ବ୍ୟାଙ୍କ ଡକାୟତି ଘଟଣା: ୪ କୁଖ୍ୟାତ ଡକାୟତ ଗିରଫ

ଖୋର୍ଦ୍ଧା ୨୯/୮: ପ୍ରଥମେ ବାଇକ୍‌ରେ ଯାଇ ଡକାୟତି କରୁଥିଲେ । ଡକାୟତି କରିଥିବା ଟଙ୍କା, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀ କାରରେ ଅପେକ୍ଷା କରିଥିବା ଦୁର୍ବୃତ୍ତଙ୍କ ହାତରେ ଧରାଇ ଦେଉଥିଲେ । ଏହା ପରେ ରାଜଧାନୀ ସ୍ଥିତ ଆଡ୍ଡାରେ ଡକାୟତି କରିଥିବା ଅର୍ଥକୁ ଭାଗବାଣ୍ଟି ନେଉଥିଲେ । ଏହି ଡକାୟତି ଗ୍ୟାଙ୍ଗ୍‌ର ସଦସ୍ୟ ସଂଖ୍ୟା ୭ରୁ ୮ ଜଣ ରହିଛନ୍ତି । ଏମାନେ ମୁଖ୍ୟତଃ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ରାଜପଥରେ ଡକାୟତି ଓ ରାହାଜାନିକୁ ନିଜର ପେଶା ଭାବେ ବାଛି ନେଇଥିଲେ ।

ସେମାନଙ୍କ ଟାର୍ଗେଟରେ ରହୁଥିଲା କେବଳ ଫାଇନାନ୍ସ କମ୍ପାନୀ, ବ୍ୟାଙ୍କ ଏବଂ ବଡ଼ବଡ଼ ବ୍ୟବସାୟ ପ୍ରତିଷ୍ଠାନ । ଖୋର୍ଦ୍ଧା ପୁଲିସ ଆଜି ଏଭଳି ୪ ଜଣ କୁଖ୍ୟାତ ଡକାୟତଙ୍କୁ ଗିରଫ କରିବା ସକ୍ଷମ ହୋଇଛି । ଗିରଫ ହୋଇଥିବା ଡକାୟତମାନଙ୍କ ମଧ୍ୟରୁ ଭୁବନେଶ୍ୱର ଲକ୍ଷ୍ମୀସାଗରରେ ରହୁଥିବା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନନ୍ଦିଘୋର ଗ୍ରାମର କାହ୍ନା ଓରଫ ସାନୁ ପ୍ରଧାନ(୨୦) ପ୍ରଥମେ ପୁଲିସ ହାତରେ ଧରାପଡ଼ିଥିଲା । ପରେ ଗ୍ୟାଙ୍ଗ୍‌ର ଅନ୍ୟ ୩ ସଦସ୍ୟଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଥିଲା । ଗିରଫ ୩ ସଦସ୍ୟଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ସାନଗଡ଼ ସ୍ଥିତ ଅଜାଘରେ ପୁଅ ହୋଇ ରହୁଥିବା ଲକ୍ଷ୍ମୀଧର ନାୟକଙ୍କ ପୁଅ ରକି ଓରଫ ବାଦଲ ନାୟକ(୨୪), ଉକ୍ତ ଗ୍ରାମର କୈଳାସ ଘଡ଼େଇଙ୍କ ପୁଅ ପିଙ୍କୁ ଓରଫ ରାକେଶ ଘଡ଼େଇ(୨୩) ଓ କମିସନରେଟ ପୁଲିସ ଅଧୀନ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବରଗଡ଼ ଶ୍ରୀକୃଷ୍ଣ

ଆପାର୍ଟମେଣ୍ଟରେ ରହୁଥିବା ପ୍ରଫୁଲ୍ଲ ବରିସଲଙ୍କ ପୁଅ ସିତୁ ଓରଫ ସିତେଶ ବରିସର(୧୯) ରହିଛନ୍ତି । ପୁଲିସ ସେମାନଙ୍କ ନିକଟରୁ ଏକ କାର (ଓଡି୦୨ଏଜେଡ୍‌ ୨୭୩୧), କଳାରଙ୍ଗର ଏକ ବାଇକ୍‌(ଓଡ଼ି୦୨ଏନ ୯୦୮୩), ମୋବାଇଲ ଓ ଭୁଜାଲି ଆଦି ମାରଣାସ୍ତ୍ର ଜବତ କରିଥିବା ବୁଧବାର ସନ୍ଧ୍ୟାରେ ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି କୃତ୍ତିବାସ ଜେନା ସୂଚନା ଦେଇଛନ୍ତି ।
ଅତିରିକ୍ତ ଏସ୍‌ପି ଶ୍ରୀ ଜେନାଙ୍କ ସୂଚନା ଅନୁସାରେ ଗତ ୨୬ ତାରିଖ ଅପରାହ୍ନରେ ଆଦର୍ଶ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ସ୍ଥିତ ପାଣ୍ଡିଆପଡ଼ା ଛକ ଠାରୁ ବନ୍ଧନ ବ୍ୟାଙ୍କ କର୍ମଚାରୀ ତପସ୍ୱିନୀ ସାହୁଙ୍କ ଠାରୁ ୨୬ ହଜାର ଟଙ୍କା ଓ ଏକ ମୋବାଇଲ ଲୁଟ୍‌ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଦୁଇ ଗୋଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଏଭଳି କାଣ୍ଡ ଭିଆଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ଶେଷରେ ଦୁର୍ବୃତ୍ତମାନେ ଆସିଥିବା ଗୋଟିଏ ବାଇକ୍‌ ନମ୍ବର ସମ୍ପର୍କରେ ପୁଲିସ

ଅବଗତ ହେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କାଳରେ କାହ୍ନା ପୁଲିସ ନଜରକୁ ଆସିଥିଲା । କାହ୍ନାର ସୂଚନା ମୁତାବକ ପୁଲିସ ଏହି ଡକାୟତ ଗ୍ୟାଙ୍ଗରେ ସମୁଦାୟ ୭/୮ ଜଣ ସଦସ୍ୟ ଥିବା ଜାଣିବାକୁ ପାଇଥିଲା । ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ନୟାଗଡ଼ ଜିଲ୍ଲାର ଚାନ୍ଦପୁର, ରଣପୁର ଆଦି ଥାନାରେ ୨୦ରୁ ଅଧିକ ଡକାୟତି, ରାହାଜାନି, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲା ରହିଛି । ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ସମିତା ମିଶ୍ରଙ୍କ କହିବା ଅନୁସାରେ ଏହି ଗ୍ୟାଙ୍ଗ୍‌ର ପେଣ୍ଠସ୍ଥଳୀ ରାଜଧାନୀ ହୋଇଥିବା ବେଳେ ସକାଳ ହେବା ମାତ୍ରେ ଗ୍ୟାଙ୍ଗ୍‌ର ଦୁଇ ଜଣ ଲେଖାଏଁ ସଦସ୍ୟ ଦୁଇଟି ବାଇକ୍‌ରେ ବିଭିନ୍ନ ଜାତୀୟ ରାଜପଥରେ ପଇଁତରା ମାରିଥାନ୍ତି । ଜବତ ହୋଇଥିବା କାର୍‌ରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କ ପିଛା କରିଥାନ୍ତି । ଆଗରେ ଯାଉଥିବା ଦୁଇ ଗୋଟି ବାଇକ୍‌ରେ ଥିବା ଦୁର୍ବୃତ୍ତମାନେ ଫାଇନାନ୍ସ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ବୀମା କମ୍ପାନୀ ଏଜେଣ୍ଟ ଏବଂ ବଡ଼ବଡ଼ ବ୍ୟବସାୟୀଙ୍କୁ ଠାରୁ ଲୁଟ୍‌ କରିଥାନ୍ତି । ତେବେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଯିବା ଭୟରେ ପଛରେ ଆସୁଥିବା କାର୍‌ରେ ଥିବା ଦୁର୍ବୃତ୍ତଙ୍କୁ ଲୁଟ୍‌ ଟଙ୍କା ଏବଂ ସୁନା ଅଳଙ୍କାର ଧରାଇ ସେଠାରୁ ଖସିଯାଇଥାନ୍ତି ।

ଗତ ୨୬ ତାରିଖ ଦିନ ବନ୍ଧନ ବ୍ୟାଙ୍କର ମହିଳା କର୍ମଚାରୀ ତପସ୍ୱିନୀ ସାହୁଙ୍କୁ ଲୁଟ୍‌ ଘଟଣାର ତଦନ୍ତ ସମୟରେ ଉକ୍ତ ଗ୍ୟାଙ୍ଗ୍‌ର କଳାକାରନାମା ସମ୍ପର୍କରେ ଜଣାପଡ଼ିଥିଲା । ଏହି ଘଟଣାରେ ଆଦର୍ଶ ଥାନା ପୁଲିସ ୨୬୨ା୧୯ରେ ଏକ ମାମଲା ରୁଜୁ କରିଛନ୍ତି । ଡକାୟତି ଅଭିଯୋଗରେ ଗିରଫ ୪ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ପ୍ରାଥମିକ ତଦନ୍ତରୁ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନାରେ ୪ ଗୋଟି ଏବଂ ରଣପୁର ଥାନାରେ ୪ ଗୋଟି ଡ଼କାୟତି, ରାହଜାନି, ବେଆଇନ ଅସ୍ତ୍ରଶସ୍ତ୍ର ସମ୍ପର୍କିତ ମାମଲା ଥିବା ଜଣାପଡ଼ିଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ସୁଶିଲ ମିଶ୍ର, ଆଦର୍ଶ ଥାନା ଅଧିକାରୀ ଉମାଶଙ୍କର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ବାପା ଶଯ୍ୟାଶାୟୀ, ମାନସିକ ବିକାରଗ୍ରସ୍ତ ମା’: ୮ବର୍ଷର କଅଁଳ ଶିଶୁକନ୍ୟାର କାନ୍ଧରେ ୫ ପ୍ରାଣୀ କୁଟୁମ୍ବର ବୋଝ

ଜାତୀୟ ସୁରକ୍ଷା ଉପରେ ବଡ଼ ବିପଦ! ଏନଆଇସି ଉପରେ ସାଇବର ଆଟାକ୍, ସମ୍ବେଦନଶୀଳ ତଥ୍ୟ ଚୋରିକଲେ ହ୍ୟାକର

ସ୍କୁଟିକୁ ସାମ୍ନା ପଟୁ ଧକ୍କା ଦେଲା ବସ୍: ଯୁବକ ମୃତ

ଗଞ୍ଜାମରୁ ନୂଆ ପ୍ରଜାତିର ଝିଟିପିଟି ଚିହ୍ନଟ

ବୋଲେରୋ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା: ପୀଡ଼ିତାଙ୍କ ହେଲା ଡାକ୍ତରୀମାଇନା,୨ ଦିନ ପରେ ବି ପୁଲିସ୍‌ ହାତଖାଲି

ଅଜଣା ରୋଗର ଆତଙ୍କ : ଦେଢ଼ ମାସରେ ଗଲାଣି ୧୮ ଜଣଙ୍କ ଜୀବନ