ସାମ୍ବାଦିକରୁ ଶ୍ରେଷ୍ଠ ସାଂସଦ: ଭୋଟ ରାଜନୀତିରେ ଅବସର ବୟସ ଜରୁରି-ସାଂସଦ ଭର୍ତ୍ତୃହରି ମହତାବ

ଓଡ଼ିଆ ଖବରକାଗଜ ‘ପ୍ରଜାତନ୍ତ୍ର’ରେ ସାମ୍ବାଦିକତାରୁ ଭାରତୀୟ ଗଣତନ୍ତ୍ରର ଶୀର୍ଷ ସୋପାନ, ସଂସଦ । ଖାଲି ସେତିକି ନୁହେଁ ସଂସଦର ସାଢ଼େ ୫୦୦ ପ୍ରତିନିଧିଙ୍କ ମଧ୍ୟରେ ଶ୍ରେଷ୍ଠ । ଏମିତି ଗୌରବ ମିଳିଛି ଆମ ଓଡ଼ିଆ ପୁଅ ତଥା କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ । ତାଙ୍କର ଅସୀମ ନିଷ୍ଠା, ବାକ୍‌ ସଂଯମତା, କର୍ତ୍ତବ୍ୟପରାୟଣତା, ପରମ୍ପରା ପ୍ରତି ସମ୍ମାନ ଓ ଗରିମା ଯୋଗୁ ତାଙ୍କୁ ମିଳିଛି ଶ୍ରେଷ୍ଠ ସାଂସଦ ସମ୍ମାନ । ଏକଦା ଓଡ଼ିଶା ରାଜନୀତିର କାରଖାନା କୁହାଯାଉଥିଲା ‘ପ୍ରଜାତନ୍ତ୍ର’କୁ । ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଠାରୁ ଆରମ୍ଭ କରି ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ, ଚିନ୍ତାମଣି ପାଣିଗ୍ରାହୀ ଆଉ ଭର୍ତ୍ତୃହରିଙ୍କ ପର୍ଯ୍ୟନ୍ତ ଏହି ପ୍ରଜାତନ୍ତ୍ର କାରଖାନାରୁ ବାହାରିଥିବା ଅନେକ ରାଜନେତା ଦିଲ୍ଲୀ ଦରବାରରେ ଓଡ଼ିଶାର ମୁଣ୍ଡ ଉପରକୁ କରିଛନ୍ତି । ଯୁବ ବୟସରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିବା ଭର୍ତ୍ତୃହରି ୧୯୯୮ ରେ ରାଜନୀତିରେ ପାଦ ଥାପିଥିଲେ । କଟକ ନିର୍ବାଚନମଣ୍ଡଳୀରୁ ଏକାଥରେ ନିର୍ବାଚିତ ହୋଇଥିଲେ ଦ୍ୱାଦଶ ଲୋକସଭାକୁ । ତା’ପରେ ସେ ଆଉ ପଛକୁ ଫେରି ନାହାନ୍ତି । ବିଜୁ ଜନତା ଦଳ ପକ୍ଷରୁ ଲଗାତର ୬ଥର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଛି ତାଙ୍କୁ । ଦୀର୍ଘ ୨୨ ବର୍ଷର ସଂସଦୀୟ ପ୍ରତିନିଧିତ୍ୱରେ ଅନେକ ପଦପଦବିରେ ରହିଛନ୍ତି । ସଂସଦୀୟ ଦଳର ମୁଖିଆ ପଦବି ମଧ୍ୟ ସମ୍ଭାଳିଛନ୍ତି । ଦଳ ତଥା ଦଳୀୟ ସୁପ୍ରିମୋଙ୍କ ଆଭିମୁଖ୍ୟକୁ ନମ୍ରତାର ସହ ଶାଣିତ ସ୍ୱରରେ ଉପସ୍ଥାପନା କରିବାର ବାକ୍‌ନିପୁଣତା ହିଁ ତାଙ୍କୁ ସମସ୍ତଙ୍କ ପ୍ରିୟ କରାଇପାରିଛି । କ’ଣ ତାଙ୍କ ସଫଳତାର ଚାବିକାଠି । ଏକଥା ଜାଣିବା ପାଇଁ ‘ପ୍ରମେୟ’ର ଦିଲ୍ଲୀ ପ୍ରତିନିଧି ନିଗମାନନ୍ଦ ପୃଷ୍ଟି ଭେଟିଥିଲେ ଶ୍ରୀ ମହତାବଙ୍କୁ ତାଙ୍କ ଦିଲ୍ଲୀ ବାସଭବନରେ ।

ପ୍ରଶ୍ନ: ଦୀର୍ଘ ୨୨ ବର୍ଷର ଲମ୍ବା ସଂସଦୀୟ ଜୀବନକୁ କିଭଳି ଦେଖୁଛନ୍ତି?

ଉତ୍ତର: ଏହା ଏକ ଅଧ୍ୟାୟ । ସଂସଦୀୟ ଜୀବନ, ସାମ୍ବାଦିକ ଜୀବନ ଠାରୁ ଭିନ୍ନ । କମେଣ୍ଟ୍ରି ବକ୍ସରେ ବସି ଖେଳ ସମ୍ବନ୍ଧରେ ମତଦେବା ଏବଂ ମଇଦାନରେ ଖେଳିବା ଭିତରେ ଯେଭଳି ପାର୍ଥକ୍ୟ ଅଛି,ସେମିତି ସଂସଦରେ ବସି ଶୃଙ୍ଖଳାର ସହ ବିଧି ତିଆରି କରିବାରେ ଅନେକ ପାର୍ଥକ୍ୟ ରହିଛି ।

ପ୍ରଶ୍ନ :ଆପଣ ଯେତେବେଳେ ପ୍ରଥମେ ଲୋକସଭାକୁ ବିଜୟୀ ହୋଇ ଆସିଥିଲେ ଏବଂ ବର୍ତ୍ତମାନର ଲୋକସଭାକୁ ଦେଖିଲେ ଆପଣ କ’ଣ ପାର୍ଥକ୍ୟ ଅନୁଭବ କରୁଛନ୍ତି?

ଉତ୍ତର: ପ୍ରଥମେ ଲୋକସଭାକୁ ୧୯୯୮ରେ ଆସି ମୁଁ ସବା ପଛ ବେଞ୍ଚରେ ବସିଥିଲି । ଅନେକ ପୁରୁଖା ନେତାଙ୍କୁ ପାଖରୁ ଦେଖିବାର ସୁଯୋଗ ମିଳିଥିଲା । ଅଟଳ ବିହାରୀ ବାଜପେୟୀ, ଇନ୍ଦ୍ରଜିତ ଗୁପ୍ତା, ସୋମନାଥ ଚାଟାର୍ଜୀ, ଚନ୍ଦ୍ରଶେଖର ଆଦିଙ୍କ ଭାଷଣ ଦେବାର ଶୈଳୀ ମୋତେ ଆକୃଷ୍ଟ କରିଥିଲା । ପୁଣି ଜେଟ୍‌ଲୀ, ସୁଷମା ସ୍ୱରାଜ, ପ୍ରମୋଦ ମହାଜନ, ପ୍ରିୟରଞ୍ଜନ ଦାସ ମୁନ୍‌ସୀଙ୍କ ସହିତ ନିବିଡ଼ତା ବଢିବା କାରଣରୁ ସେମାନେ କିପରି ବିଭିନ୍ନ ପ୍ରସଙ୍ଗ ଉପରେ ମତ ଉପସ୍ଥାପନ କରୁଛନ୍ତି, ତାହା ମୁଁ ଲକ୍ଷ୍ୟ କରି ଶିକ୍ଷାଲାଭ କଲି । ସେ ପାଇଁ ଗୃହ ଭିତରେ ବସିରହିବାକୁ ପଡୁଥିଲା । ଏବେ ନବନିର୍ବାଚିତ ସଦସ୍ୟମାନେ ବେଶି ସମୟ ଗୃହ ଭିତରେ ନିଜ ଆସନରେ ବସି ରହିବାକୁ ପସନ୍ଦ କରୁଥିବା ଲକ୍ଷ୍ୟ କରାଯାଉନାହିଁ । ଅବଶ୍ୟ କିଛି ଯୁବ ସାଂସଦଙ୍କର ଏକ୍ଷେତ୍ରରେ ଆଗ୍ରହ ରହିଛି ।

ପ୍ରଶ୍ନ :ଆପଣ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଠିକ୍‌ ପୂର୍ବାହ୍ନ ୧୧ଟାରେ ଲୋକସଭାକୁ ପ୍ରବେଶ କରନ୍ତି, ଗୃହର କାର୍ଯ୍ୟ ସମାପ୍ତ ହେବା ପର୍ଯ୍ୟନ୍ତ ବସିରହନ୍ତି । ସବୁ ଆଲୋଚନା ଉପରେ ନଜର ରଖନ୍ତି ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗନିଅନ୍ତି । କିଭଳି ଆଲୋଚନା ପାଇଁ ଆପଣ ନିଜକୁ ପ୍ରସ୍ତୁତ କରନ୍ତି?

ଉତ୍ତର: ଦଳ ଟିକେଟ୍‌ ଦେଇଛି ଏବଂ ଲୋକ ଭୋଟ ଦେଇ ପାର୍ଲାମେଣ୍ଟକୁ ପଠାଇଛନ୍ତି ଯେତେବେଳେ ଲୋକସଭାରେ ପୂରା ସମୟ ଦେବା ହେଉଛି ସାଂସଦ ଭାବେ ମୋର କର୍ତ୍ତବ୍ୟ । ଏବେ କାମ ଅନେକ ହାଲୁକା ହୋଇଯାଇଛି । ନା ସଚେତକ ଅଛି ନା ମୁଁ ସଂସଦୀୟ ଦଳର ମୁଖ୍ୟ । ତେବେ ଯାହା ଯେଉଁଦିନ ପ୍ରସଙ୍ଗ ନିର୍ଦ୍ଧାରିତ ହୋଇଥିବ, ସେଥିପାଇଁ ମୁଁ ନିଜକୁ ପ୍ରସ୍ତୁତ କରିଥାଏ । ପାର୍ଲାମେଣ୍ଟ ଲାଇବ୍ରେରୀର ଉପଯୋଗ କରିଥାଏ । ସଂସଦରେ ଆଖି, କାନ ଖୋଲା ରଖିଥାଏ, ସବୁବେଳେ ।

ପ୍ରଶ୍ନ : ଆପଣ ବିଜେଡି ସଂସଦୀୟ ଦଳର ନେତା ଥିଲେ । ବିଜେଡି କେବେ ଗୃହରେ ହଟ୍ଟଗୋଳ କରେ ନାହିଁ । ତଥାପି ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରେ, ଏହା କିପରି ସମ୍ଭବ ହୋଇପାରିଛି?

ଉତ୍ତର: ବିଜେଡି ଗୃହରେ କେବେ ହଟ୍ଟଗୋଳ କରେନାହିଁ । ଏହା ବିଜେଡ଼ିର ନୀତି ବିରୁଦ୍ଧ । କିନ୍ତୁ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ ଭାବେ ବ୍ୟକ୍ତ କରିବାକୁ କୌଶଳ ଦରକାର, ଯେଉଁଠି ପାଞ୍ଚଶହରୁ ଅଧିକ ସଦସ୍ୟ ବସନ୍ତି । ମୁଁ ଭାବୁଛି ବିଜେଡି ସଦସ୍ୟଙ୍କ ଆଚରଣ ହିଁ ଗୃହରେ ଆମକୁ ଚିହ୍ନିତ କରିଛି । ଯେହେତୁ ଅନ୍ୟକୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିବା ମୋର ସ୍ୱଭାବ ନଥିଲା, କି ନାହିଁ, ତେଣୁ କହିବାକୁ ସୁଯୋଗ ମିଳିଥାଏ ।

ପ୍ରଶ୍ନ : ଦଳର ଆଭିମୁଖ୍ୟ ଉପସ୍ଥାପନବେଳେ ଆପଣଙ୍କ ସ୍ୱର ବେଶ୍‌ ଶାଣିତ ଥିଲେ ବି ବାକ୍‌ ସଂଯମତା ଥାଏ । ଉତ୍ତେଜନା ପରିସ୍ଥିତିରେ ଗୃହରେ ଦଳ ଓ ନିଜକୁ କେମିତି ସମ୍ଭାଳନ୍ତି ଆପଣ?

ଉତ୍ତର: ଆପଣଙ୍କୁ ହୁଏତ କେବେ ମୋର କ୍ରୋଧ ଦେଖାଯାଇନାହିଁ, କିନ୍ତୁ ଏତିକି କହିବି, କ୍ରୋଧକୁ ନିୟନ୍ତ୍ରଣ କରିବା ଏବଂ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ଥାଇ ମଧ୍ୟ ନିଜର କଥାକୁ ଦୃଢ ଭାବେ ଉପସ୍ଥାପନ କରିବାର କଳା ହିଁ ଅଧିକ କଥା କହିବାର ସୁଯୋଗ ସୃଷ୍ଟି କରିଥାଏ । କ୍ରୋଧ ନିଜକୁ ପ୍ରସଙ୍ଗଠୁ ଦୂରେଇଦିଏ । ଉତ୍ତେଜିତ ନହେବାରୁ ତ ଆମେ ଓଡ଼ିଶାର ସବୁ ପ୍ରସଙ୍ଗ ଭଲଭାବରେ ଉପସ୍ଥାପନ କରିଥାଉ ।

ପ୍ରଶ୍ନ : ଲୋକସଭାର ଶ୍ରେଷ୍ଠ ସାଂସଦ ଭାବେ ଗୌରବ ହାସଲ କରିଛନ୍ତି । ଏହି ସଫଳତାର ଶ୍ରେୟ କାହାକୁ ଦେବେ?

ଉତ୍ତର: ସଫଳତା ସଂକ୍ରାନ୍ତରେ ନିଜେ କ’ଣ ବଖାଣିବି । କେବଳ ଏତିକି କହିବି, ଯାହା ୨୦୧୮ ଅଗଷ୍ଟ ପହିଲାରେ ସେଣ୍ଟ୍ରାଲ ହଲରେ କହିଥିଲି- ‘ଖ୍ୱାହିସ୍‌ ନହିଁ ହୈ ମଶହୂର ହୋନେ କି, ଆପ୍‌ନେ ମୁଝେ ପେହେଚାନା, ଇତ୍‌ନା ହି କାଫି ହୈ ।’ (ଯାହାର ଅର୍ଥ ହେଉଛି ବହୁତ ବଡ଼ ହେବାର ମୋର ଇଚ୍ଛା ନାହିଁ, ଆପଣ ମୋତେ ଚିହ୍ନଲେ ତାହା ହିଁ ଯଥେଷ୍ଠ) ।

ପ୍ରଶ୍ନ : ଆପଣ ବାଚସ୍ପତିଙ୍କ ସଭାପତି ପ୍ୟାନେଲରେ ରହିଛନ୍ତି । ଆପଣଙ୍କ ଗୃହ ପରିଚାଳନାକୁ ଦେଖି ଅନେକ ସାଂସଦଙ୍କ ମତ ଯେ ଆପଣଙ୍କ ପାଖରେ ଲୋକସଭା ବାଚସ୍ପତି ହେବା ପାଇଁ ସମସ୍ତ ପ୍ରତିଭା ରହିଛି । ଆପଣ ଏହାକୁ କିଭଳି ଦେଖୁଛନ୍ତି? କଳ୍ପନାଜଳ୍ପନା ଲାଗି ରହିଛି ଯେ ଆପଣଙ୍କୁ ଉପବାଚସ୍ପତି ପଦ ମିଳିପାରେ । ଏନେଇ ଆପଣଙ୍କର ମତାମତ?

ଉତ୍ତର: ଖବର କାଗଜରେ ଉପବାଚସ୍ପତି କଥା ପଢିଛି । କିଛି ସାମ୍ବାଦିକ ବନ୍ଧୁ ଏ ସଂକ୍ରାନ୍ତରେ ପ୍ରଚାର କରିଛନ୍ତି ବୋଧେ । ତେବେ ମୋ ସହିତ କେହି କେବେ ଏ ବିଷୟରେ କଥା ହୋଇନାହାନ୍ତି କି ମୋ ମତ ଲୋଡ଼ି ନାହାନ୍ତି । ତେବେ ଦଳର ମୁଖ୍ୟ ଯାହା ନିଷ୍ପତ୍ତି ନେବେ ତାହା ହିଁ ହେବ ।

ପ୍ରଶ୍ନ : କେତେକଙ୍କ ମତ ଯେ ମୋଦୀ ସରକାରଙ୍କ ପ୍ରତି ଆପଣ ନରମ ମନୋଭାବ ରଖି ଆସୁଛନ୍ତି । ଏନ୍‌ଡିଏ ସରକାରଙ୍କୁ କଠୋର ଆଲୋଚନା କରନ୍ତି ନାହିଁ । ଏହା କେତେ ଦୂର ସତ?

ଉତ୍ତର: ମୋର ସ୍ୱଭାବ ହେଉଛି କାହା ପ୍ରତି କଠୋର ମନୋଭାବ ପୋଷଣ କରେନାହିଁ । ୟୁପିଏ ଶାସନ କାଳରେ ମୁଁ ପରମାଣୁ ଚୁକ୍ତି ନେଇ କେତେଥର ଚର୍ଚ୍ଚାରେ ଭାଗ ନେଇଛି । ମୋର ମତ ରଖିଛି, ତାହା ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ୱାରା ଆଦୃତ ହୋଇଛି ଏବଂ ତାଙ୍କ ଠାରୁ ପରବର୍ତ୍ତୀ କାଳରେ ଚିଠି, ଟେଲିଫୋନ ପାଇଛି । ଯାହା ଦେଶ ପାଇଁ ଭଲ, ତାହାକୁ ଖୋଲା ମନରେ ସମର୍ଥନ କରିବା ଏବଂ ଯାହା ଭୁଲ୍‌ ତାକୁ ସମାଲୋଚନା କରିବା ମୋର ଅଭ୍ୟାସ । ଏହା କେଉଁ ଦଳକୁ ସମର୍ଥନ କି ବିରୋଧ କରିବା ନୁହେଁ ।

ପ୍ରଶ୍ନ: ସାରା ସଂସଦ ଆପଣଙ୍କୁ ଶ୍ରେଷ୍ଠ ସାଂସଦ ସମ୍ମାନ ଦେଲା, କିନ୍ତୁ ଆପଣଙ୍କ ଦଳ ଏତେ ଉଲ୍ଲସିତ ହେଲା ନାହିଁ । ଆପଣଙ୍କୁ ସଂସଦରେ ଦଳୀୟ ନେତୃତ୍ୱ ବି ଦେଲା ନାହିଁ । ଏନେଇ ଆପଣଙ୍କ ମତ?

ଉତ୍ତର: ନା ସେମିତି ଭାବିବା ଠିକ୍‌ ନୁହେଁ । ଦଳ ବି ମୋତେ ଏନେଇ ସମ୍ମାନିତ କରିଛି । ଦଳକୁ ହିଁ ଏ ସମ୍ମାନ ମିଳିଛି । ତା’ଛଡ଼ା ସଂସଦରେ ଦଳୀୟ ନେତୃତ ସବୁବେଳେ ପରିବର୍ତ୍ତନ ହୋଇଥାଏ । ମୋ ପୂର୍ବରୁ ଅର୍ଜୁନ ସେଠୀ ଓ ଅନ୍ୟମାନେ ବି ନେତା ଥିଲେ ।

ପ୍ରଶ୍ନ: ଭୋଟ ରାଜନୀତି ପାଇଁ ନିର୍ଦ୍ଦିଷ୍ଟ ବୟସ ସୀମା ନିର୍ଦ୍ଧାରଣ ନେଇ ଆପଣଙ୍କ ମତ କ’ଣ?

ଉତ୍ତର: ନିର୍ଦ୍ଦିଷ୍ଟ ବୟସ ସୀମା ରହିବା ଦରକାର । ସ୍ୱର୍ଗତ ହରେକୃଷ୍ଣ ମହତାବ ବି ଏକ ନିର୍ଦ୍ଦିଷ୍ଟ ବୟସରେ ଭୋଟ ରାଜନୀତିରୁ ସ୍ୱଇଚ୍ଛାରେ ଅବସର ନେଇଥିଲେ । ମୋ ମତରେ ୭୫ ବର୍ଷ ପରେ ଆଉ ଭୋଟ ଲଢ଼ିବା ଉଚିତ ନୁହେଁ ।

   ସମ୍ବନ୍ଧିତ ଖବର


ଚର୍ଚ୍ଚରେ ରହିଛି ୪୫୦ ବର୍ଷ ପୂର୍ବର ମୃତଦେହ; ପାଦରେ ଛୁଞ୍ଚି ମାରିଲେ ବାହାରୁଚି ରକ୍ତ, ଅନେକ ଦିବ୍ୟଶକ୍ତି ରହିଥିବା ବିଶ୍ବାସ…

ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ ନିଶା, କେବେ ଦିନେ ରାସ୍ତା କଡରେ ଭିକ ମାଗୁଥିଲେ ଆଜି ବିଶ୍ବ ପାଇଁ ଉଦାହରଣ

ଆଜି ୩ଟି କରୋନା ଭ୍ୟାକସିନ ପ୍ରସ୍ତୁତି ସେଣ୍ଟର ବୁଲିବେ ପ୍ରଧାନମନ୍ତ୍ରୀ; ଅହମଦାବାଦ, ପୁଣେ ଓ ହାଇଦ୍ରାବାଦରେ କରିବେ ସମୀକ୍ଷା…

ଏହି ଦେଶର ରାଷ୍ଟ୍ରପତିଙ୍କ ଅଜବ ଯୁକ୍ତି; “ଆମକୁ ଆବଶ୍ୟକ ନାହିଁ କରୋନା ଭ୍ୟାକ୍‌ସିନ, କେବଳ ମୋ କୁକୁରକୁ ଦରକାର”…

ବାଇକକୁ ଧକ୍କା ଦେଇ ହଠାତ୍ ମଝି ରାସ୍ତରେ ହୁତୁ ହୁତୁ ଜଳିଗଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର