ରାଜଧାନୀ ଜଳିଲା @ ୪୩.୭ ଡିଗ୍ରୀ

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ଆକାଶରୁ ବର୍ଷିଲା ନିଆଁ । ଏଯାଏଁ ଏମିତି ତାତି ଅନୁଭୂତ ହୋଇନଥିଲା ଏ ବର୍ଷ । ଆଜି ପ୍ରଚଣ୍ଡ ଉଗ୍ର ରୂପ ନେଲା ଗ୍ରୀଷ୍ମ ପ୍ରବାହ । ପାରଦ ଡିଆଁ ମାରି ୪୩.୭ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଗଲା । ଦିନକରେ ଭୁବନେଶ୍ୱର ତାପମାତ୍ରା ୪.୧ ଡିଗ୍ରୀ ବଢ଼ିଗଲା । ଏଭଳି ଅସ୍ୱାଭାବିକ ଗ୍ରୀଷ୍ମ ପ୍ରବାହରେ ସିଝି ଛଟପଟ ହେଲା ରାଜଧାନୀ ।

ଭୁବନେଶ୍ୱର ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ସୋମବାର ରାଜଧାନୀ ତାପମାତ୍ରା ୩୯.୬ ଡିଗ୍ରୀ ଥିଲା । ଆଜି ପହଞ୍ଚିଗଲା ୪୩.୭ ଡିଗ୍ରୀରେ । ଏଥିରୁ ଅନୁମାନ କରାଯାଇପାରେ, ଆଜି ଗ୍ରୀଷ୍ମ ପ୍ରବାହ କିଭଳି ଭୟାନକ ରୂପ ନେଇଥିଲା । ପାଣିପାଗ ପୂର୍ବାନୁମାନ ହେଲା, ଆସନ୍ତାକାଲିଠାରୁ ତାତିରୁ କ୍ରମଶଃ ଆଶ୍ୱସ୍ତି ମିଳିବ । ବିଶେଷ କରି ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ଖସି ଆସିବ ।

ଆଜି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା । ଭୁବନେଶ୍ୱର ପଛକୁ ତାଳଚେର ତାପମାତ୍ରା ୪୩.୩ ଡିଗ୍ରୀ ଥିଲା ।ଯାହାକି ବିଗତ ୩ ବର୍ଷ ଭିତରେ ଏପ୍ରିଲରେ ସର୍ବାଧିକ ତାତି । ୨୦୧୬ ଏପ୍ରିଲ ୧୧ରେ ଭୁବନେଶ୍ୱର ତାପମାତ୍ରା ୪୫.୮ ଡିଗ୍ରୀ ଥିଲା ।

ଭୁବନେଶ୍ୱରରେ ଆଜି ସକାଳୁ ଆରମ୍ଭ ହୋଇଯାଇଥିଲା ତାତି ପ୍ରବାହ । ଦିନ ୧୧ଟା ପରେ ଏହା ଭୀଷଣ ରୂପ ନେଇଥିଲା । ରାସ୍ତାରେ ଯାତାୟତ କରିବା କଷ୍ଟକର ହୋଇପଡ଼ିଥିଲା । ଘରୁ ପଦାକୁ ବାହାରିଲେ ଦେହ ମୁହଁ ତାତିରେ ପୋଡ଼ିଲା ଭଳି ଅନୁଭୂତ ହେଉଥିଲା । ଘର ଭିତରେ ବି କାନ୍ଥ, ଚଟାଣ ତାତି ଖଇ ଫୁଟୁଥିଲା ।
ଦିନ ୧ଟାରୁ ୪ଟା ପର୍ଯ୍ୟନ୍ତ ରାସ୍ତାଘାଟ ଖାଁ ଖାଁ ହୋଇଯାଇଥିଲା । ଏଭଳି ଗରମ ଯୋଗୁ ନିର୍ବାଚନୀ ପ୍ରଚାର ବେଶ୍‌ ପ୍ରଭାବିତ ହୋଇଥିଲା । ପ୍ରାର୍ଥୀମାନେ ବାଧ୍ୟ ହୋଇଥିଲେ ମଧ୍ୟାହ୍ନ ସୁଦ୍ଧା ପ୍ରଚାର ସାରିବାକୁ । କର୍ମୀ ଓ ପ୍ରାର୍ଥୀ ଛାଉଁଳି ପଡ଼ିଥିଲେ ପ୍ରଚାରରେ । ସ୍କୁଲ ପିଲାମାନେ ଛୁଟି ପରେ ଘରକୁ ଫେରିବା ବେଳକୁ ଖରାରେ ନୟାନ୍ତ ହୋଇପଡ଼ିଥିଲେ । ଏଭଳି ଅବସ୍ଥା ଯୋଗୁ ରାଜ୍ୟ ସରକାର ୧୮ ତାରିଖରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁଙ୍କ ପୂର୍ବାନୁମାନ ହେଲା, ଆସନ୍ତାକାଲିରୁ ରାଜ୍ୟବାସୀଙ୍କୁ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ହେବା ସହିତ ପବନର ଦିଗ ବଦଳିବ । ଏବେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ତତଲା ପବନ ବହୁଛି । ଏଣିକି ପବନର ଦିଗ ବଦଳିବ । ଦକ୍ଷିଣ- ପଶ୍ଚିମ ଦିଗରୁ ପବନ ବହିବ । ୨୦ ପର୍ଯ୍ୟନ୍ତ ଏଭଳି ପାଗ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଉପକୂଳ ତୁଳନାରେ ତାତି ଅଧିକ କମିବ । ତେବେ ୨୧ରୁ ପୁଣି ଧୀରେ ଧୀରେ ତାତି ବଢ଼ିବ । ୨୪-୨୫ ତାରିଖବେଳକୁ ତାତି ଅସହ୍ୟ ହେବ ବୋଲି ଡ. ସାହୁ କହିଛନ୍ତି ।

କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ବୁଧବାର ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, ଢେଙ୍କାନାଳ ଓ ମାଲକାନଗିରିର ସର୍ବାଧିକ ତାପମାତ୍ରା ଅପରିବର୍ତ୍ତିତ ରହିବ ବା ସାମାନ୍ୟ କମିବ । ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିପାରେ । ୧୮ ତାରିଖରେ ରାଜ୍ୟର ପ୍ରାୟ ସମସ୍ତ ଜାଗାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ତଳକୁ କମିବ । ତେବେ ଗଞ୍ଜାମରୁ ଭଦ୍ରକ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲଗୁଡିକରେ ଗରମ ଅପେକ୍ଷାକୃତ ଭାବେ ଅଧିକ ରହିବ । ୧୯ରେ ଉପକୂଳ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ପୁଣି କମିବ । ୨୦ରେ ରାଜ୍ୟରେ ଗରମ ପୁଣି ବଢିବ । ୨୨ରେ ସର୍ବୋଚ୍ଚ ତାପମାତ୍ରା ପୁଣି ୪୦ ଡିଗ୍ରୀ ପହଞ୍ଚିବ । ୧୮ରୁ ୨୦ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ୧୮ରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଓ ୧୯ ତାରିଖରେ ପଶ୍ଚିମ ଓଡ଼ିଶା ବ୍ୟତୀତ ବାକି ଅଞ୍ଚଳରେ ଏବଂ ୨୦ ତାରିଖରେ ଦକ୍ଷିଣ ଉପକୂଳରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୮ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଦିନ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସ୍ଥାନରେ ଅପେକ୍ଷାକୃତ କମ ତାତି ରହିବ ।

ଅପରପକ୍ଷେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ କହିଛନ୍ତି, ଆସନ୍ତାକାଲିରୁ ତାପମାତ୍ରା କମିବ । ମଙ୍ଗଳବାର ରାତିରେ ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, ନୟାଗଡ଼ ଓ କନ୍ଧମାଳ ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବାରୁ ତାପମାତ୍ରା କମିବ । ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ତେବେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି କମ ରହିବ ।

ମଙ୍ଗଳବାର ଅନୁଗୁଳରେ ତାପମାତ୍ରା ୪୨.୭ ଡିଗ୍ରୀ ସେଲସିୟସ୍‌, ଟିଟଲାଗଡ଼ରେ ୪୨, କଟକରେ ୪୧.୧, ମାଲକାନଗିରିରେ ୪୦.୮, ଚାନ୍ଦବାଲିରେ ୪୦.୫ ଓ ଝାରସୁଗୁଡ଼ାରେ ୪୦ ଡିଗ୍ରୀ ସେଲସିୟସ୍‌ ଥିଲା । ବୁଧବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡିରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

   ସମ୍ବନ୍ଧିତ ଖବର


କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ଜିତ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର

ଯୁବ ଇଂଜିନିୟର୍‌ଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ: ଯୁବତୀଙ୍କ ହଷ୍ଟେଲ୍‌ ସମ୍ମୁଖରେ ହାଲ୍ଲାବୋଲ କରିବାରୁ ନିସ୍ତୁକ ଛେଚିଲେ ଦେଖଣାହାରୀ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି