ପୁଣି ଦଳକୁ ବାହୁଡ଼ିଲେ ବିଜୟ, ଆସନ୍ତାକାଲି ମୋଦିଙ୍କ ଉପସ୍ଥିତିରେ ଯୋଗ ଦେବେ

ଭୁବନେଶ୍ବର ୨୮।୩: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ପୁଣି ଦଳକୁ ଫେରିଛନ୍ତି । ତାଙ୍କୁ ମନାଇବାରେ ସଫଳ ହୋଇଛନ୍ତି ଦଳର ତୁଙ୍ଗ ନେତାଗଣ। 
ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଆଲୋଚନା କରିଥିଲେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ବିଜୟ ମହାପାତ୍ର ବିଜେପିରେ ଯୋଗଦେବେ । କୋରାପୁଟ ଜିଲ୍ଲା ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ସଭାରେ ବିଜୟ ମହାପାତ୍ର ଦଳରେ ସାମିଲ ହେବେ ।

ସୂଚନାଯୋଗ୍ୟ ଯେ, ବିଜୟ ମହାପାତ୍ର ଏବଂ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଏକାଠି ବିଜେପି ଛାଡିଥିଲେ । ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ପାଇଁ କେନ୍ଦ୍ର ସରକାର ତାଙ୍କ ପ୍ରତିଶୃତି ପୂରଣ ନକରିବା ପ୍ରତିବାଦରେ ଦିଲ୍ଲୀପ ଦଳ ଛାଡିଥିଲେ । ଉଭୟ ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ତେବେ ଦଳ ତାଙ୍କୁ ଅଣଦେଖା କରୁଥିବା ପ୍ରତିବାଦରେ ବିଜୟ ଦଳ ଛାଡିଥିଲେ ।

ଦଳ ଛାଡିବା ପରେ ବିଜୟ ଓ ଦିଲ୍ଲୀପ ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଦିଲ୍ଲୀପ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରି ଆସିଥିଲେ । ଏହାପରେ ସେ ବିଜେଡିରେ ସାମିଲ ହେଉଥିବା ଚର୍ଚ୍ଚା ସାଂଗକୁ କେନ୍ଦ୍ରାପଡାରୁ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା ।

ଅପରପକ୍ଷରେ ବିଜୟଙ୍କୁ ବିଜେଡିର ଗୋଟିଏ ଗୋଷ୍ଠୀ ବିରୋଧ କରିବା ସହ ବିଜେଡିକୁ ତାଙ୍କ ପ୍ରବେଶ କରାଇନଦେବା ଲାଗି ଉଦ୍ୟମ କରୁଥିବା ମଧ୍ୟ ଶୁଣିବାକୁ ମିଳୁଥିଲା । କୌଣସି ଦଳରେ ବିଜୟ ଯୋଗ ଦେଉନଥିବାରୁ ଚଳିତ ନିର୍ବାଚନରେ ତାଙ୍କ ଭୂମିକା କଣ ହେବ ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇ ଆସୁଥିଲା । ବୈଜୟନ୍ତ ପଣ୍ଡା ଏବଂ ଡାକ୍ତର ଦମୋଦର ରାଉତ ବିଜେପିରେ ଯୋଗ ଦେବାପରେ ତାଙ୍କୁ ପୁଣି ଦଳକୁ ଫେରାଇ ଆଣିବା ପାଇଁ ବିଜେପି ଉଦ୍ୟମ କରିଥିଲା । କେନ୍ଦ୍ରୀୟ ନେତାମାନେ ବିଜୟଙ୍କ ସହ ସିଧାସଳଖ କଥା ହୋଇଥିବାବେଳେ ବୈଜୟନ୍ତ ପଣ୍ଡା ମଧ୍ୟ ବିଜୟଙ୍କ ସହ ବିଜେପି ତରଫରୁ ଆଲୋଚନା କରିଥିଲେ । ଶେଷରେ ବିଜୟ ପୁଣି ବିଜେପିକୁ ଫେରିବା ଲାଗି ସମ୍ମତି ପ୍ରକାଶ କରିଥିବା ବିଜୟଙ୍କ ନିକଟତମ ସୂତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ ଯେ, ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ୧୯୯୦ରୁ ୧୯୯୫ ମସିହା ମଧ୍ୟରେ ବିଜୟ ମହାପାତ୍ର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ । ତତ୍କାଳୀନ ଜନତା ଦଳ ରାଜ୍ୟ ଶାଖାର ସେ ରାଜନୈତିକ ବ୍ୟାପାର କମିଟିର ଆବାହାକ ମଧ୍ୟ ଥିଲେ । ତେବେ ୨୦୦୦ ମସିହାରେ ନବୀନ ତାଙ୍କୁ ପାଟକୁରା ନିର୍ବାଚନମଣ୍ଡଳିରୁ ଶେଷ ମୁହୂର୍ତ୍ତରେ ଟିକେଟ ଦେଇନଥିଲେ । ଫଳରେ ବିଜୟ ମହାପାତ୍ର ନିର୍ବାଚନ ଲଢି ପାରିନଥିଲେ । ତେବେ ବିଜେଡିକୁ ଉଚିତ ଜବାବ ଦେବାପାଇଁ ଏନସିପି ବିଧାୟକଙ୍କୁ ପାଟକୁରାରେ ସମର୍ଥନ କରିଥିଲେ । ପରବର୍ତ୍ତି ସମୟରେ ବିଜୟ ମହାପାତ୍ର ଓଡିଶା ଗଣ ପରିଷଦ ନାମକ ଏକ ନୂଆ ଦଳ ଗଠନ କରିଥିଲେ । ୨୦୦୪ ମସିହା ନିର୍ବାଚନରେ ବିଜୟ ମହାପାତ୍ରଙ୍କ ଓଡିଶା ଗଣ ପରିଷଦ ୨ଟି ଆସନରେ ବିଜୟୀ ହୋଇଥିଲେ ମଧ୍ୟ ନିଜେ ବିଜୟ ମହାପାତ୍ର ପାଟକୁରାରୁ ହାରିଯାଇଥିଲେ ।

ପରବର୍ତ୍ତି ସମୟରେ ଶରଦ ପାୱାରଙ୍କ ଏନସିପି ଦଳରେ ଓଡିଶା ଗଣ ପରିଷଦ ବିଲୀନ ହୋଇଯାଇଥିଲା । ତେବେ ଶରଦ ପାୱାର ଏନସିପି ସହ ମେଣ୍ଟ କରିବାରୁ ୨୦୦୯ ମସିହା ନିର୍ବାଚନ ପୂର୍ବରୁ ବିଜୟ ମହାପାତ୍ର ଏନସିପି ଛାଡି ବିଜେପିରେ ଯୋଗ ଦେଇଥିଲେ । ପଞ୍ଚାୟତ ନିର୍ବାଚନ ବେଳେ ବିଜୟ ବିଜେପିର ମଙ୍ଗ ଧରିଥିଲେ । ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ ମଧ୍ୟ କରିଥିଲା । ତେବେ ମହାନଦୀ ପ୍ରସଂଗଠୁ ଆରମ୍ଭ କରି ବିଭିନ୍ନ ପ୍ରସଂଗରେ ଦଳ ସହ ବିଜୟଙ୍କ ଆଭିମୁଖ୍ୟ ମିଶିନଥିଲା । ବିଜୟ ଦଳ ସମ୍ପର୍କରେ ଖୋଲା ଖୋଲି ଗଣମାଧ୍ୟରେ ସମାଲୋଚନା କରିବାକୁ ପଛାଇନଥିଲେ । ଏପରିକି ଭୁବନେଶ୍ବରଠାରେ ଅନୁଷ୍ଠିତ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ମଧ୍ୟ ବିଜୟ ଯୋଗ ଦେଇନଥିଲେ । ଧୀରେ ଧୀରେ ଦଳ ଓ ବିଜୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଥିଲା ଓ ଗତ ଡିସେମ୍ବର ୧ ତାରିଖରେ ବିଜୟ ଦଳ ଛାଡିବା ଘୋଷଣା କରିଥିଲେ ।

ଏବେ ବିଜୟ ପୁଣି ବିଜେପିକୁ ଫେରିଲେ ବିଜେପି ନିଶ୍ଟୟ ଶକ୍ତିଶାଳୀ ହେବ । ବିଜୟଙ୍କୁ ଉପକୂଳ ଓଡିଶାର ମଂଗୁଆଳ ଦାୟିତ୍ବ ପ୍ରଦାନ କରି ଦଳ ସଫଳତା ହାସଲ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ବିଶ୍ବସ୍ଥ ସୂତ୍ରରୁ ଜଣାପଡିଛି ।

   ସମ୍ବନ୍ଧିତ ଖବର


ଫିକା ପଡ଼ିଲା କାର୍ତ୍ତିକ ପୂର୍ଣ୍ଣିମା: ଏଥର ଶୁଭିଲାନି ‘ଆ କା ମା ବୈ… ପାନ ଗୁଆ ଥୋଇ’, ଡଙ୍ଗା ଭସା ଉପରେ ଲାଗିଲା କଟକଣା

ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ରାଜନୀତିରେ ପୁଣି ପାଦ ରଖିବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ଆସନ୍ତାକାଲି ଶିବସେନାରେ ହେବେ ସାମିଲ୍‌…

ହକି ବିଶ୍ୱକପ୍‌-୨୦୨୩ ପ୍ରସ୍ତୁତି ପର୍ବ ଆରମ୍ଭ: ୭ରେ ରାଉରକେଲା ଆସିବେ ଉଚ୍ଚସ୍ତରୀୟ କମିଟି