ଗାଁ ମଝିରେ ବାପା- ପୁଅକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ: ଜଣେ ମୃତ, ଜଣେ ଗୁରୁତର

ବ୍ରହ୍ମପୁର,୦୮/୦୩: ବାପା ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଏଥିରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି । ସଦର ଥାନା ଅଧୀନ ଝାଡ଼ଙ୍କୁଲି ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି। ମୃତକ ବ୍ରହ୍ମପୁର ଆମ୍ବପୁଆ ବସନ୍ତ ବିହାରର କୋରା ସେଠୀ (୫୫) ଓ ଆହତ ତାଙ୍କ ପୁଅ ପ୍ରଶାନ୍ତ ସେଠୀ (୨୮)।
ପୁଲିସ ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ କୋରା ସେଠୀ ଓ ପ୍ରଶାନ୍ତ କୌଣସି କାମରେ ଝାଡ଼ଙ୍କୁଲି ଗ୍ରାମକୁ ଯାଇଥିଲେ । ରାତି ପ୍ରାୟ ସାଢ଼େ ୮ଟାରେ ପ୍ରଶାନ୍ତ ଗାଁ ଦାଣ୍ଡରେ ଠିଆ ହୋଇଥିବା ବେଳେ କୋରା ସେଠୀ ଗୋଟିଏ ଜଳଖିଆ ଦୋକାନରେ ବସିଥିଲେ । ହଠାତ୍ କେତେକ ଯୁବକ ପ୍ରଶାନ୍ତଙ୍କୁ ଆକ୍ରମଣ କରିଥିଲେ। ଖଣ୍ଡାକାତିରେ ଆକ୍ରମଣ ହେବାରୁ ପ୍ରାଣବିକଳରେ ପ୍ରଶାନ୍ତ ଦୌଡ଼ି ଯାଇ ନିକଟରେ ଥିବା ଏକ ଘର ଭିତରେ ପଶି ଯାଇଥିଲେ । ସେପଟେ ପୁଅକୁ ଆକ୍ରମଣ ହେଉଥିବା ଶୁଣି କୋରା ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିବାରୁ ଘଟଣାସ୍ଥଲରେ ହିଁ ସେ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ ବାପା ପୁଅ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ ।
ସେଠାରେ ଡାକ୍ତର କୋରା ସେଠୀଙ୍କୁ ମୃତ ଘୋଷଣା କରିଥିଲେ । ପ୍ରଶାନ୍ତଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ସଦର ଥାନା ପୁଲିସ ଝାଡ଼ଙ୍କୁଲିରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି ଏବଂ ବୈଦ୍ୟନାଥପୁର ଆଇଆଇସି ଶାରଦା ପ୍ରସାଦ ଦାଶ ଏମ୍କେସିଜିରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିଛନ୍ତି ।