PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ବୟସ ଯୋଗୁଁ କାହା ଉପରେ ବୋଝ ନୁହନ୍ତି କି ନଇଁ ପଡି ନାହାନ୍ତି: ପ୍ରେରଣା ସାଜିଛନ୍ତି ବାୟାଣୀ ମାଉସୀ-ପାଞ୍ଚ ଗୁଣ୍ଠ ଜମିରେ ଫଳାଉଛନ୍ତି ସୁନାର ଫସଲ

ଭଦ୍ରକ,୨୪ା୭(ଆ.ପ୍ର): ବୟସାଧିକ୍ୟ ଯୋଗୁଁ ନଇଁ ପଡ଼ି ନହାନ୍ତି । ଜୀବନର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ସବୁ ସମସ୍ୟାକୁ ସମ୍ମୁଖୀନ ହେବାକୁ ହିମତ୍‌ ଜୁଟାଇଛନ୍ତି । ଅତୀତରେ ତାଙ୍କ ଜୀବନରେ ବହୁ ଝଡ଼ଝଞ୍ଜା ଆସିଛି । ଦାରିଦ୍ର‌୍ୟତା ମଧ୍ୟରେ ବହୁ ସମୟ ବିତିଛି । ଏବେ କିନ୍ତୁ ମୁଣ୍ଡ ଉପରେ କୌଣସି ବୋଝ ନାହିଁ । ସବୁ ପୁଅ ଝିଅ ବିବାହିତ । ତେଣୁ ଘର ପ୍ରତି କୌଣସି ଉତ୍ତର ଦାୟିତ୍ୱ ମଧ୍ୟ ନାହିଁ । ତଥାପି ଚୁପ ବସି ରହିବାକୁ କୌଣସି ସମୟରେ ପସନ୍ଦ କରି ନାହାନ୍ତି । ମାତ୍ର ୫ଗୁଣ୍ଠ ଜମିରେ ସୁନା ଫଳାଉଛନ୍ତି । ସରକାର ମହିଳା ସଶକ୍ତୀକରଣ ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ସୁଯୋଗ ସୃଷ୍ଟି କରିଛନ୍ତି । କୋଟି କୋଟି ଟଙ୍କାର ସହାୟତା ମଧ୍ୟ ଦେଇ ଚାଲିଛନ୍ତି । ବାସ୍ତବ କ୍ଷେତ୍ରରେ ମହିଳା ଆଜି କେତେ ସଶକ୍ତ ତାହା ଏକ ବିତର୍କିତ ବିଷୟ ହୋଇଥିବା ବେଳେ, ଏହି ସରକାରୀ ବ୍ୟବସ୍ଥା ଠାରୁ ଦୂରରେ ଥାଇ ଆଜି ଅନ୍ୟମାନଙ୍କ ପାଇଁ ଦାହରଣ ସୃଷ୍ଟି କରିଛନ୍ତି ୭୫ ବର୍ଷର ବୃଦ୍ଧା ବାୟାଣୀ ମାଉସୀ ।

ପ୍ରାୟ ୨୦ ବର୍ଷ ପୂର୍ବେ ପୁଅ ବିଷ୍ଣୁଙ୍କ ସହ ପରିସ୍ଥିତିରେ ପଡ଼ି ଭିଟାମାଟି ଛାଡ଼ି ଭଦ୍ରକ ପଳାଇ ଆସିଥିଲେ । ପୌରାଞ୍ଚଳ ୭ନମ୍ବର ୱାର୍ଡ଼ ଗବସାହି ଠାରେ ପ୍ରଥମେ ପୁଅ ବୋହୂଙ୍କ ସହ ଏକ ଭଡ଼ା ଘରେ ରହିଥିଲେ । ପରବର୍ତ୍ତୀ ସମୟରେ ସେହି ଗ୍ରାମରେ ବିଷ୍ଣୁ କିଣିଥିଲେ ୨୦ ଡିସିମିଲ ଅର୍ଥାତ୍‌ ୫ଗୁଣ୍ଠ ଜମି । ଭବିଷ୍ୟତରେ ଘର କରିବା ଉଦ୍ଦେଶ୍ୟରେ ଏହି ଜମି ଉଦ୍ଦିଷ୍ଟ ଥିଲା । କିନ୍ତୁ ଦୀର୍ଘ ବର୍ଷ ଧରି ଏହି ଜମି ପଡ଼ିଆ ପଡ଼ିଲା । ଏହାକୁ ସହଜରେ ଗ୍ରହଣ କରି ପାରୁନଥିଲେ ମା’ ବାୟାଣୀ । ସେଠାରେ କିଛି ପନି ପରିବା ଚାଷ କରିବାକୁ ଜିଦ ଧରି ବସିଲେ । ୫ବର୍ଷ ପୂର୍ବେ ବାୟାଣୀ ମାଉସୀ ଆରମ୍ଭ କଲେ ଏହି ଜମିରେ ବିଭିନ୍ନ ପନି ପରିବା ଚାଷ । ଏବେ ଏହି ଜମିରେ ପନି ପରିବା ଚାଷ ଚାଲିଛି । ଏହି ଛୋଟ ଫାର୍ମ ମଧ୍ୟରେ ଏକ ଆଜବେଷ୍ଟସ ଘରେ ଏକାକୀ ରହୁଛନ୍ତି ବାୟାଣୀ ମାଉସୀ । ସେଠାରେ ରହି ନିଜେ ରୋଷେଇ କରି ଖାଇବା ସହ ଉକ୍ତ ଜମିରେ ସବୁତକ ସମୟ ଦେଇ ଚାଲିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ଉକ୍ତ ଚାଷରେ କୌଣସି ରାସାୟନିକ ସାର ବ୍ୟବହାର କରୁ ନାହାନ୍ତି । କେବଳ ଜୈବିକ ଖତ ବ୍ୟବହାର କରୁଛନ୍ତି ।

ପୂର୍ବାହ୍ନ ୧୧ଟା ପରେ ବାୟାଣୀ ମାଉସୀ ବାହାରି ଯାଆନ୍ତି ନିଜ ସାହି ଓ ନିକଟସ୍ଥ ଆଦିବାସୀ କଲେନୀ ଭିତରକୁ । ଛେଳି ଲଣ୍ଡି, ଗୋରୁ ଗୋବର ଓ ଅଳିଆ ଆବର୍ଜନା ସଂଗ୍ରହ କରନ୍ତି । ନିଜ ଆକଳନ ଅନୁଯାୟୀ ଏହାକୁ ପକାଇ ଜମିକୁ ଉର୍ବର କରିବାକୁ ଚେଷ୍ଟା କରନ୍ତି । ମାର୍ଚ୍ଚ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ପୋଟଳ ଅମଳ କରନ୍ତି । ଯାହାର ପରିମାଣ ୯ରୁ ୧୦ କ୍ୱିଣ୍ଟାଲ ବୋଲି କୁହନ୍ତି ବାୟାଣୀ ମାଉସୀ । ବଜାର ଦର ଅନୁଯାୟୀ ସେ ବିକ୍ରି କରନ୍ତି । ତାହା ପୁଣି ନିଜ ବାଡ଼ିରେ ଥିବା ଘରେ । ବଜାରକୁ କେବେ ତାଙ୍କ ପରିବା ଯାଏ ନାହିଁ । ସ୍ଥାନୀୟ ଅଞ୍ଚଳବାସୀ ସେଠାକୁ ଯାଆନ୍ତି । ନିଜ ପସନ୍ଦର ପରିବା କଥା କହିଲେ ବୟାଣୀ ମାଉସୀ ଏହା ଗଛରୁ ତୋଳି ଓଜନ କରି ଦିଅନ୍ତି । ସେହିପରି ଜାଗା ନଷ୍ଟ ନ କରିବା ପାଇଁ ବାଡ଼ କଡ଼େକଡ଼େ ଜହ୍ନି, ଝୁଡ଼ଙ୍ଗ, ବୋଇତାଲୁ, ଅମୃତଭଣ୍ଡା, ପିଜୁଳି, କଦଳୀ, ଆମ୍ବ, ସୁଜୁନା ଛୁଇଁ ଗଛ ଲଗାଇଛନ୍ତି ।

ସବୁ ଖର୍ଚ୍ଚ ଓ ଘରକୁ ପରିବା ଦେବା ପରେ ମଧ୍ୟ ବର୍ଷକୁ ସେ ଦେଢ଼ ଲକ୍ଷ ଟଙ୍କା ଆୟ କରୁଛନ୍ତି । ବାୟାଣୀ ମାଉସୀ ବେଶ ଉଦାର । ସବୁ ବେଳେ ହସହସ ମୁହଁ । କିଏ କେତେ ଦେଲା କେତେ ନ ଦେଲା, ସେଥି ପ୍ରତି ତାଙ୍କର ବିଶେଷ ନଜର ନଥାଏ । ପାଖରେ ଗୋଟେ କି ପ୍ୟାଡ ଫୋନ ରହିଛି । ଆସୁଥିବା ସାହି ଲୋକଙ୍କୁ ବାୟାଣୀ ମାଉସୀ ଆନନ୍ଦରେ ନିଜ ଫୋନ ନମ୍ବର ବଢ଼ାଇ ଦିଅନ୍ତି । ପୁଅ ଫୋନ କରି ଆସିବୁ । ତୋ ପାଇଁ ତୋଳି ରଖିଥିବି କହି ସେମାନଙ୍କୁ ବାଟେଇ ଦିଅନ୍ତି । ପରିଣତ ବୟସରେ ଜଣେ ୭୫ ବର୍ଷର ବୃଦ୍ଧାଙ୍କ ଏପରି ଅଦମ୍ୟ ଇଚ୍ଛାଶକ୍ତି ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଆରମ୍ଭରୁ ନିଜ ଗୋଡ଼ରେ ଛିଡ଼ା ହେବା ଶିଖିଛନ୍ତି । ସମୟ ପ୍ରବାହରେ ବହୁ ବାଧାବିଘ୍ନ, ଦାରିଦ୍ର‌୍ୟତାକୁ ହଜମ କରି ନେଇଛନ୍ତି । କିନ୍ତୁ ଜୀବନ ଯୁଦ୍ଧରେ ହାରି ଯାଇ ନାହାନ୍ତି । ଆଜି ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ବିନା କୌଣସି ସରକାରୀ ସହାୟତାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ବାୟାଣୀ ମାଉସୀ ।

ସମ୍ବନ୍ଧିତ ଖବର