ହୋଲ୍ଡିଂ ଟିକସ ଖିଲାପୀଙ୍କୁ ବିଏମ୍‌ସି ସୁରକ୍ଷା: ଆବାସିକ ଘରେ ଚାଲିଛି ହୋଟେଲ

ଭୁବନେଶ୍ୱର ୨୦/୮: ଆବାସିକ ଘର । ଟିକସ ବି ଦେଉଛନ୍ତି ଆବାସିକ ହିସାବରେ । କିନ୍ତୁ ଆବାସିକ ଘରେ ଚାଲିଛିି ହୋଟେଲ, ଲଜ୍‌ ଓ ଗେଷ୍ଟ୍‌ ହାଉସ୍‌ । ଭଡ଼ା ବାବଦରେ ମାସକୁ ଲକ୍ଷାଧିକ ଟଙ୍କା କମାଉଛନ୍ତି । କିନ୍ତୁ ନିର୍ଦ୍ଧାରିତ ହୋଲ୍ଡିଂ ଟିକସ ଦେଉନାହାନ୍ତି । ନୋଟିସ୍‌ ପରେ ବି ଧରାଛୁଆଁ ଦେଉନାହାନ୍ତି । କିନ୍ତୁ ଏଭଳି ଟିକସ ଖିଲାପୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନି ବିଏମ୍‌ସି । ଲୋକଦେଖାଣିଆ ନୋଟିସ୍‌ କରି ଚୁପ୍‌ ବସି ପଡ଼ିଛି ।

ଚନ୍ଦ୍ରଶେଖରପୁର ଓଏସ୍‌ଏଚବି କଲୋନୀ, କାନନ ବିହାର, ପଦ୍ମାବତୀ ବିହାର, ପ୍ରଗତି ବିହାର, ତ୍ରିଷ୍ଣା ରେସିଡେନ୍ସି, କିଟ୍‌ ଛକ, ତ୍ରିଷ୍ଣା ଏନକ୍ଲେଭ, ଏସଏସ୍‌ ବିହାର, ପଟିଆ, ଡିଫେନ୍ସ କଲୋନୀ, ପ୍ରାଚୀ ଏନକ୍ଲେଭ, ଡିଷ୍ଟ୍ରିକ୍ଟ ସେଣ୍ଟର, ଗାଡକଣ, ଭିଏସଏସ ନଗର, ଲକ୍ଷ୍ମୀବିହାର, ଜୟଦେବ ବିହାର, ସାମନ୍ତ ବିହାରଗଜପତି ନଗର, ଲୁମ୍ବିନୀ ବିହାର ଓ ମୈତ୍ରୀ ବିହାରରେ ଥିବା କିଛି ଆବାସିକ ଘରେ ଏଭଳି ହୋଟେଲ ଚାଲୁଥିଲା । ହୋଲ୍ଡିଂ ଟିକସ ଫାଙ୍କୁଥିବା ଏଭଳି ୪୦ ଘର ମାଲିକଙ୍କୁ ଚିହ୍ନଟ କରି ବିଏମ୍‌ସି ଉତ୍ତର ଜୋନ୍‌ର ଜୋନାଲ ଡେପୁଟି କମିଶନର ନୋଟିସ୍‌ କରିଥିଲେ ।

ହୋଲ୍ଡିଂ ଟିକସ ଫାଙ୍କିବା ସହ ଆବାସିକ ଘରେ ଏଭଳି ହୋଟେଲ ଚାଲିବାକୁ ଆବଶ୍ୟକ ଅନୁମତି ନିଆଯାଇନଥିଲା । ମ୍ୟୁନିସିପାଲ ଆକ୍ଟ ଅନୁସାରେ ଏଭଳି କାମ ବେଆଇନ । ଏଣୁ ଘର ମାଲିକମାନେ ତୁରନ୍ତ ଏହି ହୋଟେଲ/ଗେଷ୍ଟହାଉସ୍‌କୁ ବନ୍ଦ କରିବାକୁ ଜୋନାଲ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି ନୋଟିସ୍‌ରେ ଦର୍ଶାଇଥିଲେ । କିନ୍ତୁ ଏହି ନୋଟିସ୍‌କୁ ୩ ସପ୍ତାହ ହେବାକୁ ବସିଲାଣି । ମାତ୍ର କାର୍ଯ୍ୟାନୁଷ୍ଠାନ ଶୂନ । କେବଳ ନାଁକୁ ନୋଟିସ୍‌ କରି ଜୋନାଲ ଡେପୁଟି କମିଶନର ଚୁପ୍‌ ବସିଛନ୍ତି ।

ମ୍ୟୁନିସିପାଲ ଆକ୍ଟ ଅନୁସାରେ ଏଭଳି ହୋଲ୍ଡିଂ ଟିକସ ଖିଲାପୀଙ୍କ ବିରୋଧରେ ବିଏମ୍‌ସି କଡ଼ା କାର୍ଯାନୁଷ୍ଠାନ ନେଇପାରିବ । ଘର ସିଲ୍‌ ସହ ଜରିମାନା ଆଦାୟ କରିପାରିବ । କିନ୍ତୁ ଜାଣିଶୁଣି ଏହି ଟିକସ ଖିଲାପୀଙ୍କୁ ସୁରକ୍ଷା ଦେଉଛି ବିଏମ୍‌ସି । ଖାଲି ଏହି ଉତ୍ତର ଜୋନ୍‌ ନୁହେଁ ସହର ସାରା ଏଭଳି ମାଳ ମାଳ ବିଲ୍ଡିଂରେ ହୋଟେଲ ଓ ଗେଷ୍ଟହାଉସ୍‌ ଚାଲିଛି । ବିଏମ୍‌ସି ଧାର୍ଯ୍ୟ କରୁଥିବା ହୋଲ୍ଡିଂ ଟିକସ ଅନୁସାରେ ଏକ ହଜାର ବର୍ଗଫୁଟ ବିଶିଷ୍ଟ ପ୍ଲିଣ୍ଟ ଏରିଆ ଥିବା ଆବାସିକ ଘର ପାଇଁ ବର୍ଷକୁ ହୋଲ୍ଡିଂ ଟିକସର ପରିମାଣ ହେଉଛି ୨୫୦ ଟଙ୍କା । କିନ୍ତୁ ଯଦି ଏହା ଆବାସିକ ନ ହୋଇ ବ୍ୟବସାୟିକ ବିଲ୍ଡିଂ ହୋଇଥିବା ତା ହେଲେ ଏହାର ହୋଲ୍ଡିଂ ଟିକସ ବର୍ଷକୁ ୨୪ହଜାର ଭରିବାକୁ ପଡ଼ିବ ।

କିନ୍ତୁ ବ୍ୟବସାୟିକ ବିଲ୍ଡିଂଗୁଡିକ ଟିକସ ଫାଙ୍କି ଚାଲିଛନ୍ତି । ଅନେକ ଆବାସିକ ଘରେ ହୋଟେଲ ଓ ଗେଷ୍ଟହାଉସ୍‌ ଚାଲିଛି । ଆଉ କିଛି ଆବାସିକ ଘରେ ରେଷ୍ଟୁରାଣ୍ଟ ଓ ଅନ୍ୟ ଦୋକାନ ଖୋଲାଯାଇଛି । କିନ୍ତୁ ହୋଲ୍ଡିଂ ଟିକସ ଦେଲା ବେଳକୁ ଆବାସିକ ହିସାବରେ ଦେଉଛନ୍ତି । ଏଭଳି କାରନାମା ଯୋଗୁ ବିଏମ୍‌ସି ମାସିକ ଲକ୍ଷ ଲକ୍ଷ ଟଙ୍କାର ଟିକସ ହରାଉଛି । ଖାଲି ଉତ୍ତର ଜୋନ୍‌ ନୁହେଁ ସହରର ଗଳିକନ୍ଦିରେ ଆବାସିକ ଘରେ ଗଣ୍ଡା ଗଣ୍ଡା ହୋଟେଲ ଚାଲିଛି । ଓୟୋ ଭଳି ହୋଟେଲ ଚେନ୍‌ ଘର ମାଲିକଙ୍କୁ ଆକର୍ଷଣୀୟ ପ୍ୟାକେଜ୍‌ ଦେଇ ଘର ମାଲିକଙ୍କଠାରୁ ଘର ଭଡାକୁ ନେଉଛନ୍ତି । କିନ୍ତୁ ଘରମାଲିକମାନେ ନିର୍ଦ୍ଧାରିତ ହୋଲ୍ଡିଂ ଟିକସ ନ ଦେଇ ଏହାକୁ ଠକୁଛନ୍ତି । ବିଏମ୍‌ସିର ଟ୍ୟାକ୍‌ କଲେକ୍ଟରମାନେ ବି ଘର ମାଲିକଙ୍କୁ ଅଘୋଷିତ ସୁରକ୍ଷା ଯୋଗାଇ ଦେଉଛନ୍ତି ।

   ସମ୍ବନ୍ଧିତ ଖବର


ପାରିତ ହେଲା ସଂକ୍ରାମକ ରୋଗ ବିଲ୍‌, କରୋନା ନିୟମ ଉଲ୍ଲଂଘନ କଲେ ଲକ୍ଷେ ଜରିମାନା, ଦୁଇ ବର୍ଷ ଜେଲ୍‌

ମାସ୍କ ବ୍ୟବହାର କଲେ ସଂକ୍ରମଣ ସମ୍ଭାବନା କମ୍‌: ଡା. ମନୋଜ ସାହୁ

ବାଉଁଶ ଚାଷର ବିକାଶ ପାଇଁ କେନ୍ଦ୍ରୀୟ ସହାୟତାରେ ତିନି ବର୍ଷରେ ଓଡ଼ିଶାକୁ ମିଳିଛି ୬.୭୭ କୋଟି: ଧର୍ମେନ୍ଦ୍ର

ସରିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା, ଖାଲି ପଡ଼ିବ ୪୦ ହଜାରରୁ ଅଧିକ ସିଟ୍‌…

ନନ୍ଦନକାନନରେ ଦିନକୁ ୨,୫୫୦ ପର୍ଯ୍ୟଟକଙ୍କୁ ଟିକେଟ୍‌, ବୟସ୍କ ଓ ଶିଶୁ ନଯିବାକୁ ପରାମର୍ଶ…

ଭୁବନେଶ୍ୱର ନାବାଳିକା ଗଣବଳାତ୍କାର ଘଟଣା, ଡିସିପି ବା ତଦୁଦ୍ଧ୍ୱ୍ୱର୍ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ