ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା-ନଭେମ୍ବର ୧୫ରୁ ୩୦ ମଧ୍ୟରେ ମଧ୍ୟସ୍ଥତା କରିବେ ସୁପ୍ରିମକୋର୍ଟର ମଧ୍ୟସ୍ଥତା କମିଟି

ନୂଆଦିଲ୍ଲୀ – ବର୍ଷା ଏବଂ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥତା କିମିଟି ମଧ୍ୟସ୍ଥତା କରିବେ । ସେପଟେ ସୁପ୍ରିମକୋର୍ଟରେ ବର୍ଷା ଟ୍ରାନ୍ସଫର ପିଟିସନ ମାମଲା ଦାୟର କରିଛନ୍ତି ।
ସୁପ୍ରିମକୋର୍ଟ ଏହି ମାମଲାର ଡିସେମ୍ବର ୮ ତାରିଖରେ ଶୁଣାଣି କରିବେ । ଅନୁଭବଙ୍କ ଓକିଲ ଅଭୟ ଦୁବେ ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଓଲିଉଡ୍‌ର ଚର୍ଚ୍ଚିତ ଷ୍ଟାର୍‌ ଦମ୍ପତି ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିବାଦ ଦେଶର ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି । ଦିଲ୍ଲୀ ପଟିଆଲା ପରିବାର ଅଦାଲତରେ ଅନୁଭବ ଦାଏର୍‌ କରିଥିବା ଛାଡ଼ପତ୍ର ମାମଲାକୁ କଟକସ୍ଥିତ ପରିବାର ଅଦାଲତକୁ ସ୍ଥାନାନ୍ତର କରାଯିବା ପାଇଁ ପ୍ରାର୍ଥନା କରି ବର୍ଷା ସୁପ୍ରିମ୍‌କୋର୍ଟରେ ଏକ ପିଟିସନ୍‌ ଦାଏର୍‌ କରିଥିଲେ ।

ପିଟିସନ୍‌ରେ ଦର୍ଶାଯାଇଛି କି’ ଦିଲ୍ଲୀ ପଟିଆଲା କୋର୍ଟରେ ମାମଲା ଚାଲିଲେ ତାଙ୍କୁ ମକଦ୍ଦମା ପରିଚାଳନା, ହାଜିରା ଓ ଶୁଣାଣି ନିମନ୍ତେ ଅଧିକ ଖର୍ଚ୍ଚାନ୍ତ ଓ ହଇରାଣ ହେବାକୁ ପଡ଼ିବ । ପ୍ରତି ଶୁଣାଣିରେ ପଟିଆଲା ପରିବାର ଅଦାଲତରେ ଉପସ୍ଥିତ ରହିବା ତାଙ୍କ ପାଇଁ କଷ୍ଟସାଧ୍ୟ ତଥା ବ୍ୟୟବହୁଳ ହେବ । ତେଣୁ ତାଙ୍କ ସ୍ୱାମୀ ଅନୁଭବ ରୁଜୁ କରିଥିବା ଛାଡ଼ପତ୍ର ମାମଲାର ବିଚାରକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରାଯିବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେବାକୁ ବର୍ଷା ପ୍ରାର୍ଥନା କରିଛନ୍ତି । ମାମଲା ସ୍ଥାନାନ୍ତର ନହେବାଯାଏ ପଟିଆଲା ପରିବାର କୋର୍ଟରେ ଛାଡ଼ପତ୍ର ମାମଲାର ଶୁଣାଣି କରାନଯିବାକୁ ବି ପ୍ରାର୍ଥନା କରିଛନ୍ତି ।

ଅପରପକ୍ଷରେ, ଅନୁଭବ ମଧ୍ୟ ସୁପ୍ରିମ୍‌କୋର୍ଟରେ କ୍ୟାଭିଏଟ୍‌ ପିଟିସନ୍‌ ଦାଖଲ କରିଛନ୍ତି । ତାଙ୍କୁ ନିଜ ପକ୍ଷ ବା ଜବାବ ରଖିବାର ସୁଯୋଗ ଦିଆନଯାଇ, ମାମଲା ସ୍ଥାନାନ୍ତର ପ୍ରସଂଗରେ ସର୍ବୋଚ୍ଚ ଅଦାଲତ କୌଣସି ଆଦେଶ ନଦେବାକୁ ଅନୁଭବ ଉକ୍ତ ପିଟିସନରେ ପ୍ରାର୍ଥନା କରିଛନ୍ତି ।

ଉଲ୍ଲେଖନୀୟ, ବର୍ଷା ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି, ତାଙ୍କଠାରୁ ୧୫ କୋଟି ଟଙ୍କା କ୍ଷତିପୂରଣ ରାଶି ସହ ମାସିକ ଭରଣପୋଷଣ ରାଶି ଦାବି କରି କଟକ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ମାମଲା ରୁଜୁ କରିଛନ୍ତି । ଏହି ମାମଲାରେ ଜିଲ୍ଲା ପ୍ରୋଟେକ୍ସନ ଅଫିସର ତାଙ୍କ ରିପୋର୍ଟ ଦାଖଲ କରିସାରିଛନ୍ତି । ସେହିପରି କଟକ ପରିବାର ଅଦାଲତରେ ବର୍ଷା ଆଉ ଏକ ମାମଲା ରୁଜୁ କରି ହିନ୍ଦୁ ମ୍ୟାରେଜ୍‌ ଆକ୍‌ଟ୍‌ର ଧାରା ୯ ଅନୁସାରେ ‘ନିଜ ବିବାହକୁ ସୁରକ୍ଷା ଦେବାକୁ, ସଂରକ୍ଷିତ ବା ଅକ୍ଷୁଣ୍ଣ ରଖିବାକୁ’, ବିବାହ-ବିଚ୍ଛେଦ ନକରାଇବାକୁ ଏକ ସ୍ୱତନ୍ତ୍ର ପିଟିସନ୍‌ ମଧ୍ୟ ଦାଏର୍‌ କରିଛନ୍ତି । ଏହି ପିଟିସନ୍‌ରେ ବର୍ଷା ପ୍ରାର୍ଥନା କରିଛନ୍ତି କି’ ସେମାନଙ୍କ ବୈବାହିକ ସମ୍ପର୍କକୁ ଚିରସ୍ଥାୟୀ କରାଯାଉ । ସ୍ୱୟଂ ଅଦାଲତ ହୁଅନ୍ତୁ ଅବା କୌଣସି ମଧ୍ୟସ୍ଥଙ୍କ ଦ୍ୱାରା ଦୁହିଁଙ୍କ ଦାମ୍ପତ୍ୟ ସମ୍ପର୍କକୁ ପୁଣି ଥରେ ଯୋଡ଼ି ଦିଆଯାଉ ।

ଗୋଟିଏପଟେ ଅନୁଭବ ପଟିଆଲା ପରିବାର ଅଦାଲତରେ ଛାଡପତ୍ର ମାମଲା ରୁଜୁ କରିଛନ୍ତି ଓ କୌଣସି ପରିସ୍ଥିତିରେ ଆଉ ବର୍ଷାଙ୍କ ସହ ବୁଝାମଣା କରିବେନି ବୋଲି କହୁଛନ୍ତି । ଅନ୍ୟପଟେ ବର୍ଷା ଅନୁଭବଙ୍କ ଘରେ ରହି ବିବାହକୁ ସ୍ଥାୟୀ ଓ ଅକ୍ଷୂର୍ଣ୍ଣ ରଖିବା ଉପରେ ଜୋର୍‌ ଦେଉଛନ୍ତି ।

   ସମ୍ବନ୍ଧିତ ଖବର


ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ