କାନ୍ଥ ଆଉ କଥା କହୁନି

ଭୁବନେଶ୍ୱର, ୧୧ା୫(ବ୍ୟୁରୋ): ଓଡ଼ିଶୀ ମୁଦ୍ରାରେ ନର୍ତ୍ତକୀ ଆଉ ଦେଖା ଯାଉନାହାନ୍ତି । ପାରମ୍ପରିକ ସଙ୍ଗୀତ ନୃତ୍ୟର ଭଙ୍ଗୀ ଲୁଚିଗଲା । ଆମ ରାଜ୍ୟର ଗର୍ବ ଓ ଗୌରବର ପ୍ରତୀକ ଜନନାୟକ, କ୍ରୀଡ଼ାବିତ୍‌ ଓ ମହାପୁରୁଷଙ୍କ ଚିତ୍ର ମଧ୍ୟ ଲିଭିଗଲା । ବାତ୍ୟା ଫୋନି ଆମ କଳା, ସାହିତ୍ୟ ଓ ସଂସ୍କୃତିର କଥା କହୁଥିବା କାନ୍ଥକୁ ମାଟିରେ ମିଶାଇ ଦେଲା । ଏବେ ଆଉ ସେ କାନ୍ଥ କଥା କହୁନି । ଖଣ୍ଡ ବିଖଣ୍ଡିତ ହୋଇ ସମ୍ପୂର୍ଣ୍ଣ ନିରବୀ ଯାଇଛି ।
ହକି ବିଶ୍ୱକପ୍‌ ସମୟରେ ସ୍ମାର୍ଟସିଟିର କାନ୍ଥ ଜୀବନ୍ତ ହୋଇ ଉଠିଥିଲା । ଆମ ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନସ୍ଥଳୀ ଓ ବୀରତ୍ୱର ଗାଥାକୁ ବଖାଣୁଥିଲା । ଏସବୁ ଦେଖି ବାଟରେ ଯାଉଥିବା ପଥଚାରୀ କିଛି ସମୟ ଅଟକିଯାଉଥିଲା । ଆଖି ଆପେ ଆପେ ରାସ୍ତା କଡ଼ର କାନ୍ଥ ଆଡ଼କୁ ଟାଣି ହୋଇଯାଉଥିଲା । ଏପରିକି ପ୍ରଥମକରି ଭୁବନେଶ୍ୱର ଆସିଥିବା ଲୋକେ ଘଡ଼ିଏ ଅଟକି ସେସବୁର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ । ଏହା ଆମ କଳା ଓ ସଂସ୍କୃତିକୁ କେବଳ ରାଜ୍ୟ ବାହାରେ ନୁହେଁ ବରଂ ଦେଶ ବାହାରେ ବି ପ୍ରଚାରିତ କରିଥିଲା । କିନ୍ତୁ ବାତ୍ୟାର କରାଳ ରୂପ ସବୁକିଛିକୁ ଉଜାଡ଼ି ଦେଲା ।

ରାଜଧାନୀରେ ରାଜଭବନ ଛକରୁ ଆଇଟିଆଇ ଭୁବନେଶ୍ୱରକୁ ଯିବା ପାଖରାସ୍ତାର କାନ୍ଥ ସମ୍ପୂର୍ଣ୍ଣ ଶୋଇଯାଇଛି । ପଥରର କାନ୍ଥ ଗୁଡ଼ିକ ଖଣ୍ଡ ବିଖଣ୍ଡିତ ହୋଇଛି । ସେଥିରେ ଅଙ୍କାଯାଇଥିବା ଚିତ୍ର ବି ସବୁ ଖଣ୍ଡ ଖଣ୍ଡ ହୋଇଯାଇଛି । ସେଠାରେ ଚିତ୍ରତ ହୋଇଥିବା ପାରମ୍ପରିକ ନୃତ୍ୟର ଭଙ୍ଗୀ ଗୁଡ଼ିକ ଆଉ ଦେଖିବାକୁ ମିଳୁନି । ସେହିପରି ଏଜି ଛକରୁ ରାଜଭବନ ଛକକୁ ଆସିବା ସମୟରେ ଥିବା ସରକାରୀ କ୍ୱାର୍ଟରର ପାଚେରୀରେ ଅଲିଭ୍‌ ରିଡେଲ୍‌, ବିଭିନ୍ନ ବାଦ୍ୟଯନ୍ତ୍ର ଓ ନର୍ତ୍ତକୀଙ୍କ ବିଭିନ୍ନ ଭଙ୍ଗୀର ଚିତ୍ର ଅଙ୍କାଯାଇଥିଲା । ହେଲେ ସେସବୁ କାନ୍ଥ ଗୁଡ଼ିକର ଚେହେରା ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି । ସେ ସ୍ଥାନରେ କିଛି ଜାଗାରେ ପାଚେରୀ ଠିଆ ହୋଇଛି ଆଉ କିଛି ଜାଗାରେ ସମ୍ପୂର୍ଣ୍ଣ ଶୋଇଯାଇଛି । ଯାହା ପାଇଁ ବାଦ୍ୟଯନ୍ତ୍ରର ଚିତ୍ର ଆଉ କାନ୍ଥରେ ଦେଖାଯାଉନି । ନର୍ତ୍ତକୀଙ୍କ ଭଙ୍ଗୀ ମଧ୍ୟ ମାଟିରେ ମିଶିଛି । ବର୍ତ୍ତମାନ ସେସ୍ଥାନ ଦେଇଗଲେ ଖାଲି ଅଧା ଭଙ୍ଗା ଇଟା, ପଥର ଦେଖିବାକୁ ମିଳିଛି । ଯାହା ବି ବର୍ତ୍ତିଯାଇଛି ସେସବକୁ ଦେଖିଲେ କିଛି ବି ବୁଝାପଡୁନି ।

ଓୟୁଏଟି ଛକରୁ ଗଙ୍ଗନଗର ଛକ ପର୍ଯ୍ୟନ୍ତ ଦୁଇପଟ ରାସ୍ତାରେ ଥିବା କାନ୍ଥ ଗୁଡ଼ିକର ଅବସ୍ଥା ବି ବଦଳିଯାଇଛି । ଏହି କାନ୍ଥରେ କାନ୍ଥରେ ବିଭିନ୍ନ ଫଳ ଓ ପରିବାର ଚିତ୍ର ଅଙ୍କାଯାଇଥିଲା । କିନ୍ତୁ ବର୍ତ୍ତମାନ ସେଠାରେ କିଛି ଫଳର ଚିତ୍ର ଅଧା ଲିଭିଯାଇଛି ତ ଆଉ କିଛି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ସେହିପରି ଗଙ୍ଗନଗର ଛକରୁ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ରାସ୍ତାରେ ଥିବା ଆଇଏଏସ୍‌ ଅଫିସର୍‌ଙ୍କ ପାଚେରୀରେ ଅଙ୍କାଯାଇଥିବା ଚିତ୍ର ବି ଧ୍ୱଂସ ହୋଇଯାଇଛି । ଓୟୁଏଟି କଲେଜ କାନ୍ଥରେ ଚିତ୍ରିତ ହୋଇଥିବା ବିଭିନ୍ନ ଧାନ ଓ ସେମାନଙ୍କ ନାଁ ବି ଲିଭିଯାଇଛି । କେବଳ ଏତିକି ନୁହେଁ ରାଜଧାନୀର ଏୟାରପୋର୍ଟ ଛକରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ଏଜି ଛକ, ଗୋପବନ୍ଧୁ ଛକରୁ ଡେଲାଟ୍‌, ୧୨୦ ବାଟାଲିୟନ୍‌ରୁ କଳିଙ୍ଗ ଷ୍ଟାଡିୟମ୍‌, ଫରେଷ୍ଟ ପାର୍କ ରୋଡ୍‌ରେ ଠିଆ ହୋଇଥିବା କଥା କୁହା କାନ୍ଥ ଏବେ ନିରବୀ ଯାଇଛି । କେଉଁଠି ପାଚେରୀରେ ଗଛ ପଡ଼ି ଚିତ୍ର ଲୁଚିଯାଇଛି ତ ଆଉ କେଉଁଠି ଏହା ସମ୍ପୂର୍ଣ୍ଣ ଲିଭି ଯାଇଛି ।

   ସମ୍ବନ୍ଧିତ ଖବର


ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା: ଓଡ଼ିଶାକୁ ଥରାଇଲା କୋହଲା ପାଗ

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର