ଭାରତ ଟିକା ପାଇଁ ବାଂଲାଦେଶ ଆଶାୟୀ, ମାନବ ପରୀକ୍ଷା କରାଇବାକୁ ଆଗ୍ରହୀ

ନୂଆଦିଲ୍ଲୀ,୨୩/୦୮: କରୋନା ଭୂତାଣୁ ସଂକ୍ରମଣର ପ୍ରତିକାର ପାଇଁ ଭାରତ ଏବେ ୩ଟି ଟିକା ଉପରେ ଜୋରଦାର ପରୀକ୍ଷା ଚଳାଇଛି। ପ୍ରାଥମିକ ପରୀକ୍ଷାରୁ ସକାରାତ୍ମକ ଫଳ ମିଳିଥିବାରୁ ଏହାକୁ ନେଇ ଅନ୍ୟ କେତେକ ରାଷ୍ଟ୍ରରେ ଆଶା ସଞ୍ଚାର ହେଲାଣି। ବାଂଲାଦେଶ ଏବେ ଭାରତ ଟିକା ପାଇଁ ଆଗ୍ରହ ପ୍ରକାଶ କରିଛି। ଏହି ଟିକାର ମାନବ ପରୀକ୍ଷଣ କରାଇବାକୁ ବାଂଲାଦେଶ ପ୍ରସ୍ତୁତ ବୋଲି ଏହାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଟିକାକୁ ମଞ୍ଜୁରି ମିଳିବା ପରେ ବାଂଲାଦେଶକୁ ସୁଲଭ ଦରରେ ଟିକା ମିଳିବ ବୋଲି ମନ୍ତ୍ରାଳୟ ଆଶା ପ୍ରକାଶ କରିଛି।

ଏହା ପୂର୍ବରୁ ବାଂଲାଦେଶ ଏବଂ ଭାରତର ବୈଦେଶିକ ସଚିବଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଉଭୟ ଦେଶର ପ୍ରତିନିଧିମାନେ ଟିକା ବିକାଶ ପ୍ରକ୍ରିୟାର ପ୍ରଗତି ଉପରେ ଆଲୋଚନା କରିଥିଲେ। ଭାରତ କେବଳ ନିଜ ପାଇଁ ନୁହେଁ, ଅନ୍ୟ ରାଷ୍ଟ୍ର ପାଇଁ ଟିକା ପ୍ରସ୍ତୁତ କରିବ ବୋଲି ବାଂଲାଦେଶ ଆଶାପ୍ରକାଶ କରିଥିଲା। ତେବେ ଭାରତରେ କରୋନା ଟିକା ସଫଳ ହେଲେ ବାଂଲାଦେଶକୁ ପ୍ରାଥମିକ ଦିଆଯିବ ବୋଲି କେନ୍ଦ୍ର ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି।

ସେପଟେ ଆମେରିକାରେ ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାରୁ ଏହା ପୂର୍ବରୁ କରୋନା ଟିକା ଉପଲବ୍ଧ କରାଇବା ପାଇଁ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଚାହୁଁଛନ୍ତି। ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଟିକା କାମ ଚାଲିଛି । ଶୀଘ୍ର କରୋନା ଟିକାକୁ ମଞ୍ଜୁରି ମିଳିଲେ, ନିର୍ବାଚନରେ ଟ୍ରମ୍ପ୍‌ ଫାଇଦା ଉଠାଇବେ ବୋଲି କୁହାଯାଉଛି। ଏଥିପାଇଁ ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ (ୟୁଏସ୍‌ଏଫ୍‌ଡିଏ) ଅକ୍ଟୋବର ୨୨ରେ ଉପଦେଷ୍ଟା କମିଟି ବୈଠକ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଏହି ବୈଠକରେ କୋଭିଡ-୧୯ ଟିକା ବିକାଶର ପ୍ରଗତି ବାବଦରେ ଆଲୋଚନା କରାଯିବ।

ମଡେର୍ଣ୍ଣା, ଫାଇଜର ଏବଂ ଆଷ୍ଟ୍ରାଜେନେକା ଭଳି କମ୍ପାନି ଏବେ ନିଜ ନିଜ କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜୋରଦାର କରିଥିବାରୁ ଏହି ଅକ୍ଟୋବର ୨୨ର ଏହି ବୈଠକ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି । ଏହି ୩ଟି କମ୍ପାନି ଦ୍ୱାରା ବିକଶିତ ଟିକା ଉପରେ ବିଶ୍ୱବାସୀଙ୍କ ନଜର ରହିଛି । ଫାଇଜର ଦ୍ୱାରା ପ୍ରସ୍ତୁତ ଟିକାର ନିୟାମକ ସମୀକ୍ଷା ଅକ୍ଟୋବରରେ ହେବ ବୋଲି କମ୍ପାନି ଦାବି କରିଛି । ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଗତ ମାସରେ ଆମେରିକା ସରକାରଙ୍କ ସହ ୧୦ କୋଟି ଡୋଜ୍‌ ପାଇଁ ୨୦୦ କୋଟି ଡଲାରର ଚୁକ୍ତି ସ୍ୱାକ୍ଷର କରିଛନ୍ତି ।

   ସମ୍ବନ୍ଧିତ ଖବର


ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

‘ଲଭ୍ ଜିହାଦ୍’ ଦୋଷୀଙ୍କୁ ହୋଇପାରେ ୧୦ ବର୍ଷ ଜେଲ୍, ବିଲ୍ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ

ଆସନ୍ତା ବର୍ଷ ଠାରୁ ମୋବାଇଲ୍‌ ନମ୍ବର ଡାଏଲ ପୂର୍ବରୁ କରିବା ପାଇଁ ହେବ ଏହି କାମ- ବଦଳିଯିବ ଲ୍ୟାଣ୍ଡ ଲାଇନ୍‌ ଏବଂ ମୋବାଇଲ୍‌ ଫୋନ୍‌ରେ ଡାଏଲ୍‌ କରିବାର ପଦ୍ଧତି

ମରୁଭୂମିରେ ରହସ୍ୟମୟ ବସ୍ତୁର ସନ୍ଧାନ, ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଦେଖିଲେ ପାଇଲଟ୍

Google Pay ବ୍ୟବହାରକାରୀଙ୍କୁ ଝଟକା, ନୂଆବର୍ଷରୁ ଲାଗିବ ଚାର୍ଜ

ରେଲଓ୍ବେ କର୍ମଚାରୀଙ୍କୁ ଲାଗିପାରେ ବଡ଼ ଝଟକା! ଟ୍ରାଭେଲ ଏବଂ ଓଭର ଟାଇମ୍ ଆଲାଉନ୍ସ କାଟ୍ ପାଇଁ ପ୍ରସ୍ତୁତି