ଭୁବନେଶ୍ୱର ବାର୍‌ ଆସୋସିଏନର ମଧୁ ଜୟନ୍ତୀ: ‘ମଧୁ ବାବୁଙ୍କୁ ମରଣୋତ୍ତର ଭାରତ ରତ୍ନ ଦିଆଯାଉ’

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ମଧୁବାବୁ ଜଣେ ସ୍ୱାଭିମାନୀ ଓଡି଼ଆ ଥିଲେ । ଓଡି଼ଆଙ୍କୁ ସ୍ୱତନ୍ତ୍ର ପରିଚୟ ଦେବାକୁ ଲଢ଼ିଥିଲେ । ସମସ୍ତ ଧନସମ୍ପତ୍ତିକୁ ଏଥିପାଇଁ ତ୍ୟାଗି ଦେଇଥିଲେ । ତାଙ୍କ ଯୋଗୁଁ ଓଡି଼ଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା । ହେଲେ ତାଙ୍କ ମୃତ୍ୟୁକୁ ୮୫ ବର୍ଷ ପୁରିଥିଲେବି ତାଙ୍କୁ କିଛି ମିଳିଲାନି । ମଧୁବାବୁଙ୍କୁ ତାଙ୍କ ହକ୍‌ ଦେବାର ସମୟ ଆସିଛି । ମରଣୋତ୍ତର ଭାରତ ରତ୍ନରେ ତାଙ୍କୁ ସମ୍ମାନିତ କରାଯାଉ । ୧୭୧ତମ ମଧୁସୂଧନ ଦାସ ଜୟନ୍ତୀ ପାଳନ ଅବସରରେ ଏହି ଦାବି କରିଛି ଭୁବନେଶ୍ୱର ବାର ଆସୋସିଏସନ୍‌ ।

ଭୁବନେଶ୍ୱର ବାର ହଲ୍‌ଠାରେ ସଂଘ ପକ୍ଷରୁ ଏନେଇ ଆଜି ଆଇନ୍‌ଜୀବୀ ଦିବସ ପାଳିତ ହୋଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ମଧୁବାବୁ ଓଡି଼ଆଙ୍କୁ ନୂଆ ପରିଚୟ ଦେଇଥିଲେ । ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କ ଅବଦାନ ଅତୁଳନୀୟ । ସମ୍ମାନିତ ଅତିଥି ଭାବେ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି କଲ୍‌ପେଶ୍‌ ସତେନ୍ଦ୍ର ଝାବେରି ଯୋଗ ଦେଇ ମଧୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ହାଇକୋର୍ଟ ଜଷ୍ଟିସ୍‌ ପ୍ରମୋଦ ପଟ୍ଟନାୟକଙ୍କୁ ଚଳିତବର୍ଷର ‘ମଧୁ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା ।

ଆଇନ୍‌ଜୀବୀଙ୍କ ଦ୍ୱାରା ରଚିତ କବିତା ସଂକଳନ ‘କାକର’କୁ ଏହି ଅବସରରେ ଅତିଥିମାନେ ଉଦ୍‌ଘାଟନ କରିଥିଲେ । ସଭାପତି ବିରେନ୍ଦ୍ର ପଟ୍ଟନାୟକ ଉତ୍ସବର ଅଧ୍ୟକ୍ଷତା କରିଥିଲେ । ସଂଘ ଉପସଭାପତି ଶିଳଭଦ୍ର ଶାସ୍ତ୍ରୀ ଦାବି ରଖିଥିଲେ, କୋର୍ଟ ହତାରେ ୫ ବର୍ଷ ଧରି ଜୁଡିସିଆଲ୍‌ କମ୍ପେକ୍ସ ଅଧାପନ୍ତରିଆ ହୋଇପଡିରହିଛି । ତୁରନ୍ତ ଏହାର ନିର୍ମାଣ ଶେଷ ହେଉ । କୋର୍ଟରେ ନିରବଚ୍ଛିନ ବିଦ୍ୟୁତ ସଂଯୋଗ ହେଉ । ଆଇନଜୀବୀଙ୍କୁ ଅନ୍ୟ ସୁବିଧା ସୁଯୋଗ ଦିଆଯାଉ । ସମ୍ପାଦକ ବିଶ୍ୱନାରାୟଣ ମହାନ୍ତି ଉତ୍ସବର ପରିଚାଳନା କରିଥିଲେ ।