ଭୁଶୁଡ଼ିଲା ଜେଏସ୍ଡବ୍ଲୁ ଭୂଷଣ କାରଖାନାର ସ୍ଲରି ପଣ୍ଡ, ଚାଷ ଜମିକୁ ମାଡ଼ିଗଲା ତରଳ ୱେଷ୍ଟେଜ ଲୁହାଗୁଣ୍ଡ

ସମ୍ବଲପୁର, ୨୧/୦୧ : ଭୁଶୁଡ଼ିଲା ଜେଏସ୍ଡବ୍ଲୁ ଭୂଷଣ କାରଖାନାର ସ୍ଲରି ପଣ୍ଡ। ସମ୍ବଲପୁର ରେଙ୍ଗାଲୀ ବ୍ଲକର ଠେଲକୁଲି ସ୍ଥିତ ଜେଏସ୍ଡବ୍ଲୁ ଭୂଷଣ କାରଖାନାରେ ବଡ ଧରଣର ଅଘଟଣ ଘଟିଛି। କାରଖାନାର ପେଲେଟ୍ ପ୍ଲାଣ୍ଟର ସ୍ଲରି ପଣ୍ଡ ଭୁଶୁଡିଯିବା ଫଳରେ ବିରାଟ ଅଞ୍ଚଳକୁ ତରଳ ୱେଷ୍ଟେଜ ଲୁହାଗୁଣ୍ଡ ମାଡି ଚାଲିଛି। ନିକଟରେ ଥିବା ବାଞ୍ଜିବେର୍ଣା ଗାଁକୁ ଏହି ବିଷାକ୍ତ ବର୍ଜ୍ୟ ମାଡିଯିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
ସୂଚନାନୁଯାୟୀ, ଗୁରୁବାର ରାତି ପ୍ରାୟ ସାଢେ ୭ଟାରୁ ୮ଟା ମଧ୍ୟରେ ପେଲେଟ ପ୍ଲାଣ୍ଟର ସ୍ଲରି ପଣ୍ଡ ପାଚେରୀ ଭାଙ୍ଗି ଯାଇଥିଲା। ଫଳରେ ଏଠାରେ ଥିବା ବିଷାକ୍ତ ତରଳ ଲୁହା ଫାଇନ୍ସ ନିକଟସ୍ଥ ବାଞ୍ଜିବେର୍ଣା ଗାଁ ଆଡ଼କୁ ମାଡିଯାଇଛି । ଗାଁରେ ବ୍ୟାପକ ଚାଷ ଜମିକୁ ଏହା ମାଡ଼ି ଯାଇଥିବା ବେଳେ ଗାଧୁଆ ପୋଖରୀକୁ ବି ଏହି ବିଷାକ୍ତ ପାଣି ପ୍ରବେଶ କରିଛି । ଫଳରେ ମାଛମାନେ ମରି ଭାସିବା ଆରମ୍ଭ କରିଛନ୍ତି। ସେହିପରି ନିକଟରେ ଥିବା ଏକ କୁକୁଡା ଫାର୍ମ ବି କ୍ଷତିଗ୍ରସ୍ତ ହୋଇଛି। ଫଳରେ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାକୁ ଅଟଳାଇବାରେ କର୍ତ୍ତୃପକ୍ଷ ସଫଳ ହୋଇନଥିବାରୁ ଏହା କାରଖାନା ପଛପଟେ ଯାଇଥିବା ସମ୍ବଲପୁର-ଝାରସୁଗୁଡା ତୈଳପଥ ଉପରକୁ ମାଡ଼ି ଯିବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ସ୍ଲରି ପଣ୍ଡ ଯଦି ସିଲଟି ରେଳପଥ ଉପରକୁ ମାଡିଗଲା, ତାହେଲେ ରେଳପଥରେ ଟ୍ରେନ୍ ଚଳାଚଳ ବ୍ୟାହତ ହେବ। ଜେଏସଡବ୍ଲୁ ଭୂଷଣ ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଏହି ଘଟଣାକୁ ସ୍ଵୀକାର କରାଯାଇଛି । କ୍ଷତି ସହିଥିବା ଚାଷୀଙ୍କ ସହ ଆଲୋଚନା ଚାଲିଥିବା ଓ ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଛି।