କଂଗ୍ରେସରେ ଯୋଗଦେଲେ ଭିମସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ

ଭୁବନେଶ୍ୱର ୨୪/୩: ହାତ ଧରିଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ । ଆଜି(ରବିବାର) କଂଗ୍ରେସ ଭବନରେ ଡାକ୍ତର ଅଶ୍ୱିନୀ ପୂଜାହାରୀ କଂଗ୍ରେସରେ ଯୋଗଦେଇଛନ୍ତି । ଚାକିରୀରୁ ଇସ୍ତଫା ଦେବାପରେ ଭିମସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ପୂଜାହାରୀ ରାଜନୀତିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଆଜି ସେ କଂଗ୍ରେସରେ ଯୋଗଦେଇଛନ୍ତି ।
ପୂଜାହାରୀଙ୍କ ନାମରେ ଲୁଣ ଚିକିତ୍ସା ଅଭିଯୋଗ ଉଠିବା ପରେ ସରକାର ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଛୁଟିରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାର କିଛି ଦିନ ପରେ ସେ ନିଜ ତରଫରୁ ଇସ୍ତଫା ଦେଇଦେଇଥିଲେ । ଏହାପରେ ସେ ରାଜନୀତିକୁ ଆସିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେ କେଉଁ ଦଳରେ ଯୋଗଦେବେ ତାହା ସ୍ପଷ୍ଟ ହୋଇନଥିଲା । ହେଲେ ଆଜି ସବୁ ସ୍ପଷ୍ଟ କରି ହାତ ଧରିଛନ୍ତି ଡାକ୍ତର ପୂଜାହାରୀ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ କଂଗ୍ରେସରେ ମିଶିଛନ୍ତି ।
କଂଗ୍ରେସରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଶ୍ବିନୀ ପୂଜାହାରୀ । ସେ କହିଛନ୍ତି ଯେ ତାଙ୍କର ମୂଳ ଲକ୍ଷ୍ୟ ହେଲା ଭୀମସାରର ଉନ୍ନତି । ସବୁ ଲୋକ ଯେମିତି ମାଗଣା ଚିକିତ୍ସା ସୁବିଧା ପାଇବେ ସେଥିପାଇଁ ସେ କାମ କରିବେ ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସେ ଗୋଟିଏ ଛୋଟିଆ ନିର୍ବାଚନ ମଣ୍ଡଳୀରୁ ଲଢିବା ପାଇଁ ଚାହୁଁଥିଲେ । ମାତ୍ର ସେସବୁ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା ସରିଛି । ତେଣୁ ଏବେ ଦଳ ଯେଉଁଠୁ ଚାହିଁବ ସେଇଠୁ ଲଢିବେ ବୋଲି କହିଛନ୍ତି ପୂଜାହାରୀ ।