ସ୍ୱର୍ଗଦ୍ୱାର ନବକଳେବର ପାଇଁ ଭୂମିପୂଜନ, ୬ ମାସରେ ସରିବ ନିର୍ମାଣ

ପୁରୀ,୧୩ା୨(ବ୍ୟୁରୋ): ପୁରୀ ସ୍ୱର୍ଗଦ୍ୱାରର ନବକଳେବର କାର୍ଯ୍ୟ ଆରମ୍ଭ ହୋଇଛି । ଗୁରୁବାର ସ୍ୱର୍ଗଦ୍ୱାର ନୂତନ ପ୍ରକଳ୍ପର ଭୂମି ପୂଜନ ସରିଛି । ଭୂମି ପୂଜା ସମୟରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ନିର୍ମାଣ ଦାୟିତ୍ୱ ନେଇଥିବା ସ୍ଥପତିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ଏକ ଏକର ଜମିରେ ବର୍ତ୍ତମାନ ପାଇଁ ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ ପରିକଳ୍ପନା ନିର୍ମାଣ ହେବ । ପ୍ରଥମ ଦଫାରେ ଶବ ଦାହ ପାଇଁ ୧୪ଟି ପିଣ୍ଡି ନିର୍ମାଣ କରାଯିବ । ପ୍ରକଳ୍ପ ନିର୍ମାଣ ବେଳେ ଶବ ସତ୍କାର ପ୍ରକ୍ରିୟାରେ ପ୍ରତିବନ୍ଧକ ହେବାକୁ ଦିଆଯିବ ନାହିଁ । ୩ ମାସ ମଧ୍ୟରେ ଏହି ଶବଦାହ ପିଣ୍ଡିର ନିର୍ମାଣ ଶେଷ କରାଯିବ । ଏଥିସହ ଲୋକଙ୍କ ଧର୍ମଭାବନାର ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।

ସ୍ୱର୍ଗଦ୍ୱାର ନବୀକରଣ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରଥମ ଦଫା କାମ ଶେଷ ପରେ ସ୍ୱର୍ଗଦ୍ୱାର ଭିତରେ ଜନସେବା ପ୍ରକଳ୍ପଗୁଡିକର ନିର୍ମାଣ ହେବ । ଏକା ସମୟରେ ୧୪ରୁ ଅଧିକ ଶବ ସ୍ୱର୍ଗଦ୍ୱାର ଆସିଲେ ଲୋକମାନେ କିଛି ଅସୁବିଧା ଭୋଗି ପାରନ୍ତି । ଏଥିପାଇଁ ଲୋକମାନେ ପ୍ରଶାସନକୁ ସହଯୋଗ କରିବେ ବୋଲି ଜିଲ୍ଲାପାଳ ଆଶା କରିଛନ୍ତି । ସ୍ୱର୍ଗଦ୍ୱାରରେ ରହିଥିବା ବିଜୁବାବୁଙ୍କ ସମାଧି ପୀଠକୁ ଅନ୍ୟ କେଉଁଠି ପୁନଃ ସ୍ଥାପନ କରାଯିବ ତାହା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି ।

ତେଲଙ୍ଗାନାର ମହାପ୍ରସ୍ଥାନମ୍‌ କ୍ରିମେଟୋରିୟମ ଢାଞ୍ଚାରେ ସ୍ୱର୍ଗଦ୍ୱାରକୁ ନୂଆ ରୂପ ଦିଆଯିବ । କ୍ରିମେଟୋରିୟମ୍‌ ନିର୍ମାଣରେ ଅଭିଜ୍ଞ ସ୍ଥପତି ‘ସ୍ପିନିକ୍ସ’ ସଂସ୍ଥା ସ୍ୱର୍ଗଦ୍ୱାର ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ନେଇଛି । ଏହି ସଂସ୍ଥାର କର୍ମକର୍ତ୍ତାମାନେ ଆଜି ଭୂମି ପୂଜନ ବେଳେ ଉପସ୍ଥିତ ଥିଲେ । ସ୍ୱର୍ଗଦ୍ୱାର ପାଇଁ ପ୍ରସ୍ତୁତ ଡିଜାଇନକୁ ଗଣମାଧ୍ୟମ ଆଗରେ ଉପସ୍ଥାପନ କରାଯାଇଥିଲା । ନୂଆ ଡିଜାଇନରେ ସ୍ୱର୍ଗଦ୍ୱାର ସମ୍ମୁଖରେ ଏକ ତୋରଣ ଶୋଭାପାଇବ । ଏକ ଧାଡ଼ିରେ ୧୪ଟି ଶବ ସତ୍କାର ଦାହ ପିଣ୍ଡିକୁ ସ୍ଥାନିତ କରାଯାଇଛି । ଦୁଇ ଧାଡ଼ିରେ ଏହି ପିଣ୍ଡି ନିର୍ମାଣ ପ୍ରସ୍ତାବ ରହିଛି । ପରିସରରେ ରହିବ ଏକ କାର୍ଯ୍ୟାଳୟ, ଶବ ରଖିବାକୁ ସ୍ୱତନ୍ତ୍ର ପ୍ରକୋଷ୍ଠ, ପୂଜା ସାମଗ୍ରୀ ପାଇଁ ଭେଣ୍ଡିଂ ଜୋନ, ଚାରୋଟି ପଥଶ୍ରାଦ୍ଧ ପିଣ୍ଡି, ଅସ୍ଥି ରଖିବାକୁ ଲକର ରୁମ୍‌, ଶୌଚାଳୟ, ସ୍ନାନାଗାର । ସ୍ୱର୍ଗଦ୍ୱାର ମନ୍ଦିରର ସୌନ୍ଦର୍ଯ୍ୟକରଣ ବି କରାଯିବ ।

ବର୍ଷା, ପବନ ବେଳେ ଶବଦାହ ଏବଂ ଲୋକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଏହି ପରିକଳ୍ପନାରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ପ୍ରଶାସନର ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ ପରିକଳ୍ପନାକୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଅନୁମୋଦନ ମିଳିଛି । ସ୍ୱର୍ଗଦ୍ୱାର ନବୀକରଣ ପରିକଳ୍ପନାକୁ ଛଅ ମାସ ମଧ୍ୟରେ ନିର୍ମାଣ କରାଯିବ । ପ୍ରକଳ୍ପ ନିର୍ମାଣ ସରଞ୍ଜାମ ସହ ନିର୍ମାଣକାରୀ ସଂସ୍ଥା ପୁରୀରେ ପହଞ୍ଚିଛି । ଏହା ପରେ ସ୍ୱର୍ଗଦ୍ୱାର ବେଳାଭୂମି ଏବଂ ସମୁଦ୍ର କୂଳର ସୌନ୍ଦର୍ଯ୍ୟକରଣ ସମ୍ପନ୍ନ ହେବ ବୋଲି ଖବର ମିଳିଛି । ଉଲ୍ଲେଖଯୋଗ୍ୟ, ବିଜୁବାବୁଙ୍କ ସମାଧି ପୀଠ ଉଚ୍ଛେଦ ସମେତ ଏହି ପରିକଳ୍ପନା ଏବଂ ନବୀକରଣ ପ୍ରକଳ୍ପର ବ୍ୟୟ ଅଟକଳ ସମ୍ପର୍କରେ ତିନି ମାସ ପୂର୍ବେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

   ସମ୍ବନ୍ଧିତ ଖବର


ଲକ୍‌ଡାଉନ୍‌ରେ ନୀଳଚକ୍ର ଦେଖି ଦେଖି ଭକ୍ତଙ୍କ ବିତୁଛି ଦିନ

କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ପୁରୀ ଦାନଗହିର ଗାଁ ସିଲ୍‌ – ଦିଲ୍ଲୀ ନିଜାମୁଦ୍ଦିନି ସମ୍ମିଳନୀରୁ ଯୋଗ ଦେଇ ଫେରିଥିଲେ

ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ମିଶ୍ରଙ୍କ ପରଲୋକ

ପୁରୀ ରଥଖଳାରେ ପହଞ୍ଚିଲା ୨୧ଖଣ୍ଡ କାଠ, ଶ୍ରୀରାମ ନବମୀରେ କାଠ ଚିରଟ ଅନୁକୂଳ