ମହଙ୍ଗା ପଡ଼ିଲା ଓଟିଭି ଜମି ଅନିୟମିତତା, ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡ଼ା ନିଲମ୍ବିତ

ଭୁବନେଶ୍ବର, ୨୫/ ୧୧: ବହୁଚର୍ଚ୍ଚିତ ସାରୁଅ ଶିଳ୍ପାଞ୍ଚଳସ୍ଥିତ ଓଟିଭି ଜମି ଅନିୟମିତତାରେ ଫସିଛନ୍ତି ବେଗୁନିଆ ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡ଼ା। ଓଟିଭି କର୍ତ୍ତୃପକ୍ଷ ଦଳିତଙ୍କ ଜମିକିଣା ଘଟଣା ପଛରେ ତାଙ୍କର ସମ୍ପୃକ୍ତି ଥିବା ତଥ୍ୟ ପ୍ରମାଣ ହାତରେ ଲାଗିବା ପରେ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ନଂ ୩୪୦୮୨/୨୪.୧୧.୨୦୨୦ ନିର୍ଦ୍ଦେଶନାମା ଅନୁସାରେ ତାଙ୍କୁ ନିଲମ୍ବନ କରାଯାଇଛି । ସେ କଟକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ।

ବେଗୁନିଆ ତହସିଲ ଅନ୍ତର୍ଗତ ସାରୁଅ ଶିଳ୍ପାଞ୍ଚଳସ୍ଥିତ ଓଟିଭି ତରଙ୍ଗ ଷ୍ଟୁଡିଓ ମାଲିକ ଜାଗୀ ମଙ୍ଗତ ପଣ୍ଡା ଜୟମଙ୍ଗଳ, ସାରୁଅ, ଗୌଡ଼ପୁଟ ଗ୍ରାମର ଶତାଧିକ ଦଳିତ ଲୋକଙ୍କ ଜମିକୁ ହଡ଼ପ, ଶାଗମାଛରେ ଜମି କିଣିବା ଏବଂ ଚାଷଜମିକୁ ବାଟ ବନ୍ଦ ଭଳି ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ କରିଥିଲେ । ସେହିପରି ସାରୁଅ ଗ୍ରାମରେ ଜଳଧର ମହାଭୋଇ ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡ଼ାଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଥିଲେ ।

ଏଥିରେ ଶ୍ରୀ ପରିଡ଼ା ଓଟିଭିକୁ ସୁହାଇବା ପରି ରିପୋର୍ଟ ପ୍ରସ୍ତୁତ କରିବା ସହ ନିରୀହ ଦଳିତ ଲୋକଙ୍କୁ ବହୁ ହଇରାଣ ହରକତ କରୁଥିବା ଅଭିଯୋଗ ଆଣିଥିଲେ। ଏହା ସହ ୨୦୧୯ ଜୁନ୍‌ ୨୮ ତାରିଖରେ ଉଚ୍ଚ ନ୍ୟାୟାଳୟ ଦୁଇ ମାସ ମଧ୍ୟରେ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା ସତ୍ତେ୍ୱ ଶ୍ରୀ ପରିଡ଼ା ଦିନ ଗଡ଼ାଇ ଚାଲିଥିବା ଜଳଧର ଅଭିଯୋଗ ଆଣିଥିଲେ। ଖାଲି ଏତିକି ନୁହେଁ ବରଂ ଜମି ମାପଚୁପ ଓ କିଣାବିକା ଘଟଣାରେ ତହସିଲଦାର ମଧ୍ୟସ୍ଥତା କରିଥିଲେ । ସେ ଓଟିଭି ଦ୍ୱାରା ପ୍ରଭାବିତ ହୋଇଥିବା ଜଳଧର ଅଭିଯୋଗ ଆଣିଥିଲେ ।

ଏହା ପରେ ଜିଲ୍ଲାପାଳଙ୍କ ଆଦେଶ ଅବମାନନା ଏବଂ ଓଟିଭି ଜମି ଅନିୟମିତତା ମାମଲାର ତଦନ୍ତରେ ପକ୍ଷପାତିତା ଘଟଣା ଜଣାପଡ଼ିବା ପରେ ଶ୍ରୀ ପରିଡ଼ାଙ୍କୁ ଅନ୍ୟତ୍ର ବଦଳି କରିବାକୁ ଜିଲ୍ଲାପାଳ ସନତ ମହାନ୍ତି ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ । ଜିଲ୍ଲାପାଳଙ୍କ ସୁପାରିସର ଦୁଇ ଦିନ ପରେ ଶ୍ରୀ ପରିଡ଼ାଙ୍କୁ କଟକ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିଲା ।