ବ୍ୟାଙ୍କ ମ୍ୟାନେଜରଙ୍କୁ ମହଙ୍ଗା ପଡିଲା ଅନ୍‌ଲାଇନ୍‌ରେ ମଦ କିଣା, ୧୯ ହଜାର ଠକିନେଲେ

ଭୁବନେଶ୍ୱର,୦୩/୦୪: ଲକ୍‌ ଡାଉନ୍‌ ଜରିଆରେ ରାଜଧାନୀକୁ ସିଲ୍‌ କରାଯାଇଛି । ସବୁ ମଦ ଦୋକାନ ଆଉ ବାର୍‌ରେ ତାଲା ଝୁଲୁଛି । ଏପରିସ୍ଥଳେ ଅନ୍‌ଲାଇନ୍‌ରେ ମଦ କିଣିବାକୁ ଯାଇ ଠକେଇର ଶିକାର ହୋଇଛନ୍ତି ଜଣେ ରାଷ୍ଟ୍ରାୟତ ସଂସ୍ଥାର ବ୍ୟାଙ୍କ ମ୍ୟାନେଜର । ତାଙ୍କଠାରୁ ୨୬୦ ବିଅର ବୋତଲ ମଗାଇବା ବାହାନାରେ ୧୯ ହଜାର ଟଙ୍କା ଠକି ନେଇଛି ଏକ ଅନ୍‌ଲାଇନ୍‌ ବ୍ୟବସାୟିକ ପୋର୍ଟାଲ ସଂସ୍ଥା । ଏନେଇ ବ୍ୟାଙ୍କ ମ୍ୟାନେଜରଜଣକ କମିଶନରେଟ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ।

ପୁରା ଘଟଣାଟି ଏମିତି । ବ୍ୟାଙ୍କ ମ୍ୟାନେଜରଜଣକ ମାଉସୀମା ଛକ ନିକଟ ରଥରୋଡରେ ରହୁଛନ୍ତି । ସେ କଳ୍ପନାସ୍ଥିତ ରାଷ୍ଟ୍ରାୟତ ବ୍ୟାଙ୍କ ଶାଖାରେ ସିନିଅର ମ୍ୟାନେଜର ଅଛନ୍ତି । ଗତମାସ ୨୨ ତାରିଖରୁ ରାଜଧାନୀରେ ମଦ ଦୋକାନ ବନ୍ଦ ଅଛି । ଏଣୁ ବ୍ୟାଙ୍କ ମ୍ୟାନେଜରଙ୍କର ଅନ୍‌ଲାଇନ୍‌ ଯୋଗେ ମଦ କିଣିବାକୁ ଇଚ୍ଛା ହୋଇଥିଲା । ମ୍ୟାନେଜରଙ୍କ ଅଭିଯୋଗ ମୁତାବକ, ସେ ଗତ ମଙ୍ଗଳବାର ମୋବାଇଲ୍‌ରେ ଗୁଗୁଲ ସର୍ଚ୍ଚ ଇଞ୍ଜିନ୍‌ ଯୋଗେ କିଛି ଅନ୍‌ଲାଇନ୍‌ ସପିଂ ଷ୍ଟୋର ଖୋଜୁଥିଲେ । ଭୁବନେଶ୍ୱରର ଏକ ମଦ କାଉଣ୍ଟରର ନାମରେ ଥିବା ପୋର୍ଟାଲ ସଂସ୍ଥାର ୱେବ୍‌ପେଜ୍‌ରେ ମଦ ପାଇଁ ହୋମ୍‌ ଡେଲିଭରି ସୁବିଧା ଥିବା ଦେଖାଇଥିଲା । ଏହା ଦେଖି ଉକ୍ତ ପୋର୍ଟାଲ ଯୋଗେ ମଦ କିଣିବାକୁ ସେ ମନ ବଳାଇଥିଲେ । ସଙ୍ଗେ ସଙ୍ଗେ ୨୬୦ଟି ବିଅର ବୋତଲ କିଣିବା ପାଇଁ ଅର୍ଡର କରିଥିଲେ । ଅନ୍‌ଲାଇନ୍‌ ପେମେଣ୍ଟ ସୁବିଧା ଅପସନ ଚିପିବା କ୍ଷଣି ତାଙ୍କ ମୋବାଇଲ୍‌କୁ ଏକ ଅଜଣା କଲ୍‌ ଆସିଥିଲା । ଫୋନ୍‌ରେ ଜଣେ ବ୍ୟକ୍ତି ତାଙ୍କ ସହ ମଦ କିଣିବା ସମ୍ପର୍କରେ କଥା ହୋଇ ଠିକଣା ପଚାରି ବୁଝିଥିଲେ ।

ଅନ୍‌ଲାଇନ୍‌ର ପେମେଣ୍ଟ ନିମନ୍ତେ ତାଙ୍କ ମୋବାଇଲ୍‌କୁ ଏକ ବାର୍‌କୋର୍ଡ ପଠାଇଥିଲେ । ଏହି ବାରକୋର୍ଡ ଯୋଗେ ମିଳିଥିବା ଲିଙ୍କ୍‌ଙ୍କୁ କ୍ଲିକ୍‌ କରିବା ମାତ୍ରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୯ ହଜାର ଟଙ୍କା କଟିଯାଇଥିଲା । ଟଙ୍କା କଟିବା ପରେ ବ୍ୟାଙ୍କ ମ୍ୟାନେଜର ଜଣକ ଉକ୍ତ ନମ୍ବରକୁ ଯେତେ ଫୋନ୍‌ କରିଥିଲେ ମଧ୍ୟ କେହି ଫୋନ୍‌ ଉଠାଇନଥିଲେ । ପରେ ଫୋନ୍‌ ନମ୍ବରଟି ଅପହଞ୍ଚ ଦୂରତାରେ ଥିବା ଦର୍ଶାଇଥିଲା । ଠକାମୀର ଶିକାର ହୋଇଥିବା ଜାଣିବା ପରେ ବ୍ୟାଙ୍କ ମ୍ୟାନେଜର ଅନ୍‌ଲାଇନ୍‌ ଯୋଗେ ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କୁ ଏକ ଅଭିଯୋଗ କରିଛନ୍ତି ।

ଏନେଇ ଡିସିପି ଶ୍ରୀ ସାହୁ ସୂଚନା ଦେଇଛନ୍ତି, ମଦ କିଣିବା ନେଇ ଅନ୍‌ଲାଇନ୍‌ ଯୋଗେ ଠକେଇ ହୋଇଥିବାର ଏକ ଅଭିଯୋଗ ଆସିଛି । ସମ୍ପୃକ୍ତ ସାଇବର ଠକକୁ ଖୋଜିବାକୁ ଚେଷ୍ଟା ଚାଲିଛି । ତେବେ ଲକ୍‌ଡାଉନ୍‌ ବେଳେ ଅତ୍ୟାବଶ୍ୟକ କିମ୍ବା ନିତିଦିନିଆ ସାମଗ୍ରୀର ହୋମ୍‌ ଡେଲିଭରି ସେବା ଯୋଗାଉଥିବା କିଛି ସପିଂ ମଲ୍‌ ଓ ଷ୍ଟୋର ଖୋଲା ଅଛି । ଏହାବାଦ୍‌ ଅନ୍ୟ ଅନ୍‌ଲାଇନ୍‌ ସଂସ୍ଥାର କାମକୁ ବନ୍ଦ ରଖାଯାଇଛି । ଅନଲାଇନ୍‌ ଯୋଗେ କୌଣସି ସାମଗ୍ରୀ କିଣିବା ବେଳେ ସତର୍କ ରହିବାକୁ ଡିସିପି ରାଜଧାନୀବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଅର୍ଜୁନ ପୁରସ୍କାର ପାଇଁ ଦୀପଗ୍ରେସଙ୍କ ନାମ ସୁପାରିସ !

କରୋନା ସମୟରେ ପ୍ରଥମ ରାଜ୍ୟ ଭାବେ ଖେଳ ଆୟୋଜନ କରିବ ଓଡ଼ିଶା, ଟି-୧୦ ପ୍ରିମିୟର ଲିଗ୍ ପାଇଁ‌ ଅନ୍‌ଲାଇନ୍‌ରେ ଆବେଦନ

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ

ଆଜିଠୁ ଏସ୍‌ସିବିରେ ପିଜି ପରୀକ୍ଷା ଆରମ୍ଭ, ହୋଇଛି ଆଇସୋଲେସନ୍‌ ହଲ୍‌ ବ୍ୟବସ୍ଥା

ଅଣସର ଦର୍ଶନ ପୂର୍ବରୁ କଟକଣା: ଅଲାରନାଥ ପୀଠରେ ଖାଁ ଖାଁ