
ରାଞ୍ଚି,୨୩/୧୧: ଝାଡଖଣ୍ଡର ରାମଗଡ ଜିଲ୍ଲାରେ ଜଣେ ବେକାର ଯୁବକ ଅନୁକମ୍ପା ଆଧାରରେ ଚାକିରି ପାଇବା ଲାଗି ନିଜ ପିତାଙ୍କୁ ହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୁଲିସ ଅଭିଯୁକ୍ତ ପୁତ୍ରକୁ ଗିରଫ କରି ତଦନ୍ତ ଚଳାଇଛି ।
ପୁଲିସ ଅଧିକାରୀ ପ୍ରକାଶ ଚନ୍ଦ୍ର ମହାତୋଙ୍କ ସୂଚନା ଅନୁସାରେ ଜିଲ୍ଲାର ବରକାକନା ଅଞ୍ଚଳରେ ଥିବା ରାଷ୍ଟ୍ରାୟତ୍ତ ସଂସ୍ଥା ସେଣ୍ଟ୍ରାଲ କୋଲ୍ଫିଲ୍ଡସ ଲିମିଟେଡ (ସିସିଏଲ୍)ରେ କ୍ରିଷ୍ଣ ରାମ (୫୫) ହେଡ୍ ସିକ୍ୟୁରିଟି ଭାବେ କାର୍ଯ୍ୟ କରନ୍ତି । ତାଙ୍କର ୩୫ ବର୍ଷର ପୁଅକୁ ଚାକିରି ମିଳୁ ନଥିଲା । ସେ ବହୁଦିନ ହେଲା ବେକାର ବସିଥିଲା । ସିସିଏଲ୍ରେ ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଯଦି କାର୍ଯ୍ୟରତ ଥିବା ବେଳେ କୌଣସି କର୍ମଚାରୀଙ୍କ ମୃତ୍ୟୁ ଘଟେ ତେବେ ଅନୁକମ୍ପା ଆଧାରରେ ତାଙ୍କ ପରିବାରର କୌଣସି ବ୍ୟକ୍ତିକୁ ଚାକିରି ମିଳିଥାଏ । ସେହି କାରଣରୁ ପିତାଙ୍କ ମୃତ୍ୟୁ ଘଟିଲେ ତାକୁ ଚାକିରି ମିଳିବ ବୋଲି ପୁଅ ଭାବିଲା ।
ଗତ ବୁଧବାର ରାତିରେ କ୍ରିଷ୍ଣ ରାମ ରହୁଥିବା କ୍ୱାର୍ଟର୍ସରେ ତାଙ୍କର ଗଳାକାଟି ପୁଅ ହତ୍ୟା କରିଥିଲା । ଗୁରୁବାର ସକାଳୁ କ୍ରିଷ୍ଣ ରାମଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା । ତାଙ୍କ ପିତାଙ୍କୁ କେହି ହତ୍ୟାକରି ପଳାଇଥିବା ସେ ପୁଲିସରେ ଅଭିଯୋଗ କରିଥିଲା । ମାତ୍ର ତା ଉପରେ ପୁଲିସର ସନ୍ଦେହ ହୋଇଥିଲା । ପୁଲିସ ତାକୁ ଧରିନେଇ ଜେରା କରିବା ପରେ ସେ ଦୋଷ ସ୍ୱୀକାର କରିଥିଲା । ପୁଲିସ ହତ୍ୟାରେ ବ୍ୟବହୃତ ଛୁରି ଏବଂ ମୃତ କ୍ରିଷ୍ଣ ରାମଙ୍କ ମୋବାଇଲ ଫୋନ୍ ଜବତ କରିଛି ।