ଭାଇରାଲ୍ ଭିଡିଓ ପଛରେ ପୁଲିସ କର୍ମଚାରୀ; ବଟାଲିଅନ୍ ସିପାହୀ ନିଲମ୍ବିତ

କଟକ,୧୪ା୪(ବ୍ୟୁରୋ): ପ୍ରେମୀ ଯୁଗଳଙ୍କ ବ୍ୟକ୍ତିଗତ ମୂହୁର୍ତ୍ତର ଭିଡିଓ ଭାଇରାଲ୍ ପଛରେ ଜଣେ ପୁଲିସ କର୍ମଚାରୀ । କେବଳ ଭାଇରାଲ୍ ନୁହେଁ ପୁଲିସ କର୍ମଚାରୀ ଜଣକ ଖୋଦ୍ ଏହି ଭିଡିଓ ତାଙ୍କ କ୍ୟାମେରାରେ ରେକର୍ଡ କରିଥିଲେ । ଏଭଳି ଚାଞ୍ଚଲ୍ୟକର ବିଷୟ ଆଜି ପଦାକୁ ଆସିଛି । ଏନେଇ ଆଜି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ପାଇବା ପରେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ଘଟଣାଟି ଆଜି ସାରା ସହରରେ ଆଲୋଡ଼ନ ଖେଳାଇଦେଇଛି ।
ମିଳିଥିବା ସୂଚନା ଅନୁସାରେ, ନରାଜ ଡାକବଙ୍ଗଳା ପଛ ପଟେ ଥିବା ନିଛାଟିଆ ସ୍ଥାନରେ ବହୁ ସମୟରେ ପ୍ରେମୀ ଯୁଗଳମାନେ ମିଳାମିଶା କରନ୍ତି । ପୁଲିସର ବାରଣ ସତ୍ତେ୍ୱ ମଧ୍ୟ ବହୁ ସମୟରେ ସେଠାରେ ପ୍ରେମୀ ଯୁଗଳଙ୍କୁ ଦେଖିବାକୁ ମିଳେ । ସେଠାରେ ପ୍ରେମୀଯୁଗଳଙ୍କ ଭିଡ଼ ହେଉଥିବା ଜାଣିବା ପରେ କିଛି ଯୁବକ ସେମାନଙ୍କ ଅନ୍ତରଙ୍ଗ ଦୃଶ୍ୟକୁ ରେକର୍ଡ କରିବା ଆରମ୍ଭ କରିଥିଲେ । ନିକଟ ଏକ ବୁଦା ଭିତରେ ଲୁଚିରହି ସେମାନେ ଭିଡିଓ ରେକର୍ଡ କରୁଥିଲେ । ଏହି ଯୁବକଙ୍କ ମଧ୍ୟରେ ନରାଜ ତେଲିସାହିର ଲିଟୁ ଓରଫ ବନୋଜ ସାହୁ ଓ ନରାଜ କେଉଟସାହିର ନାରାୟଣ ବେହେରା ଥିଲେ । ସେହିପରି ନରାଜର ଅନ୍ୟ ଜଣେ ଯୁବକ ମଧ୍ୟ ଏହି କାର୍ଯ୍ୟରେ ଲିପ୍ତ ଥିଲେ । ଭିଡିଓ ରେକର୍ଡ କରିବା ପରେ ଯୁବକମାନେ ଉକ୍ତ ଭିଡିଓକୁ ଦେଖାଇ ପ୍ରେମୀଯୁଗଳଙ୍କୁ ଭୟଭୀତ କରିବା ସହିତ ବ୍ଲାକ୍ ମେଲ୍ କରୁଥିଲେ । ଏଭଳି ଏକ ଭିଡିଓ ଗତ ସପ୍ତାହରେ ଭାଇରାଲ୍ ହେବା ପରେ ପୀଡ଼ିତ ପ୍ରେମୀଯୁଗଳ ଥାନାରେ ଏତଲା ଦେଇଥିଲେ । ତେବେ ପୁଲିସ ଗତକାଲି ବନୋଜ ଓ ନାରାୟଣଙ୍କୁ ଗିରଫ କରିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ପଦାକୁ ଆସିଛି । ଭିଡିଓ ରେକର୍ଡ ଓ ଭାଇରାଲ୍ କରିବା ପଛରେ ପୁଲିସ ବିଭାଗର ଜଣେ ସିପାହୀ ଅଛନ୍ତି । ଗିରଫ ହୋଇଥିବା ନାରାୟଣ ବେହେରା ହେଉଛନ୍ତି ଷଷ୍ଠ ବଟାଲିଅନ୍ର ସିପାହୀ । ସେ ୨୦୧୧ ମସିହାରେ ପୁଲିସ ବିଭାଗରେ ଯୋଗ ଦେଇଥିଲେ । ଏହା ମଧ୍ୟରେ ସେ ଏସ୍ଓଜିରେ ମଧ୍ୟ କାମ କରିସାରିଛନ୍ତି । ତେବେ ଗତ ଡିସେମ୍ବର ମାସରେ ସେ ନୂଆ ଦାମୀ ଡିଜିଟାଲ୍ କ୍ୟାମେରା କିଣିବା ପରେ ଏହାକୁ ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ରେକର୍ଡ କରିବା ପାଇଁ ବ୍ୟବହାର କରିଥିଲେ । ତେବେ ଉକ୍ତ ଭିଡିଓକୁ ହଳେ ପ୍ରେମୀ ଯୁଗଳଙ୍କୁ ଦେଖାଇ ଅଭିଯୁକ୍ତ ନାରାୟଣ ଓ ତାର ଅନ୍ୟ ଦୁଇ ସାଙ୍ଗ ବ୍ଲାକ୍ ମେଲ୍ କରନ୍ତି । ଗଲା ସପ୍ତାହରେ ପୁଣି ଅଭିଯୁକ୍ତମାନେ ଉକ୍ତ ଭିଡିଓକୁ ସୋସିଆଲ୍ ମିଡିଆରେ ଛାଡ଼ି ଦେଇଥିଲେ । ଏହି ଘଟଣାରେ ନାରାୟଣ ଗିରଫ ହେବା ପରେ ସିଡିଏ ଫେଜ୍-୨ ପୁଲିସର ହୋସ୍ ଉଡ଼ିଯାଇଥିଲା । ଜଣେ ପୁଲିସ କର୍ମଚାରୀ ଏଭଳି କରିଥିବା ପୁଲିସକୁ ଅଡ଼ୁଆରେ ପକାଇଥିଲା । ତଥାପି ଫେଜ୍-୨ ପୁଲିସ ଅଭିଯୁକ୍ତ ନାରାୟଣକୁ କୋର୍ଟ ଚାଲାଣ କରିବା ସହିତ ଘଟଣା ନେଇ ଷଷ୍ଠ ବଟାଲିଅନ୍ କମାଣ୍ଡାଣ୍ଟ୍ଙ୍କୁ ଅବଗତ କରିଥିଲା । ଆଜି ଥାନାରୁ ଚିଠି ପାଇବା ପରେ ବଟାଲିଅନ୍ କମାଣ୍ଡାଣ୍ଟ୍ ଅଭିଯୁକ୍ତ ନାରାୟଣଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ଏହା ସହିତ ବିଭାଗୀୟ ପ୍ରୋସିଡିଂ ପାଇଁ ମଧ୍ୟ ଫାଇଲ୍ ଆଗକୁ ବଢ଼ାଇଛନ୍ତି । ଖୁବ୍ଶୀଘ୍ର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମାଣ୍ଡାଣ୍ଟ୍ ବୈକୁଣ୍ଠ ବିହାରୀ ରାଉତ ସୂଚନା ଦେଇଛନ୍ତି ।