ଏଥର ସନ୍ଧ୍ୟାରେ ସଅଳ ବଜାର ବନ୍ଦ !

ଭୁବନେଶ୍ୱର : ରାଜଧାନୀରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେଉଛି । ତଥାପି କୋଭିଡ୍‌ -୧୯ ଗାଇଡ୍‌ଲାଇନ୍‌କୁ ନେଇ ଚେତୁନାହାନ୍ତି ଅମାନିଆ । ଯାହାକି କମିଶନରେଟ୍‌ ପୁଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି । ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍‌ ପରେ କଟକଣାକୁ ନେଇ କଠୋର ହୋଇଥିବା କମିଶନରେଟ୍‌ ପୁଲିସ ଆଉ ଏକ ପନ୍ଥା ଆପଣାଇଛି । ସହରର ବଡ଼ ବଡ଼ ବଜାର କମିଟି ସହ ଆଲୋଚନା କରିଛି । କରୋନା ମୁକାବିଲାକୁ ନେଇ କମିଟି କର୍ମକର୍ତ୍ତାଙ୍କ ସହ ପୁଲିସ ବିଚାର ବିମର୍ଶ କରିଛି ।

ପୁଲିସ ସେବା ଭବନରେ ଏନେଇ ଆଜି ଏକ ବୈଠକ ଆୟୋଜିତ ହୋଇଥିଲା । ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଏହାର ଅଧ୍ୟକ୍ଷତା କରିଥିଲେ । ବ୍ୟବସାୟୀ ସଂଘମାନଙ୍କ ପକ୍ଷରୁ ବୈଠକରେ ପୁଲିସ ସାମ୍ନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖାଯାଇଥିଲା । ସନ୍ଧ୍ୟା ସମୟରେ ବଜାର ଘାଟରେ ପ୍ରବଳ ଭିଡ଼ ରହୁଛି । ସାମାଜିକ ଦୂରତା ନିୟମ ମାନିବା ବାସ୍ତବ ପକ୍ଷେ ଏକରକମର ଅସମ୍ଭବ ହୋଇପଡୁଛି । ଏଣୁ ସନ୍ଧ୍ୟା ବେଳେ ଏକ ନିର୍ଦ୍ଧିଷ୍ଟ ସମୟଠାରୁ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯିବାକୁ ବଜାର କମିଟି ପକ୍ଷରୁ କୁହାଯାଇଥିଲା । ଏନେଇ ରାଜ୍ୟ ସରକାର ଓ ବିଏମ୍‌ସି କମିଶନରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସିପି ଡ. ଷଡ଼ଙ୍ଗୀ ବୈଠକରେ ସୂଚନା ଦେଇଥିଲେ ।

ସେପଟେ ବଜାର କମିଟି ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ଗ୍ରାହକମାନଙ୍କୁ ଗହଳି ନ କରିବାକୁ ଅନୁରୋଧ କରାଯାଉଛି । ମାତ୍ର ଗ୍ରାହକମାନେ ଶୁଣୁନାହାନ୍ତି । ସେପଟେ କିନ୍ତୁ ପୁଲିସ ଜବରଦସ୍ତି ଦୋକାନୀଙ୍କଠାରୁ ଜରିମାନା ଆଦାୟ କରୁଛନ୍ତି । ଯାହାକୁ ନେଇ ବ୍ୟବସାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ଏନେଇ ବିଚାର କରିବାକୁ ସିପି ଡ. ଷଡ଼ଙ୍ଗୀ ବ୍ୟବସାୟୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ସେ କହିଥିଲେ, ସବୁ ଜାଗାରେ ଘଣ୍ଟା ଘଣ୍ଟା ଧରି ଡ୍ୟୁଟି କରିବା ପୁଲିସ ପକ୍ଷେ ସମ୍ଭବ ନୁହେଁ । ଏଣୁ କୋଭିଡ୍‌ ମୁକାବିଲା ପାଇଁ ବ୍ୟବସାୟୀମାନଙ୍କ ସହଯୋଗ ନିହାତି ଜରୁରୀ । କୋଭିଡ୍‌ କଟକଣା ପାଳିବା ନେଇ ବ୍ୟବସାୟୀମାନେ ସୁରକ୍ଷା କର୍ମୀ ରଖିପାରିବେ । ଯଦି କେଉଁଠି ଗ୍ରାହକଙ୍କ ପକ୍ଷରୁ ଅପ୍ରୀତିକର ପରିସ୍ଥିତି ଉପୁଜେ, ତେବେ ଡାଏଲ୍‌-୧୦୦କୁ ଘଟଣା ସମ୍ପର୍କରେ ଅବଗତ କରାଇପାରିବେ । ବ୍ୟବସାୟିକ ପ୍ରତିଷ୍ଠାନ ସାମ୍ନାରେ ବ୍ୟାରିକେଡ ଓ ଗୋଲେଇ ଚିହ୍ନ କରି ସାମାଜିକ ଦୂରତା ବଜାୟ ରଖିପାରିବେ । ବ୍ୟବସାୟୀମାନେ ନିଜ ଆଡୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ସିପି ଡ. ଷଡ଼ଙ୍ଗୀ ପରାମର୍ଶ ଦେଇଥିଲେ ।

ବୈଠକରେ ଅତିରିକ୍ତ ସିପି ସଞ୍ଜୟ ସିଂହ, ଡିସିପି ଉମାଶଙ୍କର ଦାଶ, ଡିସିପି(ଟ୍ରାଫିକ୍‌) ସୌମ୍ୟା ମିଶ୍ର, ଡିସିପି(ସିକ୍ୟୁରିଟି) ନିର୍ମଳ ଶତପଥୀଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏହାବାଦ୍‌ ସମସ୍ତ ଜୋନ୍‌ ଏସିପିଙ୍କ ନେତୃତ୍ୱରେ ପ୍ରତି ଜୋନ୍‌ରୁ ୫ ଜଣ ଲେଖାଏଁ ବିଭିନ୍ନ ବଜାର କମିଟି ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ଚୀନ୍‌ ଏବଂ ପାକିସ୍ତାନକୁ ଚେତାବନୀ ଦେଲେ ଅଜିତ୍‌ ଡୋଭଲ୍‌ – ଏ ହେଉଛି ନୂଆ ଭାରତ, ଯେଉଁଠାରେ ବିପଦ ସେହିଠାରେ କରିବୁ ମୁକାବିଲା

ଚୀନ୍‌ର ଚିନ୍ତା, ଶକ୍ତିଶାଳୀ ହେଉଛି ଭାରତ- ଆମେରିକା କହିଲା ଏବେ ମିଳିମିଶି କାମ କରିବାର ସମୟ,

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ, ସମସ୍ତଙ୍କୁ ନିଃଶୁଳ୍କରେ ମିଳିବ କରୋନା ଟିକା

ମହିଳାଙ୍କୁ ଦେଖି ପ୍ୟାଣ୍ଟ ଖୋଲି – ଖରାପ କାମ କରିଥିବା ପୁଲିସ ଅଧିକାରୀ ଦିଲ୍ଲୀରୁ ଗିରଫ

ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ