କଂସ ବଧ ସହ ସରିଲା ବରଗଡ଼ ଧନୁଯାତ୍ରା

ମଥୁରାନଗରୀ,୨୧ା୧(ଆପ୍ର): ଅଧର୍ମ, ଅନ୍ୟାୟ ଓ ଅତ୍ୟାଚାର ଯେ ଚିରସ୍ଥାୟୀ ନୁହେଁ, ତାହା ବରଗଡ଼ ଧନୁଯାତ୍ରାରେ ପୁଣି ଥରେ ପ୍ରମାଣିତ ହୋଇଛି । ସୁରକୁଳରେ ଜନ୍ମିତ ଓ ଅସୁର ଆଚରଣରେ ବଶୀଭୂତ ଅତ୍ୟାଚାରୀ ମଥୁରାଧିପତି କଂସ ଆଜି କୃଷ୍ଣ-ବଳରାମଙ୍କ ମୁଷ୍ଟି ପ୍ରହାର ଓ ପଦାଘାତରେ ପଞ୍ଚତ୍ୱ ପ୍ରାପ୍ତ ଲଭିଛନ୍ତି । ଅସୁର ନିପାତ ପାଇଁ ମର୍ତ୍ତ୍ୟରେ ଅବତାର ହୋଇ କୃଷ୍ଣ ରୂପରେ ଜନ୍ମ ନେଇ ମର୍ତ୍ତ୍ୟକୁ ଓହ୍ଲାଇଥିବା ସୃଷ୍ଟିପାଳକ ବିଷ୍ଣୁଙ୍କ ହାତରେ ମୋକ୍ଷ ଲାଭ କରି କଂସ ଶେଷରେ ନିଜର ହୃଦୟର ଭାବ ପରିପ୍ରକାଶ କରି ମୋକ୍ଷପ୍ରାପ୍ତିର କାମନା କରିଛନ୍ତି । ‘ଅନେକ ବାର ମୋତେ ମାରି, ମୋକ୍ଷ ନଦେଲେ ନରହରି³ ଏବେ ମାରିବେ ଯେବେ ହସ୍ତେ, ସୌଭାଗ୍ୟ ଲଭିବି ଅନ୍ତେ ।’ କଂସଙ୍କ ମୃତ୍ୟୁ ପରେ ମଥୁରାର କୋଣଅନୁକୋଣରେ ଖୁସିର ଲହରି ଖେଳି ଯାଇଥିବା ବେଳେ ନଗ୍ରେପୁରେ ପୁଷ୍‌ପୁନିର ମାହୋଲ ସୃଷ୍ଟି ହୋଇଛି ।
ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇ ଅତ୍ୟାଚାରର କଳା ଅଧ୍ୟାୟ ଶେଷ ହୋଇଛି । କଂସ ରୂପି ଅନ୍ୟାୟ ଅତ୍ୟାଚାରର ପ୍ରତୀକକୁ ଦମନ କରିବା ପାଇଁ ମର୍ତ୍ତ୍ୟାଭିମୁଖୀ ସ୍ୱୟଂ ଭଗବାନଙ୍କ ଉଦ୍ଦେଶ୍ୟ ସଫଳ ହୋଇଛି । ନିଜ ମୃତ୍ୟୁ ଧ୍ରୁବସତ୍ୟ ଜାଣି ମଧ୍ୟ ଧନୁଯାତ୍ରାର କପଟ ରଚନା କରି ଭଣଜାଙ୍କୁ ନିମନ୍ତ୍ରଣ ଦେଇ ମାମୁଁ କଂସ ନିଜର ଅସୁରତ୍ୱର ପ୍ରମାଣ ଦେଇଛି ଏବଂ ମୃତ୍ୟୁ ଆସନ୍ନ ପ୍ରାକ ଭଗବାନ ଶ୍ରୀକୃଷ୍ଣଙ୍କୁ ମୋକ୍ଷ ପାଇଁ ପ୍ରାର୍ଥନା କରିଛି । ଅନ୍ୟାୟ ଯେ କ୍ଷଣସ୍ଥାୟୀ ଏହା ପୁଣି ଥରେ ପ୍ରମାଣିତ ହୋଇଛି । ଶିବଧନୁ ଓ ଧନୁଯାତ୍ରା ତ ଏକ ବାହାନା ମାତ୍ର । ଏହି କ୍ରମରେ ମନ୍ତ୍ରୀ ଅକ୍ରୂରଙ୍କ ସଙ୍ଗେ ମାମୁଁ କଂସର ଡାକରାରେ ଭଣଜା କୃଷ୍ଣ-ବଳରାମ ଗୋପ ଛାଡ଼ି ମଥୁରା ଆସି ଧନୁଯାତ୍ରା ପରିଭ୍ରମଣ କରିଥିଲେ । ମଧୁବନ ତୋଟାରେ କଂସ ପ୍ରକୃତି ଓ ଆଚରଣ ଦ୍ୱାରା ନିୟନ୍ତ୍ରିତ ରଜକକୁ ଚାପୁଡ଼ା ମାରି ହତ୍ୟା କରି ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଙ୍କୁ ଆକ୍ଷେପ କରି ଅର୍ଜିଥିବା ପାପରୁ ରଜକକୁ ମୁକ୍ତ କରିଥିଲେ । ସୁଦାମା ମାଳିର ପୁଷ୍ପସଜ୍ଜାରେ ପ୍ରୀତ ହୋଇ ଆଶୀର୍ବାଦ କରିଥିବା ବେଳେ ସଂଗୃହୀତ ଫୁଲରେ ବେନିଭ୍ରାତାଙ୍କୁ ସଜ୍ଜିତ କରିଥିବା ପ୍ରୀତିରେ ତୃଷ୍ଣ ହୋଇ ପିଠିରେ ହାତ ବୁଲାଇ ଆଣିବା ପରେ କୁବ୍‌ଜାର କୁଜ ଉଭେଇ ଯାଇ ଏକ ସୁନ୍ଦର ନାରୀରେ ପରିଣତ ହୋଇଥିଲା । ଧନୁଗୃହରେ ରାତ୍ରୀଯାପନ କରିଥିବା ବେନିଭ୍ରାତା ରାତି ପାହିଲା ମାତ୍ରକେ ପୁଣି ମଥୁରା ପରିଭ୍ରମଣ ବାହାରି ପ୍ରଜାଙ୍କ ସହ ମିଶିଥିଲେ । ଶେଷରେ ବହୁ ପ୍ରତୀକ୍ଷିତ ମାମୁଁ ରଚିଥିବା କପଟ ଧନୁଯାତ୍ରାର ମୀନାବଜାରରେ ଆସି ପହଞ୍ଚିଥିଲେ । ବକ୍ରଦୋଳି ଠାରୁ ଆରମ୍ଭ କରି ଚକ୍ରଦୋଳି ପର୍ଯ୍ୟନ୍ତ ଉପଭୋଗ କରି ବେନିଭାଇ ଅପରାହ୍ନରେ ଶଙ୍ଖ, ଘଣ୍ଟର ତାଳେ ତାଳେ ଗୋପାଳଙ୍କ ସହ ମାମୁଁ କଂସଙ୍କ ରାଜଦରବାରରେ ପହଞ୍ଚିଥିଲେ । ଭଣଜାଙ୍କ ଆଗମନ ସମ୍ପର୍କରେ ସବିଶେଷ ସୂଚନା ରଖୁଥିବା କଂସ ମହାରାଜ ସମ୍ପୂର୍ଣ୍ଣ ବ୍ୟୂହ ରଚନା କରିଥିଲେ । ସେହିକ୍ରମରେ ସମର ସଜ୍ଜାର ନେତୃତ୍ୱ ନେଇଥିବା ମହାମନ୍ତ୍ରୀ ଶକ୍ରାଜିତ କୃଷ୍ଣଙ୍କ ପଥରୋଧ ପାଇଁ ମତ୍ତ କୁବଳୟା ହସ୍ତୀକୁ ପଠେଇଥିଲେ । ରାଜକ୍ଷମତାରେ ମତ୍ତ ବିଶାଳ ବପୁଧାରୀ ଓ ବଳଶାଳୀ କୁବଳୟା ହସ୍ତୀ କୃଷ୍ଣଙ୍କ ଆଗରେ ଦଣ୍ଡେ ବି ରହି ନପାରି ଗୋଟିଏ ବଜ୍ରମୁଷ୍ଟିରେ ପରାଜିତ ଓ ନିହତ ହୋଇଥିଲା । କୁବଳୟାକୁ ବଧ କରି ବେନିଭାଇ ଦରବାର ଦିଗରେ ଅଗ୍ରସର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ହୋଇ କଂସାସୁରର ସୈନ୍ୟସାମନ୍ତ ପଥରୋଧ କରି ପରାଜିତ ହୋଇଥିଲେ । ଏପରିକି ଏହାର ପ୍ରଭାବରେ ଚାଣୁର, ମୁଷ୍ଟିକ, ସେନାପତି ହଂସଧ୍ୱଜ, ସେନାପତି ପ୍ରଦ୍ୟୁତ ମଧ୍ୟ ପରାଜିତ ହୋଇ ପଛଘୁଞ୍ଚା ଦେଇଥିଲେ । କୃଷ୍ଣ ବଳରାମ ଆଗକୁ ବଢ଼ି ଚାଲିଥିବା ସମୟରେ ଗୋପାଳ ବାଳକମାନେ ତାଳିମାରି ଉତ୍ସାହିତ କରି ଚାଲିଥିଲେ । ତେବେ ଗୋପାଳ ବାଳକଙ୍କ ସହ ଆଗକୁ ମାଡ଼ିଚାଲିଥିବା ନାଟର ଗୋବର୍ଦ୍ଧନ ଶ୍ରୀକୃଷ୍ଣ ଓ ହଳଧର ବଳରାମ କଂସର ବଳ ଭାବେ ବିବେଚିତ “ଶିବଧନୁ’ ଭାଙ୍ଗି ନିଜର ପରାକାଷ୍ଠା ପ୍ରଦର୍ଶନ କରିବା ଦେଖି ମହାମନ୍ତ୍ରୀ ଶକ୍ରାଜିତ ଓ ମନ୍ତ୍ରୀ ସାର୍ତ୍ତକୀ ପ୍ରଭୂତ୍ୱ ପରିବର୍ତ୍ତନ କରି ଦୁଇଭାଇଙ୍କ ଆଗରେ ଆଯାନୁ ଶରଣାଗତ ହୋଇ ମହାପ୍ରଭୁଙ୍କ ଠାରୁ ଅଭୟ ପାଇଥିଲେ । ନିଜର ସମସ୍ତ ଅସୁରବଳ ଧ୍ୱଂସ ପାଇବା ଜାଣି ମଧ୍ୟ କଂସର ଗର୍ବ କମିନାହିଁ । ଓଲଟା ଅଟ୍ଟହାସ୍ୟ କରି ନିଜର ସମସ୍ତ ବଳକୁ ଶକ୍ତି କରିଥିଲେ । ପୁଣି କ୍ଷଣିକ ପାଇଁ ବିଚଳିତ ହୋଇଯିବା ପରେ ପରକ୍ଷଣି କରୁଥିବା ଅଟ୍ଟହାସ୍ୟ କଂସର ମୃତ୍ୟୁ ଭୟକୁ ଉଦ୍‌ଭାସିତ କରିଥିଲେ ମଧ୍ୟ ସୃଷ୍ଟି ନିୟନ୍ତା ଭିଆଇଥିବା କାଳକୁ ଏଡାଇ ନପାରି ସମ୍ମୁଖ ଯୁଦ୍ଧ ପାଇଁ କୃଷ୍ଣଙ୍କୁ ଆହ୍ୱାନ ଦେଇଥିଲେ । ଯାହାକୁ ଶ୍ରୀକୃଷ୍ଣ-ବଳରାମ ଗ୍ରହଣ କରି ଆଗକୁ ବଢ଼ିଥିବା ଦୃଶ୍ୟ ଉତ୍ସାହ ବଢ଼ାଇ ଦେଇଥିଲା । ରାଜନୀତି, ହାତାହାତି, ବାହୁକୁସ୍ତି, ଅସ୍ତ୍ରନୀତି, କୂଟନୀତି ସବୁଥିରେ ପରାସ୍ତ ହୋଇଥିବା ମହାରାଜ କଂସ ଶେଷରେ ଭଣଜାଙ୍କ ମୁହଁରେ ସ୍ୱର୍ଗର ଛବି ଦେଖି ନିସ୍ତେଜ ହୋଇପଡ଼ିଥିବା ବେଳେ ଜଗତର ନାଥଙ୍କ ଏଭଳି ଅପୂର୍ବ ଶୋଭାକାନ୍ତିରେ ବିମୋହିତ ହୋଇ କ୍ରମଶଃ ମାନସିକ ଦୁର୍ବଳତା ଅନୁଭବ କରି ଶେଷରେ ମୋକ୍ଷ ପ୍ରାପ୍ତି ଆଶାରେ ହାତଯୋଡ଼ି ଶ୍ରୀକୃଷ୍ଣ ଓ ବଳରାମଙ୍କ ସହ ଯୁଦ୍ଧ କରି ଧରାଶାୟୀ ହୋଇ ଯାଇଥିଲେ । ମାମୁଁଙ୍କ ଶରୀର ଉପରେ ଚଢ଼ି ଭଣଜା କୃଷ୍ଣ କଂସାସୁରକୁ ବଧ କରିବା ପାଇଁ ଉଦ୍ୟତ ହୁଅନ୍ତେ, କଂସ ପାଟିରୁ ଆପେ ଆପେବାହାରି ପଡ଼ିଥିଲା “ବସୁଦେବଂ ସୂତ ଦେବଂ, କଂସ ଚାଣୁର ମର୍ଦ୍ଦନଂ³ ଦେବକୀ ପରମାନନ୍ଦଂ, କୃଷ୍ଣ ବନ୍ଦେ ଜଗତଗୁରୁ, ଜଗତଗୁରୁ….ା’ ଅହଙ୍କାର, ମାନ, ଦର୍ପ ତ୍ୟାଗ କରି ପ୍ରଭୁଙ୍କ ଶରଣାଗତ ହେବା ପରେ କଂସାସୁରର ପ୍ରାଣବାୟୁ ଉଡ଼ିଯାଇଥିଲା । ଏଥିସହ ଅନ୍ୟାୟ, ଅତ୍ୟାଚାର, ଗର୍ବର ଅନ୍ତ ହୋଇଥିଲା । କଂସ ମୃତ୍ୟୁରେ ଆନନ୍ଦିତ ମଥୁରାବାସୀ ହୁଳହୁଳି, କରତାଳି ସହ କୃଷ୍ଣ ବଳରାମଙ୍କୁ ସ୍ୱାଗତ କରି ଖୁସି ପ୍ରକାଶ କରିଥିଲେ ଏବଂ ସମସ୍ତ ମଥୁରାବାସୀଙ୍କ ମୁହଁରୁ ସ୍ୱତଃସ୍ଫୂର୍ତ୍ତ ଭାବେ ବାହାରି ପଡ଼ିଥିଲା “କଂସ ରାଜାର୍‌ ବଁଶ ବୁଡ଼ୁ, କଂସ ମଲେ ଖାଏମା ଲଡ଼ୁ’ । ଅନ୍ୟାୟରୁ ପର୍ଦ୍ଦା ହଟେଇ ରାମକୃଷ୍ଣ ବେନିଭ୍ରାତା କାରାଗାରରୁ ମାତା ଦେବକୀ ଓ ପିତା ବସୁଦେବଙ୍କୁ ମୁକୁଳାଇ ପିତାମହ ଉଗ୍ରସେନଙ୍କୁ ପୁନଶ୍ଚ ମଥୁରା ସିଂହାସନରେ ବସାଇବା ପରେ ମଥୁରାରେ ବିଜୟ ଉତ୍ସବ ସ୍ୱରୂପ “ପୁଷ୍‌ପୁନି’ ସଜବାଜ ଆରମ୍ଭ ହୋଇଥିଲା ।
ପରମ୍ପରାନୁଯାୟୀ ଅନ୍ତିମ ଦିବସରେ ଆଜି ମଥୁରାନଗରୀ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଓ ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁ ରାଜଅତିଥି ଭାବେ ଯୋଗଦେଇ ଆତିଥ୍ୟ ସ୍ୱୀକାର କରିବା ସହ ଦରବାରରେ ସମ୍ପାଦିତ ହୋଇଥିବା ବିଭିନ୍ନ ପୁରସ୍କାର ବିତରଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଧନୁଯାତ୍ରା ସମ୍ପାଦକ ସୁରେଶ୍ୱର ଶତପଥି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସମସ୍ତ କମିଟିର ଆବାହକମାନେ ମଞ୍ଚାସୀନ ହୋଇ ଯାତ୍ରାକୁ ଆଗେଇ ନେଇଥିଲେ । ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ତିନୋଟି ଜାତୀୟ ନୃତ୍ୟଦଳ ପଞ୍ଜାବ, ଆସାମ ଓ କଶ୍ମୀର ସମେତ କୁମ୍‌କୁମ୍‌ ମହାନ୍ତି ଓ ଦଳଙ୍କ ଓଡ଼ିଶୀ, ନୀଳାଦ୍ରି ଗୋଟିପୁଅ ତଥା ବରଗଡ଼ ଜିଲ୍ଲାର ଚାରୋଟି ଦଳ ଢଲିଆଖୁସା, ଶବ୍ଦନୃତ୍ୟ, ଦିବ୍ୟରୂପା ନୃତ୍ୟାନୁଷ୍ଠାନ ବରଗଡ଼ ଓ ସୋନପୁରର ରୁମ୍‌କୁଝୁମା ନାଚଗୀତ ପରିବେଷଣ କରିଥିଲେ । ଏହାକୁ ସାଂସ୍କୃତିକ କମିଟିର ଆବାହକ ଗୋପାଳକୃଷ୍ଣ ଦାଶ ସଂଯୋଜନା କରିଥିବା ବେଳେ ସମସ୍ତ ସଭ୍ୟ ସହଯୋଗ କରିଥିଲେ ।

   ସମ୍ବନ୍ଧିତ ଖବର


କରୋନା ନେଲା ଆଉ ୧୪ ଜୀବନ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୯୭କୁ ବୃଦ୍ଧି

୩୯୨୨ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯ ହଜାର ୩୭୪କୁ ବୃଦ୍ଧି

ଆଜି ଜେଇଇ ଆଡଭାନ୍ସ ପ୍ରବେଶିକା ପରୀକ୍ଷା, ୫ଟି ସହରରେ ୧୮ଟି ପରୀକ୍ଷା କେନ୍ଦ୍ର

ସ୍ତ୍ରୀର ଜୀବନ ନେଲା ସ୍ୱାମୀ ! ନୃଶଂସ ଭାବେ କଲା ହତ୍ୟା

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ ‌- ୨ମୃତ

ପ୍ରସିଦ୍ଧ ଲଙ୍ଗୁଳି ମଠରେ ନକଲି ଚେଲାଙ୍କ ପ୍ରଭାବ ବିସ୍ତାର-ସିଂହଦ୍ୱାରରେ ଧାରଣାରେ ବସିଲେ ନାଗା ସାଧୁ