ବିଜେପିକୁ ବାହୁଡ଼ିବେ ବିଜୟ-ଦିଲ୍ଲୀପ !

ଭୁବନେଶ୍ୱର,୧୨ ।୩(ବ୍ୟୁରୋ): ପୁରୁଣା ଦଳ ବିଜେପିକୁ ବାହୁଡ଼ିବେ କି ଭେଟେରାନ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ? ଏ ପ୍ରଶ୍ନ ଏବେ ରାଜ୍ୟ ରାଜନୀତି ଆଗରେ ଉଭା ହୋଇଛି । ପ୍ରାୟ ୩ ମାସ ତଳେ ବିଜେପିରୁ ଇସ୍ତଫା ଦେଇଥିବା ବିଜୟ ଓ ଦିଲ୍ଲୀପ ଅନ୍ୟ କୌଣସି ଦଳରେ ଏଯାଏ ସାମିଲ୍ ହୋଇନାହାଁନ୍ତି । ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଦୁଇ ନେତାପୁଣି ବିଜେପି ଫେରିବା ଚର୍ଚ୍ଚା ଦାନା ବାନ୍ଧୁଛି । ବିଜେପି ଓଡ଼ିଶା ପ୍ରଭାରୀ ଅରୁଣ ସିଂଙ୍କ ଆଜିର ଇଙ୍ଗିତ ଏ ଚର୍ଚ୍ଚା ନିଆଁରେ ଘିଅ ଢାଳିଛି ।
ମଙ୍ଗଳବାର ପ୍ରଭାରୀ ଶ୍ରୀ ସିଂ କହିଲେ, ବିଜେଡିରୁ ବହୁ ନେତା ବିଜେପିକୁ ଆସିବାକୁ ବ୍ୟଗ୍ର ଅଛନ୍ତି । ଏଥର ବିଜେଡି ସରକାରର ପତନ ନିଶ୍ଚିତ । ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପିକୁ ବାହୁଡିବେ କି ପ୍ରଶ୍ନରେ ଶ୍ରୀ ସିଂହ କହିଛନ୍ତି, ଆମ ଦଳରୁ କେହି ଯାଇନାହାନ୍ତି । ସମସ୍ତେ ଆମ ସହ ଅଛନ୍ତି । ଆମେ ଏକାଠି ଅଛୁ । ଦଳ ପୂରା ଏକତ୍ରିତ ହୋଇ ଭୋଟ ଲଢ଼ି ନବୀନ ଶାସନକୁ କବର ଦେବ । ଅରୁଣଙ୍କ ଏମିତି ଇଙ୍ଗିତ ପରେ ପୁଣି ବିଜୟ ଓ ଦିଲ୍ଲୀପ ବିଜେପି ଫେରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ନଭେମ୍ବର ୩୦ରେ ଦୁଇ ଅଭିଜ୍ଞ ନେତା ବିଜେପି ଛାଡ଼ିବା ସହ ଦଳର ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହଙ୍କୁ ଚିଠି ଲେଖି ଦଳ ଲକ୍ଷଚ୍ୟୁତ ହୋଇଥିବାରୁ ସେମାନେ ଦଳ ଛାଡୁଥିବା ଉଲ୍ଲେଖ କରିଥିଲେ । ଦୁଇ ନେତା କେତେବେଳେ ବିଜେଡିରେ ସାମିଲ ହେବେ ତ ଆଉ କେବେ କଂଗ୍ରେସକୁ ଯିବ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଏଯାଏ ଦୁଇ ନେତା କୌଣସି ଦଳକୁ ଯାଇନାହାନ୍ତି । ଭୋଟ ଦିନ ଘୋଷଣା ହୋଇଥିବା ବେଳେ ରାଜ୍ୟ ରାଜନୀତିରେ ବେଶ ପ୍ରଭାବଶାଳୀ ଏ ଦୁଇ ନେତାଙ୍କ ଗତିବିଧି ସ୍ପଷ୍ଟ ହୋଇନି । ବିଜେପି ଓଡ଼ିଶା ଗାଦି ଦଖଲ କରିବା ଲକ୍ଷ୍ୟରେ ଥିବାରୁ ଏ ଦୁଇ ଭେଟେରାନଙ୍କୁ ନେଇ ଦଳର ବଳ ବଢ଼ାଇବା ଲକ୍ଷ୍ୟରେ ଅଛି ବୋଲି ରାଜନୈତିକ ମହଲ ଅନୁମାନ କରୁଛି । ମାତ୍ର ବିଜୟ କିମ୍ବା ଦିଲ୍ଲୀପ କେହି ଏ ସଂପର୍କରେ କିଛି ସ୍ପଷ୍ଟ କରୁନାହାନ୍ତି ।