ଭୁବନେଶ୍ୱର,୧୩/୦୫: ଡ୍ୟାନ୍ସର ସୁଲୋଚନା ଦାସ(ସୁମି)ଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି । ବଡ଼ଗଡ଼ ଥାନା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, ପୁରୁଷବନ୍ଧୁ ନିହାର ଗିରି ହେଉଛନ୍ତି ବିବାହିତ । ବିବାହିତ ବୋଲି ଜାଣି ମଧ୍ୟ ସୁମି ତାଙ୍କ ସହ ମିଶୁଥିଲେ । ଏଥିପାଇଁ ନିହାରଙ୍କ ପତ୍ନୀ ଏକାଧିକ ଥର ସୁମିଙ୍କୁ ଗାଳି କରିଥିଲେ । ସେପଟେ ପୁଲିସ ପୁରୁଷବନ୍ଧୁଙ୍କ ସହ ଫୋନ୍ରେ କଥା ହୋଇଛି । ଖୁବ୍ଶୀଘ୍ର ସେ ଥାନାକୁ ଜେରା ପାଇଁ ଆସିପାରନ୍ତି ବୋଲି ପୁଲିସ କହିଛି ।
ପୁଲିସ ଏକାଧିକ ଦିଗରୁ ମାମଲାର ଖୋଳତାଡ଼ କରୁଛି । ସୁମିଙ୍କ ଜଣେ ସହକର୍ମୀଙ୍କଠାରୁ ପୁଲିସ ଅନେକ ତଥ୍ୟ ଉଗାରିଛି । ନିହାର ବିବାହିତ ବୋଲି ଜାଣିବା ସତ୍ତେ୍ୱ ସୁମି ସମ୍ପର୍କ ରଖୁଥିଲେ । ସୁମିଙ୍କ ଭଡ଼ାଘରକୁ ନିହାରଙ୍କ ଯିବା ଆସିବା ଲାଗି ରହୁଥିଲା । ନିହାରଙ୍କ ପତ୍ନୀ ଏକଥା ଜାଣିପାରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ନିହାରଙ୍କ ପତ୍ନୀ ପୂର୍ବରୁ ସୁମିଙ୍କୁ ଫୋନ୍ କରି ଗାଳି କରିଥିଲେ । ନିହାରଙ୍କ ସହ ନ ମିଶିବା ପାଇଁ ତାଗିଦ୍ କରିଥିଲେ । ଏନେଇ ନିହାର ଓ ତାଙ୍କ ପତ୍ନୀଙ୍କୁ ଜେରା କରାଯିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ବୋଲି ପୁଲିସ କହିଛି ।
ସୁଲୋଚନାଙ୍କ ବାପା ବୈରାଗୀ ଦାସ ଥାନାରେ ତାଙ୍କ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ କରିଥିଲେ । ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ରବିବାର ପୁଲିସକୁ ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି । ଶ୍ୱାସରୁଦ୍ଧ ଯୋଗୁ ସୁମିଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସୁମିଙ୍କ ବେକରେ ବଡ଼ ଦାଗ ରହିଛି । ଅନ୍ୟ କୌଣସି ଜାଗାରେ କ୍ଷତ ଚିହ୍ନ ନାହିଁ । ତାଙ୍କ ଗାଲ ଓ ପିଠିରେ ମାଡ଼ ଚିହ୍ନ ଥିଲା । ମୃତ୍ୟୁ ପୂର୍ବରୁ କେହି ଜଣେ ସୁମିଙ୍କୁ ପିଟିଥିବାର ସନ୍ଦେହ କରାଯାଉଛି । ମୃତଦେହର ଏକାଧିକ ଅଙ୍ଗର ନମୁନା ସଂଗ୍ରହ କରାଯାଇ ଭିସେରା ପାଇଁ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାରକୁ ପଠାଯାଇଛି । ସେହିପରି ମୃତ୍ୟୁ ପୂର୍ବରୁ ନିହାରଙ୍କୁ ଅନେକ ବାର ଫୋନ୍ ଓ ଭିଡିଓ କଲ୍ କରାଯାଇଛି । ସୁମିଙ୍କ ଫୋନ୍କୁ ଫରେନ୍ସିକ ଲ୍ୟାବ୍କୁ ପଠାଯାଇଛି । ସେଥିରୁ ଅନେକ ସୁରାକ ମିଳିପାରେ ବୋଲି ପୁଲିସ ଆଶା ରଖିଛି ।