ଖୋଲିଲା ବାପୁଜୀନଗର ମାର୍କେଟ୍‌: ଦୋକାନୀ ପିନ୍ଧିବେ ମାସ୍କ, ଗ୍ଲୋଭସ୍‌

ଭୁବନେଶ୍ୱର,୧୬/୫: ବାପୁଜୀନଗର ମାର୍କେଟ୍‌ ଶୁକ୍ରାବାର ଖୋଲିଛି । ମାର୍କେଟ୍‌ର ସବୁ ଦୋକାନ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି । ବିଏମ୍‌ସିଠାରୁ ଅନୁମତି ପାଇବା ପରେ ଦୋକାନୀମାନେ ନିଜ ନିଜ ଦୋକାନ ଖୋଲିଛନ୍ତି । କିନ୍ତୁ ଦୋକାନ ଖୋଲିବାକୁ ନେଇ ବିଏମ୍‌ସି ଦୋକାନୀଙ୍କ ଆଗରେ ଅନେକ କଡ଼ା ସର୍ତ୍ତ ରଖିଛି । ନିର୍ଦ୍ଦେଶନାମା ନ ମାନିଲେ ତତ୍କାଳ ଅନୁମତି ବାତିଲ କରାଯିବ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛି ।
  

ସାମାଜିକ ଦୂରତା ନିୟମ ଉଲଙ୍ଘନ ପାଇଁ ବିଏମ୍‌ସି ବାପୁଜୀନଗର ମାର୍କେଟ୍‌କୁ ବନ୍ଦ କରିଥିଲା । ତେବେ ଦୋକାନ ଖୋଲିବାକୁ ଅନୁମତି ଦେବାକୁ ବାପୁଜୀନଗର ଚାମ୍ବର ଅଫ୍‌ କମର୍ସ ପକ୍ଷରୁ ବିଏମ୍‌ସି ଜୋନାଲ ଡେପୁଟି କମିଶନରଙ୍କୁ ଦାବିପତ୍ର ଦିଆଯାଇଥିଲା । ସବୁ ଦୋକାନୀମାନେ ସାମାଜିକ ଦୂରତା ନିୟମ ସହ ବିଏମ୍‌ସିର ସମସ୍ତ ନିୟମକୁ କଡ଼ାକଡ଼ି ମାନିବେ ବୋଲି ପ୍ରସ୍ତାବ ଦେଇଥିଲେ । ତେବେ ବିଏମ୍‌ସି ଆଜି ମାର୍କେଟ୍‌ ଦୋକାନୀଙ୍କ ପାଇଁ ସାନି ନିର୍ଦ୍ଦେଶନାମା ଆଣିଛି। କୌଣସି ଦୋକାନ ଆଗରେ ଗାଡି ପାର୍କିଂ ହେବନି । ରାଜମହଲ- ଶିଶୁଭବନ ମୁଖ୍ୟ ରାସ୍ତାର ପାର୍କିଂସ୍ଥାନରେ ଗାଡି ପାର୍କିଂ ହେବ । ସକାଳ ୭ଟାରୁ ସନ୍ଧ୍ୟା ସାଢେ ୬ଟା ଯାଏ ଦୋକାନ ଖୋଲିବ । ସମସ୍ତ ଦୋକାନ ୩୩ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଦୋକାନର ସବୁ କର୍ମଚାରୀ ବାଧ୍ୟତାମୂଳକ ଭାବେ ମାସ୍କ ଓ ଗ୍ଲୋଭସ୍‌ ପିନ୍ଧିବେ । ଗ୍ରାହକ ବି ମାସ୍କ ପିନ୍ଧି ଦୋକାନ ଭିତରକୁ ଯିବେ । ଦୋକାନ ଭିତରକୁ ଏକକାଳୀନ ୫ରୁ ଅଧିକ ଗ୍ରାହକ ଯାଇପାରିବେନି । ଦୋକାନର ଟେରାସ୍‌ ବା ସମ୍ମୁଖରେ କେହି କୌଣସି ସାମଗ୍ରୀ ବିଜ୍ଞାପନ ଭାବେ ପ୍ରଦର୍ଶନ କରିପାରିବେନି ।  

ଦୋକାନର କୌଣସି କର୍ମଚାରୀ ବା ଗ୍ରାହକଙ୍କର ଫ୍ଲୁ ଲକ୍ଷଣ ଓ ଶ୍ୱାସଜନିତ ସମସ୍ୟା ଥିଲେ ତାଙ୍କୁ ଦୋକାନ ଭିତରକୁ ଆସିବାକୁ ଅନୁମତି ଦିଆଯିବନି । ଦୋକାନ କର୍ମଚାରୀ ଓ ଗ୍ରାହକଙ୍କ ହାତ ଧୁଆ ଓ ସାନିଟାଇଜର୍‌ ବ୍ୟବସ୍ଥା ରହିବ । ଦୋକାନ ମାଲିକ ଏହି ବ୍ୟବସ୍ଥା କରିବେ। ଆରୋଗ୍ୟ ସେତୁ ଆପସ୍‌ ବ୍ୟବହାର ପାଇଁ କର୍ମଚାରୀ ଓ ଗ୍ରାହକଙ୍କୁ ପ୍ରୋତ୍ସାହିତ କରାଯିବ । ସାମାଜିକ ଦୂରତା ରକ୍ଷା ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମସ୍ତ ନିର୍ଦ୍ଦେଶନାମାକୁ ଦୋକାନୀ ମାନିବେ ବୋଲି ବିଏମ୍‌ସି ସର୍ତ୍ତ ରଖିଛି । ଏହାକୁ ମାନିବେ ବୋଲି ଦୋକାନୀ ହଁ କରିବା ପରେ ଦୋକାନ ଖୋଲିବାକୁ ବିଏମସି ସର୍ତ୍ତମୂଳକ ଅନୁମତି ଦେଇଛି । ଯିଏ ନିୟମ ଉଲଙ୍ଘନ କରିବ ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି ।

   ସମ୍ବନ୍ଧିତ ଖବର


ସମ ହସ୍ପିଟାଲରେ ଖୁବ ଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ: ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ

ଏଥର ସିଲଭର୍ ସିଟିରେ ଅଲୋଡା ପଡ଼ିବ ଚେଚିସ୍ ‌! ଟ୍ରଲି, ଡାଲା ଅଟୋରେ ମା’ଙ୍କୁ ଦିଆଯିବ ମେଲାଣି

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….

ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର