ପୁଲଓ୍ବାମା ଶହୀଦଙ୍କ ପରିବାରକୁ ୬ ଲକ୍ଷ ଦେଲେ ଭିକାରୀ

ଆଜମେର,୨୨।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାର ଶହୀଦ ଯବାନଙ୍କୁ ନେଇ ସାରାଦେଶ ଶୋକରେ ବୁଡି ରହିଛି। ଶହୀଦ ଯବାନଙ୍କ ପରିବାରକୁ ସରକାରଙ୍କ ଠାରୁ ନେଇ ସାଧାରଣ ଜନତା ସହାୟତାର ହାତ ବଢାଇଛନ୍ତି। ତେବେ ରାଜସ୍ଥାନର ଜଣେ ଭିକାରୀ ତାଙ୍କର ଜମାପୁଞ୍ଜିକୁ ଶହୀଦଙ୍କ ପରିବାରଙ୍କୁ ପ୍ରଦାନ କରିଛନ୍ତି। ଭିକାରୀ ଜଣକ ଏବେ ଯଦିଓ ବଞ୍ଚିନାହାଁନ୍ତି କିନ୍ତୁ ତାଙ୍କର ଶେଷ ଇଛା ଅନୁସାରେ ବ୍ୟାଙ୍କ ଖାତାରେ ଜମା ୬.୬୧ ଲକ୍ଷ ଟଙ୍କା ପୁଲଓ୍ବାମାରେ ଶହୀଦ ହୋଇଥିବା ଯବାନଙ୍କ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଛି। ମୃତ ଭିକାରୀଙ୍କ ଶେଷ ଇଛା ଥିଲା ତାଙ୍କର ଜମାପୁଞ୍ଜି କୌଣସି ଭଲ କାମରେ ଖର୍ଚ ହେଉ।
ଆଜମେରର ବଜରଙ୍ଗଗଡ ଛକରେ ଭିକ ମାଗୁଥିବା ଦେବକୀ ଶର୍ମା ନାମକ ଏହି ଭିକାରୀ ଜଣକ ୭ ବର୍ଷ ପୂର୍ବେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜେଏଲଏନ୍ ଶାଖାରେ ଖାତା ଖୋଲିଥିଲେ।। ଏଥିରେ ସେ ତାଙ୍କର ବଳକା ଅର୍ଥକୁ ରଖୁଥିଲେ। ସେ ଚାହୁଁଥିଲେ ତାଙ୍କର ଜମା ଅର୍ଥ କୌଣସି ଭଲ କାମରେ ଲାଗୁ। ପ୍ରାୟ ୬ ମାସ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ଦେବକୀଙ୍କ ବ୍ୟାଙ୍କ ଖାତା ଦେଖାଶୁଣା କରୁଥିବା ସନ୍ଦୀପ ଗୌଡା କହିଛନ୍ତି ତାଙ୍କର ଇଛା ଅନୁସାରେ ପୁଲଓ୍ବାମାର ଶହୀଦଙ୍କ ନାମରେ ୬ ଲକ୍ଷ ୬୧ ହଜାର ୬୦୦ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କଲ୍ୟାଣ କୋଷକୁ ଦିଆଯାଇଛି। ଜିଲ୍ଲାପାଳ ବିଶ୍ବମୋହନ ଶର୍ମା ଡ୍ରାଫ୍ଟ ସ୍ବୀକାର କରିବା ସହ ଏହି ସହଯୋଗକୁ ଖୁବ୍ ପ୍ରଶଂସା କରିଛନ୍ତି।