ଉତ୍ତର ନାଇଜେରିଆରେ ଗୁଳିକାଣ୍ଡ,୩୨ ମୃତ

ନୂଆଦିଲ୍ଲୀ,୨।୩: ଆଫ୍ରିକା ମହାଦ୍ବୀପର ଦେଶ ନାଇଜେରିଆ ପୁଣିଥରେ ହିଂସାକାଣ୍ଡର ଶିକାର ହୋଇଛି। ଉତ୍ତର ନାଇଜେରିଆରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ୩୨ ଲୋକ ନିହତ ହୋଇଥିବାର ଖବର ମିଳିଛି। ଏହା ବ୍ୟତୀତ ବହୁ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ନିକଟସ୍ଥ ହସ୍ପିଟାଲରେ ଚାଲିଚି। ତେବେ ଏହି ହିଂସାକାଣ୍ଡ ପଛରେ କେଉଁ ସଂଗଠନର ହାତ ରହିଛି ତାହା ସ୍ପଷ୍ଟ ହୋଇପାରିନାହିଁ। କୁହାଯାଉଛି ଯେ ଜାମଫରା ରାଜ୍ୟର ଶିନକାଫି ଜିଲ୍ଲାର କ୍ବାରି ଗାଁ ପାଖରେ କିଛି ଅଜ୍ଞାତ ବ୍ୟକ୍ତି ମୋଟରସାଇକେଲରେ ଆସି ବନ୍ଧୁକଧାରୀମାନେ ଆଖିବୁଝା ଗୁଳି କରିଥିଲେ। ଯାହାଫଳରେ ବହୁ ଲୋକଙ୍କର ଜୀବନ ଚାଲିଯାଇଛି। ଏହି ବନ୍ଧୁକଧାରୀମାନେ କୌଣସି ଡକାୟତ ଗୋଷ୍ଠୀର ବୋଲି କୁହାଯାଉଛି।
ସେଭଳି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅପରାଧିକ ସଂଗଠନର ଆକ୍ରମଣ ପରେ ଆମକୁ ୩୨ ଜଣଙ୍କର ମୃତଦେହ ମିଳିଛି। ମୃତକଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି। ପୋଲିସର ସୂଚନା ଅନୁସାରେ ଏହି ଆକ୍ରମଣରେ ମୃତବ୍ୟକ୍ତି ମିଲିଶାବଳର ସଦସ୍ୟ। ସେମାନେ ଏହି ଅଞ୍ଚଳରେ ବ୍ୟବସାୟୀଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି। ଗାଁ ଲୋକଙ୍କ କହିବା ଅନୁସାରେ ବନ୍ଧୁକଧାରୀ ଆକ୍ରମରକାରୀ ସେନା ପୋଷାକରେ ଥିଲେ। କିନ୍ତୁ ଆକ୍ରମଣକାରୀଙ୍କ ସଂଖ୍ୟା ଓ ବହୁମାତ୍ରାରେ ଗୁଳିକାଣ୍ଡ ହେବା କାରଣରୁ ମିଲିଶାବଳର ସଦସ୍ୟମାନେ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିନଥଲେ।