ବାଙ୍ଗାଲୋର ଫେରନ୍ତା ଯୁବକଙ୍କ ଅକାଳ ମୃତ୍ୟୁ: କରୋନା ଭୟରେ ଛୁଇଁଲେନି ସାହିଭାଇ, ମୃତ୍ୟୁର କାରଣ ଜାଣିବା ପାଇଁ ରିପୋର୍ଟକୁ ଅପେକ୍ଷା

ନାରଦପୁର,୨୧/୪: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମରେ ଗତ ରବିବାର ସନ୍ଧ୍ୟାରେ ଜଣେ ବାଙ୍ଗାଲୋର ଫେରନ୍ତା ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ରଞ୍ଜନ ପ୍ରଧାନ (୨୭) । କରୋନା ମହାମାରୀ ଯୋଗୁ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା । ଦୁଃଖ ସମୟରେ ତାଙ୍କ ପରିବାରକୁ ସମବେଦନା ଜଣାଇବା ଦୂରର କଥା କରୋନା ମହାମାରୀ ବ୍ୟାପିବା ଭୟରେ ସାହିଭାଇ ଓ ପଡ଼ୋଶୀ ତାଙ୍କ ଘର ମାଟି ମାଡ଼ି ନ ଥିଲେ । ପରଦିନ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ପରେ ଗ୍ରାମବାସୀଙ୍କ ସନ୍ଦେହ ଦୂର ହୋଇଥିବା ଜଣାପଡ଼ିଛି ।

ବାଙ୍ଗାଲୋରରେ ରହି କାମ କରୁଥିବା ରଞ୍ଜନ ଗତ ମାର୍ଚ୍ଚ ୯ ତାରିଖରେ ଘରକୁ ଫେରିଥିଲେ । ସେତେବେଳେ ଥଣ୍ଡା, ଜ୍ୱରରେ ପୀଡ଼ିତ ଥିବାରୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ । କିଛି ଦିନ ପରେ ସେ ସୁସ୍ଥ ହୋଇଥିଲେ । ହଠାତ୍‌ ଗତ ରବିବାର ସନ୍ଧ୍ୟାରେ ତାଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ଛାତିରେ ପ୍ରବଳ ଯନ୍ତ୍ରଣା ହେଲା । ପରିବାର ଲୋକେ ଆମ୍ବୁଲାନ୍ସ ଡକାଇଲେ । କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିଲା ବେଳକୁ ରଞ୍ଜନର ମୃତ୍ୟୁ ଘଟି ସାରିଥିଲା । ଗ୍ରାମବାସୀଙ୍କଠୁ ଖବର ପାଇ ରିମୁଳି ପୁଲିସ ଏବଂ ଚମ୍ପୁଆ ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଘଟଣାସ୍ଥଳରୁ ଶବ ଜବତ କରିଥିଲେ । କରୋନା ପାଇଁ ଲୋକେ ଆତଙ୍କିତ ଥିବାବେଳେ ରଞ୍ଜନଙ୍କ ଅଚାନକ ମୃତ୍ୟୁ ଲୋକଙ୍କ ମଧ୍ରରେ ସନ୍ଦେହ ସୃଷ୍ଟି କରିଥିଲା । ପାଖ ପଡ଼ୋଶୀ ତାଙ୍କ ଘର ନିକଟକୁ ଯିବାକୁ ଭୟ କଲେ ।

ସୋମବାର ସକାଳୁ ନାରଦପୁର ସରପଞ୍ଚ ସୁଶୀଲ ନାଏକ, ଝୁମ୍ପୁରା ତହସିଲଦାର ପ୍ରତିଭା ପୃଷ୍ଟି, ଝୁମ୍ପୁରା ବ୍ଲକ୍‌ କୋଭିଡ-୧୯ ନୋଡାଲ ଅଫିସର ଜୀବନ ବେହେରା, ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଅଶୋକ ବେହେରା, ଡାକ୍ତର କ୍ଷୀରୋଦ ମହାନ୍ତ, ଡାକ୍ତର ବେଦପ୍ରକାଶ ନାଏକ, ସମ୍ପ୍ରସାରଣ ଅଧିକାରୀ ରମେଶ ନାଏକ, ସୁପରଭାଇଜର ହେମନ୍ତ ମହାନ୍ତ, ଚମ୍ପୁଆ ଥାନାଧିକାରୀ, ଏଏନ୍‌ଏମ୍‌ ପଙ୍କଜିନୀ ନାଏକ, ସ୍ଥାନୀୟ ଆଶାକର୍ମୀ ଦେବଯାନୀ ପ୍ରଧାନ, ଅଙ୍ଗନବାଡ଼ି କର୍ମୀ କବିତା ସେନାପତି, ଫାର୍ମାସିଷ୍ଟ ରାଜେନ୍ଦ୍ର ସାହୁ ମୃତ ରଞ୍ଜନଙ୍କ ପରିବାର ଓ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ସେମାନଙ୍କ ସନ୍ଦେହ ଦୂର ହୋଇଥିଲା । ପରେ ଚମ୍ପୁଆ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ଗାଁକୁ ଆଣି ସଂସ୍କାର କରାଯାଇଥିଲା ।

ଏନେଇ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନା ସୁପରିଟେଣ୍ଡେଣ୍ଟ୍‌ ଉମାକାନ୍ତ ସାହୁ କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ରଞ୍ଜନଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଛି । ତାଙ୍କ ଶରୀରର କିଛି ନମୁନା ପରୀକ୍ଷଣ ପାଇଁ ଭୁବନେଶ୍ୱର ପଠାଯାଇଛି । ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ।

   ସମ୍ବନ୍ଧିତ ଖବର


ସେମିଳିଗୁଡ଼ା ପୋଲିସକୁ ବଡ଼ ସଫଳତା, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ରାଉରକେଲା ସ୍କର୍ପିଓ ପୋଡି ଘଟଣା; ଗୋମାଂସ ଚାଲାଣ ସନ୍ଦେହରେ ଦୁର୍ବୃତ୍ତ ଜାଳିଥିଲେ ଗାଡି, ଡ୍ରାଇଭର ସମେତ ୪ ଗିରଫ

ନୀଳଗିରିକୁ ଝାଡଖଣ୍ଡି ହାତୀପଲଙ୍କ ଆଗମନ ଆଶଙ୍କା, ଦନ୍ତା ହାତୀ ଆସିବୁଲି ଫେରିଯିବା ପରେ ବଢିଲା ଚିନ୍ତା…

ଦୋକାନ ଛାତ କଣାକରି ଦୁଇକିଲୋ ସୁନା ଅଳଙ୍କାର ଚୋରି କରିନେଲେ ଦୁର୍ବୃତ୍ତ..

ନଦୀକୁ ମାଛ ଧରିବାକୁ ଯାଇ ଦୁଇଦିନ ହେବ ନିଖୋଜ ଅଛନ୍ତି ଯୁବକ, କୁମ୍ଭୀର ଭିଡି ନେଇଥିବା ସନ୍ଦେହ…