିଦ୍ୟୁତ୍ ଘରକୁ ଫେରି ବ୍ୟବସାୟ କରିବାକୁ ଚାହୁଁଥିଲେ । ତେବେ ୨୦୧୬ ମସିହାରେ ସେ କୌଣସି କାମରେ ସମ୍ବଲପୁର ଆସି ବନ୍ଧୁ ସପନ ମାହାଲୀଙ୍କ ସହ ଭେଟ ହୋଇଥିଲେ । ଏହି ସମୟରେ ସେ ଅଇଁଠାପାଲି ଥାନା ଅଞ୍ଚଳରେ ରହୁଥିବା ସପନଙ୍କ ଶାଳକ କୁଶଳଙ୍କ ଘରେ ରହିଥିଲେ । କୁଶଳ ଡାକ ବିଭାଗରେ ନୀରିକ୍ଷକ ଭାବେ କରନ୍ତି । ତେଣୁ ବିଦ୍ୟୁତ୍ଙ୍କୁ ନାଭି ଚାକିରି ଛାଡ଼ି ଡାକ ବିଭାଗରେ ଭଲ ଦରମାରେ ଭଲ ପଦବିରେ ଚାକିରି କରିବାକୁ କୁଶଳ ପ୍ରସ୍ତାବ ଦେଇଥିଲେ । କୁଶଳଙ୍କ ପ୍ରସ୍ତାବରେ ମଧ୍ୟ ବିଦ୍ୟୁତ୍ ରାଜି ହୋଇଥିଲେ ଓ ୩ଟି କିସ୍ତିରେ ୬.୫ ଲକ୍ଷ ଟଙ୍କା ତାଙ୍କୁ ଦେଇଥିଲେ ।
ପ୍ରତି ବଦଳରେ ତାଙ୍କୁ କିଛି ଜାଲ୍ ଦସ୍ତାବିଜ୍ ଓ ବ୍ଲାଙ୍କ୍ସ ଚେକ୍ ବି ଦିଆଯାଇଥିଲା । କିଛି ମାସ ଯାଏ ଚାକିରି ନହେବାରୁ ବିଦ୍ୟୁତ୍ଙ୍କୁ ଏନେଇ ସନ୍ଦେହ ହୋଇଥିଲା । ମାତ୍ର ସରକାରୀ ଚାକିରି ପାଇଁ ଟିକିଏ ବିଳମ୍ବ ହୁଏ କହି କୁଶଳ ସମୟ ଗଡ଼ାଇ ଚାଲିଥିଲେ । ମାସ ପରେ ମାସ ଓ ବର୍ଷ ପରେ ବର୍ଷ ଗଡ଼ିଚାଲିବା ପରେ ବି ଚାକିରି ନହେବାରୁ ବିଦ୍ୟୁତ୍ ଠକେଇର ଶିକାର ହୋଇଥିବା ନେଇ ସ୍ପଷ୍ଟ ହୋଇଯାଇଥିଲେ । ସେପଟେ, ଏହି ସମୟ ବେଳକୁ ସେ ମର୍ଚାଣ୍ଟ ନାଭିର ଚାକିରି ବି ଛାଡ଼ି ସାରିଥିଲେ । ଟଙ୍କା ଫେରସ୍ତ ପାଇଁ କହିବା ପରେ କୁଶଳ ତାଙ୍କୁ ରୋକ୍ଠୋକ୍ ମନା କରିବା ସହ ଟଙ୍କା ମାଗିଲେ ଅପହରଣ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ବରଂ କୁଶଳଙ୍କ ସ୍ତ୍ରୀ ତାଙ୍କ ବିରୋଧରେ ବଳାତ୍କାରର ମିଥ୍ୟା ଅଭିଯୋଗ ଆଣିବେ ବୋଲି ଚେତାବନୀ ଦେଇଥିଲେ । ଶେଷରେ ଅନ୍ୟ ଉପାୟ ନପାଇ ବିଦ୍ୟୁତ୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।