ବାରଙ୍ଗ କିଙ୍ଗ୍ରୁ ଜାଲ୍ ଜଳନ୍ଧର ସ୍ୱାଇଁ ଯାଏ… ଟୋଟାଲ୍ ବ୍ଲାଇଣ୍ଡ କେସ୍, ବିଷାକ୍ତ ବୋଡ଼ାକୁ ଗାତରୁ କେମିତି ବାହାର କଲା ପୋଲିସ

କଟକ ୨୩।୨ : ବିବନ ବିଶ୍ୱାଳ ଓରଫ ବିବେକାନନ୍ଦ ଓରଫ ବି.କେ. । ଘର ନରଣପୁର । ବାରଙ୍ଗ ଅଞ୍ଚଳର ଜଣେ ଅସାମାଜିକ ଯୁବକ ଭାବେ ବିକେ ଥିଲା ଜଣାଶୁଣା । ବାରଙ୍ଗ ଅଞ୍ଚଳରେ ତାର ବେଶ ପତିଆରା ଥିଲା, ଅପରାଧୀକ କାର୍ଯ୍ୟକଳାପ ଦୃଷ୍ଟିରୁ । ଲୋକେ ଡରୁଥିଲେ ତାକୁ । ତେବେ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲା ପରେ ବିବନର ଖାତିର୍ ଆହୁରି ବଢ଼ିଯାଇଥିଲା ।
ଏତେ ବଡ଼ କାଣ୍ଡର ମୁଖ୍ୟ ଅଭିଯୁକ୍ତ ହୋଇ ପୁଲିସ ହାତରେ ଧରାନପଡ଼ିବା ବିବନକୁ ସ୍ୱତନ୍ତ୍ର ଅପଖ୍ୟାତି ଦେଇଥିଲା । ଖାସ୍ କରି ରାଜନୈତିକ ପୃଷ୍ଠପୋଷକ ବା ସଂରକ୍ଷଣରେ ବିବନ ରହୁଥିବାରୁ ସ୍ଥାନୀୟ ଅଞ୍ଚଳରେ ତାର ଖାତିର୍ ବଢିଯାଇଥିଲା । ବିବନକୁ ତାର ସାଙ୍ଗ ଓ ସମ୍ପର୍କୀୟମାନେ ବି.କେ ନାଁରେ ଡାକୁଥିଲେ । ବି.କେକୁ କେହି ଧରିପାରିବେ ନାହିଁ ବୋଲି ତାର ସାଙ୍ଗମାନେ ବି ବାହାଦୂରି ମାରି କହୁଥିଲେ । ବି.କେର ପୂରା ନାଁ ଥିଲା ବାରଙ୍ଗ କିଙ୍ଗ୍ ।
୧୯୯୯ ଜାନୁଆରୀ ୯ ରାତିର ଅଞ୍ଜନା ମିଶ୍ର ଗଣବଳାତ୍କାର ଘଟଣା ପରଠାରୁ ବିବନ ବାରଙ୍ଗରୁ ଫେରାର୍ ହୋଇଯାଇଥିଲା । ଅତି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ପ୍ରଥମେ ସେ କଟକ ଚାଲିଆସି ପରେ ସିଧା ମୁମ୍ବାଇ ପଳାଇଥିଲା । ମୁମ୍ବାଇରେ ସେ କିଛି ଦିନ ବିଭିନ୍ନ ଠିକଣା ବଦଳାଇ ଲୁଚି ବୁଲିଥିଲା । ମାତ୍ର ପାଖରୁ ପଇସା ସରିଯିବା ପରେ ସେ ପାଣି ପାଇପ୍ କାମ କରିବା ଆରମ୍ଭ କଲା । ସେ ଓଡ଼ିଶାର କିଛି ଲୋକଙ୍କ ସହିତ ମିଶି ସେଠାରେ ପାଣି ପାଇପ୍ ଲେବର୍ ଭାବେ କାମ କଲା । ଦୀର୍ଘ ୮ ବର୍ଷ ପର୍ଯ୍ୟନ୍ତ ସେ ମୁମ୍ବାଇରେ ରହି କାମ କରିବା ପରେ ୨୦୦୭ ମସିହାରେ ନଭି-ମୁମ୍ବାଇର ଲୁନାୱାଲା ଅଞ୍ଚଳକୁ ଚାଲିଆସିଥିଲା । ସେଠାରେ ସେ ଆମ୍ବିଭାଲିରେ ଏକ ପ୍ରୋଜେକ୍ଟରେ କାମ କରିବାକୁ ଲାଗିଲା । ସେଠାରେ ମଧ୍ୟ ସେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କଲା । ମାତ୍ର ଏଠାରେ ସେ ତାର ପରିଚୟ ଜଳନ୍ଧର ସ୍ୱାଇଁ ବୋଲି କହିଥିଲା । ଏପରିକି ସେ ନିଜର ଆଧାର କାର୍ଡ ସେହି ନାଁରେ ତିଆରି କରିଥିଲା । ବିଭିନ୍ନ ଜାଲ୍ କାଗଜପତ୍ର ଓ ଠିକଣା ଦେଇ ଜଳନ୍ଧର ନାଁରେ ଉକ୍ତ କମ୍ପାନୀରେ ଚାକିରି କରିଥିଲା । ଚାକିରି ପାଇବା ପରେ ତାକୁ କମ୍ପାନୀ ପକ୍ଷରୁ ସେହି ଜଳନ୍ଧର ସ୍ୱାଇଁ ନାଁରେ ପ୍ୟାନ୍ କାର୍ଡ ଓ ବ୍ୟାଙ୍କ୍ ଆକାଉଣ୍ଟ ଅତି ସହଜରେ ମିଳିଯାଇଥିଲା ।
ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ ସେ ସେଠାରେ କାମ କରିବା ପରେ ତାର ଚାକିରି ପାଣି ପାଇପ୍ ମେକାନିକ୍ ହେବା ସହିତ ତାହା ସ୍ଥାୟୀ ହୋଇଯାଇଥିଲା । ତେବେ ଏହି ସ୍ଥାୟୀ ଚାକିରି ପାଇବା ପରେ ଏଯାବତ ସେ ଆମ୍ବିଭାଲିରେ ଜଳନ୍ଧର ସ୍ୱାଇଁ ବା ସ୍ୱାଇଁ ମେକାନିକ୍ ନାଁରେ ପରିଚିତ ହୋଇ ରହିଥିଲା । ଏପରିକି ସେ ଆଧାର କାର୍ଡକୁ ଦେଖାଇ ପୁନେରେ ଭୋଟର ପରିଚୟପତ୍ର ମଧ୍ୟ ପ୍ରସ୍ତୁତ କରି ସେଠାରେ ଭୋଟ୍ ଦେଉଥିଲା । ଗୁରୁତ୍ୱପୂର୍ଣ୍ଣ ହେଉଛି, ବିବନ ବିଶ୍ୱାଳ ନାଁରେ ସେ ଏକାଧିକ ବାର ଟ୍ରେନ୍ ଟିକେଟ୍ କରି କଟକ ଆସିଛି । କଟକ ଆସିବା ପରେ ସେ ତାର ପରିବାର ଲୋକଙ୍କୁ ଭେଟ କରି ପୁଣି ଫେରିଯାଏ । ମାତ୍ର କାଳେ ତାକୁ ବାରଙ୍ଗ ଅଞ୍ଚଳର ଲୋକ ଚିହ୍ନିଯିବେ, ସେଥି ପାଇଁ ସେ ଥରଟିଏ ବି ବାରଙ୍ଗ ଫେରିନଥିଲା।
ଅବଶେଷରେ ସଫଳ ହୋଇଛି ପୁଲିସର ଉଦ୍ୟମ । ତିନି ମାସର ଅପରେସନ୍ ରଙ୍ଗ ଆଣିଛି । ୨୨ ବର୍ଷ ତଳର ଫେରାର୍ ଅଭିଯୁକ୍ତ ବଳାତ୍କାରୀ ବିବନ ପୁଲିସ ପଞ୍ଝାରେ ଫସିଛି । ବିବନ ଭଳି ବିଷାକ୍ତ ବୋଡ଼ାକୁ ଗାତରୁ ବାହାର କରିବା ପାଇଁ, ପୁଲିସ୍ ଚଳାଇଥିବା ‘ଅପରେସନ୍ ସାଇଲେଣ୍ଟ୍ ଭାଇପର୍’ ସଫଳ ହୋଇଛି।
ଗିରଫ ହେଲା କିନ୍ତୁ ଦୋଷ ମାନିଲାଣି ବିବନ ! ଟିଆଇ ପରେଡ୍, ଟ୍ରାଏଲ୍ର ସାମ୍ନା କରିବ ମୁଖ୍ୟ ଅଭିଯୁକ୍ତ…