PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ସ୍ବଭିମାନ ଆଗରେ ହାର ମାନିଛି ବୟସ ଓ ବ୍ୟବସ୍ଥା, ନିଜ ନାଆର ନିଜେ ନାଉରୀ ବଂଶୀଧର

ବାଲିପାଟଣା ୮/୦୮(ପୂର୍ଣ୍ଣଚନ୍ଦ୍ର ଜେନା): କରୋନା ମହାମାରୀ ଯେତିକି ଘାତକ ନୁହେଁ, ସେତିକି ଯନ୍ତ୍ରଣାଦାୟକ । ଖାଲି ରୋଗର ପ୍ରାର୍ଦୃଭାବ ଯେ ମଣିଷକୁ କଲବଲ କରୁଛି ତାହା ନୁହେଁ, ବେଉସା, ରୋଜଗାର ଛଡ଼ାଇ ନେଇ ତା’ଠୁ କେଇଗୁଣ ହନ୍ତସନ୍ତ କରୁଛି । ହେଲେ ଏପରି ସଙ୍କଟ ସମୟରେ ନିଜକୁ ଅସହାୟ ନମଣି ଜୀବନ ଯୁଦ୍ଧରେ ଅଣ୍ଟା ଭିଡି ଠିଆ ହୋଇଛନ୍ତି ଜଣେ ୮୨ ବର୍ଷିୟ ବୃଦ୍ଧ । ସେ ହେଉଛନ୍ତି ବାଲିପାଟଣା ଅଞ୍ଚଳର ବଂଶୀଧର ସାହୁ ।

ଏଇ ବୟସେରେ ବି ବଂଶୀଧର ଅଭାବ ଓ ଅନଟନ ପାଖରେ ହାର୍‌ ମାନିନାହାନ୍ତି । ଗୋଟିଏ ଛୋଟିଆ ଚା ଦୋକାନ କରି ନିଜ ପେଟ ପୋଷୁଛନ୍ତି । ରୋଜଗାର ହରାଇ ଯେତେବେଳେ ଯୁବପିଢି ଅବସାଦ ଭିତରେ ଗତି କରୁଛନ୍ତି ଓ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି, ସେହି ସମୟରେ ଜଣେ ବୃଦ୍ଧଙ୍କ ସାହସ ଓ ମନୋବଳ ନିଶ୍ଚୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହେବ ।

ଆଜକୁ ୨୦ ବର୍ଷ ହେବ ବାଲିପାଟଣା ତହସିଲ ଅଫିସ ପାଖରେ ରହିଛି ବଂଶୀଧରଙ୍କ ଚା ଦୋକାନ । ତାଙ୍କ ଦୋକାନରୁ କିଏ ବା ଚା ନପିଇଛି ଏମିତି କଥା ନାହିଁ । ପରିବାର କହିଲେ ସେ ଏକା । ଦୀର୍ଘ ବର୍ଷ ତଳୁ ପତ୍ନୀ ହାରାମଣି ସାହୁ ଆର ପାରିକୁ ଚାଲିଗଲେଣି । ପୁଅ ନାହାନ୍ତି, ଖାଲି ତିନିଟି ଝିଅ । ପୁଅ ନାହାନ୍ତି କି ଆଶ୍ରା ନାହିଁ ବୋଲି ସେ କେବେ ନିଜକୁ ଅସହାୟ ଭାବିନାହାନ୍ତି । ଜୀବନ ଯୁଦ୍ଧରେ ଏକାକୀ ଅଣ୍ଟା ଭିଡି ଠିଆ ହୋଇଛନ୍ତି । ଆଉ ଏଇ ଚା ଦୋକାନରୁ ସଞ୍ଚିତ ଅର୍ଥରେ ସେ ୩ ଝିଅଙ୍କୁ ବାହା ଦେଇସାରିଛନ୍ତି । ସାନଝିଅ ରୀତା ବେଳେ ବେଳେ ଆସି ବାପାଙ୍କ ଭଲମନ୍ଦ ଖବର ବୁଝି ଯାଆନ୍ତି । ବଡ଼ କଥା ହେଲା ତିନିଝିଅ ବାପାଙ୍କ ଏପରି ଅସହାୟ ଅବସ୍ଥାକୁ ଦେଖି ତାଙ୍କୁ ବାରମ୍ବାର ନିଜ ପାଖକୁ ନେଇଯିବାକୁ ଚାହିଁଛନ୍ତି । ମାତ୍ର ବଂଶୀଙ୍କ ଏକାଜିଦ୍‌ ସେ ନିଜ କଥା ନିଜେ ବୁଝିବେ । କାହା ଉପରେ ବୋଝ ହେବାକୁ ସେ ଚାହାନ୍ତି ନାହିଁ । ଆଉ ଏଇ ସ୍ୱାଭିମାନୀ ମଣିଷ ସେଥିପାଇଁ ଆଜି ବି ସେଇ ଚା ଦୋକାନଟି କରି ନିଜ ପେଟ ପୋଷୁଛନ୍ତି । ଏଇ ଦୋକାନରୁ ଯାହା କିଛି ରୋଜଗାର ହୁଏ ସେଥିରେ ସେ ଚଳିବା ସହିତ ଝିଅମାନଙ୍କ ପର୍ବ ପର୍ବାଣୀ ଓ ଭଲମନ୍ଦରେ ବି ଠିଆ ହେଉଛନ୍ତି । ଅବଶ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ ତାଙ୍କ ପାଇଁ ବଡ଼ ଭରସା ପାଲଟିଛି । ରେସନ କାର୍ଡରେ ଯେଉଁ ୫ କିଲୋ ଚାଉଳ ପାଉଛନ୍ତି ସେଥିରେ ତାଙ୍କର କିଛିମାତ୍ରାରେ ଅଭାବ ଦୂର ହେଉଛି । ଇନ୍ଦିରା ଆବାସ ବି ମିଳିଛି । ଆଉ ବାର୍ଦ୍ଧକ୍ୟ ଭତ୍ତା ବି ମିଳୁଛି । କିନ୍ତୁ ସେ ନିଜ ପୁରୁଣା ବେଉସାକୁ ଛାଡ଼ି ପାରୁନାହାନ୍ତି । ଦେହରେ ଆଉ ବଳ ନାହିଁ । ବସିବା ଜାଗାରୁ ଉଠି ପାରୁନାହାନ୍ତି । ତେଣୁ ସାନ ଝିଅ ବେଳେବେଳେ ଆସି ଦୋକାନରେ ବାପାଙ୍କୁ ସାହାଯ୍ୟ କରୁଛନ୍ତି । ସେଇ ଛୋଟିଆ କେବିନ ଭିତରେ ବଂଶୀଧରଙ୍କ ସଂସାର ଚାଲିଛି । ଏବେ ଟିକେ ଅସୁସ୍ଥ ଅଛନ୍ତି ବୋଲି ଝିଅର ସାହାଯ୍ୟ ଦରକାର ପଡ଼ୁଛି । ମାତ୍ର ଅନ୍ୟ ଦିନମାନଙ୍କରେ ସେ ନିଜ କାମ ନିଜେ କରିବା ସହିତ ଦୋକାନ ଚଳାଇବାରେ କୌଣସି ଅବହେଳା କରନ୍ତି ନାହିଁ । ଆମ ପ୍ରତିନିଧି ଏନେଇ ବଂଶୀଧରଙ୍କୁ ଭେଟି ତାଙ୍କର ଏ ବୟସରେ ଦୋକାନ ଚଳାଇବା କଥା ପଚାରିଥିଲେ ।

ବଂଶୀଧରଙ୍କୁ ବୟସାଧିକ୍ୟ କାରଣରୁ ଟିକେ କମ୍‌ ଶୁଭୁଛି । ପ୍ରଥମ ଥର ପଚାରିବାରୁ ସେ ଶୁଣିପାରିଲେ ନାହିଁ । ବଡ଼ ପାଟିରେ କହିବାରୁ ଉତ୍ତର ଦେଲେ, କହିଲେ ଏତେ ବୟସ ? କେତେ ବୟସ କି? ମନ ଦୁର୍ବଳ କଲେ ବାର୍ଦ୍ଧକ୍ୟ ଘାରିବ । ମୋ ମନ ଦୁର୍ବଳ ନୁହଁ । ତେଣୁ ମୁଁ କେବେ ବୁଢ଼ା ହୋଇଛି ବୋଲି ଭାବୁନି । ମୁଁ ବି ଅସହାୟ ନୁହେଁ । ହଁ ଜୀବନ ଯାତ୍ରାରେ ଏକା ଏକା ଚାଲୁଛି ସତ, କିନ୍ତୁ ସେଥି ପ୍ରତି ମୋର କିଛି ଦୁଃଖ ନାହିଁ । କଥା ହେଉ ହେଉ ସେ କହିଲେ, ଆଜିର ଯୁବପିଢି ସବୁ ପ୍ରକାର ସୁବିଧା ସୁଯୋଗ ଥାଇ ବି ନିଜକୁ ଅସହାୟ ବୋଧ କରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି । ବୃତ୍ତିଗତ ସମସ୍ୟା ନେଇ ଘାଣ୍ଟି ହେଉଛନ୍ତି । ଏହା ଠିକ ନୁହଁ । ଜଣେ ଯଦି ଚାହିଁବ ତା ପାଖରେ ଅଭାବ ଓ ଅନଟନ କିଛି ବି ରହିବ ନାହିଁ । ଜଣେ ଚାହିଁଲେ ସବୁ କାମ କରି ନିଜ ଗୁଜୁରାଣ ମେଣ୍ଟାଇପାରିବ । ସମସ୍ତେ ଆଗେଇ ଆସି ନିଜ ଖୁସି ମୁତାବକ କାମ କରିଚାଲନ୍ତୁ, ଦେଖିବେ କେହି ଅଭାବ ଭିତରେ ରହିବେ ନାହିଁ କି ଅସହାୟ ବୋଲି କେବେ ନିଜକୁ ମନେ କରିବେ ନାହିଁ ।